ବର୍ଷା ନାହିଁ, ଜଳସେଚନ ବି ନାହିଁ ! ଫାଟି ଆଁ କରିଛି ଚାଷଜମି

ଗଜପତି ଜିଲ୍ଲାରେ ବର୍ଷା ଅଭାବ ଓ ଜଳସେଚନ ସୁବିଧାର ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ଧାନ ଗଛରେ କେଣ୍ଡା ବାହାରିବା ଓ ଦାନା ଭରିବା ସମୟରେ ମାଟିର ଆର୍ଦ୍ରତା କମିଯାଇଥିବାରୁ ଫସଲ ନଷ୍ଟ ହେବା ଆଶଙ୍କା ରହିଛି।

ବର୍ଷା ନାହିଁ, ଜଳସେଚନର ସୁବିଧା ନାହିଁ । କେମିତି ବଞ୍ଚାଇବେ ଫସଲ, ଚିନ୍ତାରେ ଚାଷୀ । ଫାଟି ଆଁ କରିଛି ଚାଷ ଜମି। ଧାନ ଗଛରେ କେଣ୍ଡା ବାହାରିବା ଓ ଦାନା ଭରିବା ସମୟରେ ମାଟିରେ ଆର୍ଦ୍ରତା କମିଯାଇଛି। ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇଛି । ଠିକ୍ ସମୟରେ ବର୍ଷା ନାହିଁ, ଜମିକୁ ପାଣି ମଡ଼ାଇବାର ବିକଳ୍ପ ବି ନାହିଁ ।

ଚଳିତ ଖରିଫ ଋତୁରେ ଆରମ୍ଭରୁ ବର୍ଷାର ଅନିୟମିତତା ଚାଷକୁ ପ୍ରଭାବିତ କରିଥିଲା । ପରବର୍ତ୍ତୀ ସମୟରେ ଲଘୁଚାପଜନିତ ବର୍ଷା ହୋଇଥିଲେ ମଧ୍ୟ ଏବେ ପୁଣି ବର୍ଷା ଅଭାବ ଚାଷୀଙ୍କୁ ଚିନ୍ତାରେ ପକାଇଛି । ଜିଲ୍ଲାରେ ଚାଷୀଙ୍କ ସମସ୍ୟାକୁ ଆହୁରି ଜଟିଳ କରିଛି ଜଳସେଚନ ସୁବିଧାର ଅଭାବ । ଜିଲ୍ଲାର ମୋଟ ଚାଷଜମିର ପ୍ରାୟ ୬୦ ପ୍ରତିଶତ ଜମିରେ ଜଳସେଚନ ସୁବିଧା ନାହିଁ । ଫଳରେ ଏହି ଜମିରେ ଚାଷ କରୁଥିବା ଚାଷୀ ସମ୍ପୂର୍ଣ୍ଣ ଭାବେ ବର୍ଷା ଉପରେ ନିର୍ଭର କରୁଛନ୍ତି । 

କେତେକ ଚାଷୀ ନିକଟସ୍ଥ ଜଳାଶୟରୁ ପାଣି ବୋହି ଆଣୁଛନ୍ତି, ଆଉ କେତେକ ମୋଟର ପମ୍ପ ସାହାଯ୍ୟରେ ଜମିକୁ ପାଣି ମଡ଼ାଉଛନ୍ତି। କିନ୍ତୁ ସବୁ ଅଞ୍ଚଳରେ ଏହି ସୁବିଧା ନାହିଁ । ଫସଲ ନଷ୍ଟ ହେଲେ ଚାଷୀ କେମିତି ଋଣ ଶୁଝିବ । କେମିତି ପେଟ ପୋଷିବ ତାକୁ ନେଇ ଚିନ୍ତାରେ ପଡ଼ିଛି । ପ୍ରତିକୂଳ ପାଣିପାଗର ପ୍ରଭାବ ସିଧାସଳଖ ଚାଷୀଙ୍କ ଜୀବିକା ଉପରେ ପଡ଼ୁଛି। ତୁରନ୍ତ ଚାଷ ଜମି ମାନଙ୍କରେ ଜଳସେଚନର ସୁବିଧା କରିବାକୁ ଦାବି ହୋଇଛି । 

Leave a Reply

Your email address will not be published. Required fields are marked *