ୟୁପିରେ ବର୍ଷାର ବିତ୍ପାତ , ଫୁଲୁଛି ଗଙ୍ଗା-ସରୟୁ-ରାପ୍ତୀ; ବନ୍ୟା ଆଶଙ୍କା

ଉତ୍ତରପ୍ରଦେଶରେ ବର୍ଷାର ବିତ୍ପାତ । ଲଗାଣ ବର୍ଷା ପରେ ବିଗିଡ଼ିବାରେ ଲାଗିଛି ବନ୍ୟା ପରିସ୍ଥିତି । ଗଙ୍ଗା, ଯମୁନା, ସରୟୁ ଓ ରାପ୍ତୀ ଭଳି ପ୍ରମୁଖ ନଦୀର ଜଳସ୍ତର ବଢ଼ିବାରୁ ଅନେକ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ଉତ୍ତରପ୍ରଦେଶରେ ବର୍ଷାର ବିତ୍ପାତ । ଲଗାଣ ବର୍ଷା ପରେ ବିଗିଡ଼ିବାରେ ଲାଗିଛି ବନ୍ୟା ପରିସ୍ଥିତି । ଗଙ୍ଗା, ଯମୁନା, ସରୟୁ ଓ ରାପ୍ତୀ ଭଳି ପ୍ରମୁଖ ନଦୀର ଜଳସ୍ତର ବଢ଼ିବାରୁ ଅନେକ ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ୟୁପିର ଅନେକ ସହର ଓ ଗାଁରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ରାସ୍ତାଘାଟରେ ପାଣି ଜମିବା ସହ ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିବା ଆଶଙ୍କା ବଢ଼ିଛି । ନଦୀଗୁଡ଼ିକର ଜଳସ୍ତର ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି । ବନ୍ୟା ଆଶଙ୍କା ମଧ୍ୟରେ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ପ୍ରୟାଗରାଜରେ ଶ୍ରେଣୀ ୧ରୁ ୧୨ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଛି । କୌଶାମ୍ବୀରେ ପ୍ରି-ପ୍ରାଇମେରୀରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରାଯାଇଥିବା ବେଳେ ମିର୍ଜାପୁରରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ଭଦୋହିରେ ଶ୍ରେଣୀ ୧ରୁ ୧୨ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଛି । ଅନ୍ୟପଟେ, ସରୟୁ ଓ ରାପ୍ତୀ ନଦୀର ଜଳସ୍ତର ମଧ୍ୟ ଚିନ୍ତା ବଢ଼ାଇଛି ।

ବାରାବାଙ୍କୀରେ ସରୟୁ ନଦୀ ବିପଦ ସଙ୍କେତଠାରୁ ଉପରେ ଏବଂ ଶ୍ରାବସ୍ତୀରେ ରାପ୍ତୀ ନଦୀ ମଧ୍ୟ ବିପଦ ସୀମା ଅତିକ୍ରମ କରିଥିବା ରିପୋର୍ଟ ଆସିଛି । ଏହାକୁ ନେଇ ନଦୀକୂଳିଆ ଅଞ୍ଚଳରେ ସତର୍କତା ବଢ଼ାଯାଇଛି । ପ୍ରୟାଗରାଜରେ ପ୍ରବଳ ଜଳବନ୍ଦୀ ଯୋଗୁଁ ଯାତାୟାତ ଓ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି । ରାସ୍ତା, ଅଣ୍ଡରପାସ୍‌ ଓ ବିଭିନ୍ନ ଆବାସିକ ଅଞ୍ଚଳରେ ପାଣି ଜମିଛି । ଗଙ୍ଗା ଓ ଯମୁନାର ଜଳସ୍ତର ମଧ୍ୟ ବଢ଼ୁଛି । ଏପଟେ ଭାରତୀୟ ପାଣିପାଗ ବିଭାଗ ୟୁପିର ବିଭିନ୍ନ ଅଞ୍ଚଳରେ ଭାରୀରୁ ଅତିଭାରୀ ବର୍ଷା ନେଇ ସତର୍କ କରିଛି । ପୂର୍ବ ଓ ପଶ୍ଚିମ ଉତ୍ତରପ୍ରଦେଶ ସମେତ ଅନେକ ଅଞ୍ଚଳରେ ବର୍ଷା ଜାରି ରହିବାର ଆଶଙ୍କା ରହିଛି । ବର୍ଷା ଓ ବଢ଼ୁଥିବା ନଦୀଜଳ ମଧ୍ୟରେ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି । ତଳିଆ ଅଞ୍ଚଳର ଲୋକଙ୍କ ଉପରେ ବିଶେଷ ନଜର ରହିଥିବା ବେଳେ, ଆଗକୁ ବର୍ଷା ବଢ଼ିଲେ ବନ୍ୟା ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *