ସୁନ୍ଦରଗଡ଼ ଜିଲ୍ଲାରେ ପୂର୍ବରୁ ଅଧିକ ବର୍ଷା ହୋଇଥିଲେ ମଧ୍ୟ ଏବେ ବର୍ଷା ଅଭାବ ଓ ତାପମାତ୍ରା ବୃଦ୍ଧି ଯୋଗୁଁ ଚାଷଜମି ଶୁଖିବାକୁ ଲାଗିଛି। ଧାନ କେଣ୍ଡା ଧରିବା ସମୟରେ ଜମି ଫାଟିଯିବା ସହ ଫସଲ ନଷ୍ଟ ହେବା ଆଶଙ୍କା ବଢ଼ିଛି।
ପରିବର୍ତ୍ତିତ ପାଣିପାଗରେ ଚାଷୀ ଯନ୍ତ୍ରଣାର ଚିତ୍ର । ରେକର୍ଡ ମାତ୍ରାରେ ବର୍ଷା ହୋଇ ବି ଜିଲ୍ଲାରେ ମରୁଡ଼ି ପରିସ୍ଥିତି । ମରିବାକୁ ବସିଲାଣି ଧାନ ଗଛ, ଚାଷୀ ମୁଣ୍ଡରେ ଚଡ଼କ । ଚଳିତ ବର୍ଷ ଏଲନିନୋ ପାଇଁ ପାଣିପାଗରେ ଦେଖିବାକୁ ମିଳୁଛି ବଡ଼ ପରିବର୍ତ୍ତନ। ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ଚାଷୀ ଉପରେ । ସୁନ୍ଦରଗଡ଼ ଜିଲ୍ଲାରେ ଚଳିତ ବର୍ଷ ଜୁନ ଶେଷ ସପ୍ତାହରୁ ଆରମ୍ଭ କରି ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ରେକର୍ଡ ଠାରୁ ଢେର ଅଧିକ ବର୍ଷା ହୋଇଥିଲା ।
ତଥାପି ଏବେ ଜିଲ୍ଲାରେ ଦେଖାଦେଇଛି ମରୁଡ଼ି ସ୍ଥିତି। ଧାନକେଣ୍ଡା ଧରିଲା ବେଳକୁ ଜମି ଫାଟି ଆଁ କରିଛି। ଫଳରେ ଶହଶହ ଏକର ଚାଷ ଜମିରେ ହୋଇଥିବା ଧାନ ଗଛ ମରିବା ଆରମ୍ଭ କଲାଣି। ବର୍ଷାର ଅଭାବ ଏବଂ ଦିନର ତାପାମାତ୍ରାରେ ଅହେତୁକ ବୃଦ୍ଧି ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ପ୍ରବଳ ଖରାରେ ପୋଖରୀ ଓ ନଦୀରୁ ପାଣି ଉଠାଇବା ସମ୍ଭବ ହେଉନାହିଁ ।
ନିଜ ଫସଲକୁ କିଭଳି ବଞ୍ଚାଇବ, ଋଣ ଟଙ୍କା କେମିତି ସୁଝିବ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଟାଙ୍ଗରପାଲିର ମେଘଡେଗା ଓ ତସଲାଡିହି ପଞ୍ଚାୟତର ଶହଶହ ଚାଷୀ। ସେପଟେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କହୁଛନ୍ତି, ଜିଲ୍ଲାରେ ରେକର୍ଡ ଠାରୁ ଅଧିକ ବର୍ଷା ହୋଇଛି। ଏଭଳି କୌଣସି ଅଭିଯୋଗ ଆମର ହସ୍ତଗତ ହୋଇନାହିଁ। ଅଭିଯୋଗ ମିଳିଲେ ସ୍ଥିତିର ଅନୁଧ୍ୟାନ କରାଯିବ । ପରିବର୍ତ୍ତିତ ପାଣିପାଗରେ ଚାଷୀ କିଭଳି ଚାଷ କରିବ, ସରକାର ସେ ନେଇ ଚାଷୀଙ୍କୁ ସଚେତନ କରାଇବା ସହ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି ।
