ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ତିଲକ ବର୍ମାଙ୍କ ଅପରାଜିତ ୫୧ ଓ ନୀତିଶ କୁମାର ରେଡ୍ଡୀଙ୍କ ୨୬ ରନ୍ ବଳରେ ଭାରତ ୪ ୱିକେଟ୍ରେ ବିଜୟୀ ହୋଇଛି। ୧୮୧ ରନ୍ର ଲକ୍ଷ୍ୟକୁ ଭାରତ ୧୯.୫ ଓଭରରେ ହାସଲ କରି ୫ ମ୍ୟାଚ୍ ସିରିଜ୍ରେ ୨-୦ରେ ଆଗୁଆ ହୋଇଛି।
ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ତିଲକ ବର୍ମା ଓ ନୀତିଶ ରେଡ୍ଡୀ । ନ୍ୟୁଜିଲାଣ୍ଡ ହାତରୁ ଛଡ଼ାଇ ଆଣିଲେ ବିଜୟ । ଗୋଟିଏ ବଲ୍ ବାକି ଥାଇ ଦ୍ୱିତୀୟ ଟି-20 ମ୍ୟାଚ୍ ଜିତିଲା ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ।
ତେବେ ଭାରତର ୬ଟି ୱିକେଟ୍ ଯିବା ପରେ ସମସ୍ତେ ଆଶା ଛାଡ଼ି ଦେଇଥିଲେ ଯେ, ଭାରତ ଆଉ ଜିତିବ ବୋଲି । ଭାରତୀୟ ଫ୍ୟାନ୍ସଙ୍କ ଭିତରେ ନିରାଶା ଖେଳିଯାଇଥିଲା । ୧୫ ଓଭରରେ ଭାରତ ୬ ୱିକେଟ୍ ହରାଇ ୧୧୩ ରନ୍ କରିଥିଲା । ବିଜୟ ପାଇଁ ୩୦ ବଲରେ ୬୮ ରନର ଆବଶ୍ୟକ ଥିଲା, ଯାହାକି ଅସମ୍ଭବ ଭଳି ଲାଗୁଥିଲା । କାରଣ ରଥି ମହାରଥି ସମସ୍ତେ ପାଭେଲିଅନକୁ ଫେରିଯାଇଥିଲେ ।
କ୍ୱିୱି ଦଳର ଅଧିନାୟକ ମିଚେଲ ସାଣ୍ଟନରଙ୍କ ବୋଲିଂ ଯାଦୁ ଆଗରେ ଭାରତୀୟ ବ୍ୟାଟରଙ୍କ ବ୍ୟାଟ୍ ଚାଲିନଥିଲା । ସୂର୍ଯ୍ୟବଂଶୀ, ଅଭିଷେକ, ସଞ୍ଜୁ ସାମସନ୍, ଶ୍ରେୟସ ଆୟର, ଅକ୍ଷର ପଟେଲ ଓ ନମନ ଧୀରଙ୍କ ଭଳି ବିସ୍ଫୋରକ ବ୍ୟାଟର ପାଭେଲିଅନକୁ ଫେରିଯାଇଥିଲେ । ନମନ ଧୀରଙ୍କ ୧୭ ବଲରେ ୩୧ ରନକୁ ଛାଡ଼ିଦେଲେ ଆଖିଦୃଶିଆ ରନ୍ ଆଉ କାହା ବ୍ୟାଟରୁ ଆସିନଥିଲା ।
ଆଉ ଏତିକି ବେଳେ ସମ୍ପୂର୍ଣ୍ଣ ଦଳର ଭାର ନିଜ କାନ୍ଧକୁ ନେଇ କ୍ରୀଜରେ ଦଣ୍ଡାୟମାନ ଥିଲେ ତିଲକ ବର୍ମା । ଆଉ ତାଙ୍କୁ ସହଯୋଗ କରୁଥିଲେ ନୀତିଶ କୁମାର ରେଡ୍ଡୀ । ଗୋଟିଏ ପଟେ ନୀତିଶ ସିଙ୍ଗଲ୍ କରି ଦେଉଥିବା ବେଳେ ଅନ୍ୟପଟେ ତିଲକ ଛକା-ଚୌକାର ବର୍ଷା କରୁଥିଲେ । ଆଉ ଦେଖୁ ଦେଖୁ ଅସମ୍ଭବ ଭଳି ଲାଗୁଥିବା ୧୮୧ ରନର ଟାର୍ଗେଟକୁ ଗୋଟିଏ ବଲ୍ ବାକି ଥାଇ ହାସଲ କରିନେଇଥିଲେ ।
ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୦ ରନ୍ କରିଥିଲା । ଭାରତକୁ ବିଜୟ ପାଇଁ ସାମ୍ନାରେ ୧୮୧ ରନର ଲକ୍ଷ୍ୟ ରହିଥିଲା । ଭାରତ ଏହି ବିଜୟ ଲକ୍ଷ୍ୟକୁ ଶେଷ ଓଭରର ୫ମ ବଲରେ ହାସଲ କରିଛି ।
ଭାରତ ପକ୍ଷରୁ ସଞ୍ଜୁ ସାମସନ୍ ଓ ଅଭିଷେକ ଶର୍ମା ପ୍ରାରମ୍ଭିକ ବ୍ୟାଟର ଭାବେ କ୍ରୀଜକୁ ଓହ୍ଲାଇଥିଲେ । ହେଲେ ସଞ୍ଜୁ ସାମସନ୍ ୧୭ ବଲରେ ୧୪ ରନ୍ ଓ ଅଭିଷେକ ଶର୍ମା ୨୧ ବଲରେ ୨୭ ରନ୍ କରିଥିଲେ । ଦ୍ୱିତୀୟ ଟି-20ରେ ସୁଯୋଗ ପାଇଥିବା ବୈଭବ ସୂର୍ଯ୍ୟବଂଶୀ ଆଜି ଖେଳିପାରିନଥିଲେ । ସେ ୮ ବଲରେ ମାତ୍ର ୪ ରନ୍ କରିଥିଲେ । ଅଧିନାୟକ ଶ୍ରେୟସ ଆୟର ୧୧ ବଲରେ ୭ ରନ୍, ଅକ୍ଷର ପଟେଲ ୯ ବଲରେ ୧୧ ରନ୍ ଓ ନମନ ଧୀର ୧୭ ବଲରେ ୩୧ ରନ୍ କରିଥିଲେ । ତିଲକ ବର୍ମା ଅପରାଜିତ ୨୭ ବଲରେ ୫୧ ରନର ଚମତ୍କାର ବିଜୟୀ ଇନିଂସ ଖେଳିଛନ୍ତି । ସେହିପରି ନୀତିଶ କୁମାର ରେଡ୍ଡୀ ୧୩ ବଲରେ ୨୬ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି ।
ପ୍ରଥମ ଇନିଂସରେ ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଗୋଟିଏ ୱିକେଟ୍, ଅର୍ଶଦୀପ ସିଂ ୨ଟି ୱିକେଟ୍, ପ୍ରିନ୍ସ ଯାଦବ ଓ ନୀତିଶ କୁମାର ରେଡ୍ଡୀ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ । ଭାରତ ଏହି ବିଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ ୨-୦ରେ ଆଗୁଆ ରହିଛି ।

