ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ;୧୫୭ କିମି ରାଜପଥରେ ମୁତୟନ ହେଲେ ୯୦୦ କର୍ମଚାରୀ

ବାୟୁ ଗୁଣବତ୍ତା ସୂଚକାଙ୍କ ୨୪୦ ଅତିକ୍ରମ କରିବା ପରେ ଲାଗୁ ହୋଇଛି ଗ୍ରାପ୍‌-୧ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏବେ ଆକ୍ସନ ମୋଡ୍‌କୁ ଆସିଛି ସରକାର । ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ରାଜପଥ ନେଟୱର୍କରେ ଆରମ୍ଭ ହୋଇଛି ବ୍ୟାପକ ଅଭିଯାନ ।

ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ । ବାୟୁ ଗୁଣବତ୍ତା ସୂଚକାଙ୍କ ୨୪୦ ଅତିକ୍ରମ କରିବା ପରେ ଲାଗୁ ହୋଇଛି ଗ୍ରାପ୍‌-୧ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏବେ ଆକ୍ସନ ମୋଡ୍‌କୁ ଆସିଛି ସରକାର । ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ରାଜପଥ ନେଟୱର୍କରେ ଆରମ୍ଭ ହୋଇଛି ବ୍ୟାପକ ଅଭିଯାନ ।

NHAIର ସୂଚନା ଅନୁଯାୟୀ, ଦିଲ୍ଲୀ-NCRର ପ୍ରାୟ ୧୫୭ କିଲୋମିଟର ଲମ୍ବା ରାସ୍ତା ଓ କରିଡରରେ ୯୦୦ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ରାସ୍ତାରେ ଉଡ଼ୁଥିବା ଧୂଳିକୁ ନିୟନ୍ତ୍ରଣ କରିବା ପାଇଁ ନିୟମିତ ଭାବେ ପାଣି ସିଞ୍ଚନ କରାଯାଉଛି। ଏଥିସହ ବିଭିନ୍ନ ସ୍ଥାନରେ ସ୍ମୋକ୍‌ ଗନ୍‌ ଲଗାଯାଇଛି । ଏହା ବାୟୁମଣ୍ଡଳରେ ଥିବା ଧୂଳିକଣାକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ ।

ପ୍ରଦୂଷଣ ରୋକିବାକୁ ରାଜପଥରେ ସ୍ୱତନ୍ତ୍ର ଅଭିଯାନ
NHAIର ସଦସ୍ୟ ଆଲୋକ ଦୀପଙ୍କରଙ୍କ ସୂଚନା ଅନୁଯାୟୀ, ଏହି ଅଭିଯାନ ଉପରେ ନଜର ରଖିବା ପାଇଁ ଜିଓ-ଟ୍ୟାଗିଂ ଓ CCTV କ୍ୟାମେରାର ସହାୟତା ନିଆଯାଉଛି । ଏହାଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନିଆଯାଉଥିବା ପଦକ୍ଷେପ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହା ଯାଞ୍ଚ କରାଯାଉଛି । NHAIର ଦାବି ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ଦିଲ୍ଲୀ-NCRର ବିଭିନ୍ନ ରାଜପଥ କରିଡରରେ ୯ ଲକ୍ଷରୁ ଅଧିକ ଚାରା ରୋପଣ କରାଯାଇଛି । ଏଥିରେ ଦ୍ୱାରକା ଏକ୍ସପ୍ରେସ୍‌ୱେ, DND-ସୋହନା କରିଡର ଓ ଦିଲ୍ଲୀ-ଡେରାଡୁନ୍‌ ହାଇୱେ ସାମିଲ ରହିଛି । ଆଉ ଏକ ବିଶେଷ କଥା ହେଉଛି, ଏହି ପ୍ରକଳ୍ପଗୁଡ଼ିକରେ ଦିଲ୍ଲୀରୁ ବାହାରିଥିବା ୧୩ ଲକ୍ଷ ଟନ୍‌ରୁ ଅଧିକ ଆବର୍ଜନାକୁ ବ୍ୟବହାର କରାଯାଇଛି । ରାସ୍ତା କଡ଼ରେ ସବୁଜ ବଳୟ ସୃଷ୍ଟି କରିବା ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଏହି ଆବର୍ଜନା ବ୍ୟବହୃତ ହୋଇଛି ।

ଟ୍ରାଫିକ୍‌ ଜାମ୍‌ ଓ ପ୍ରଦୂଷଣ ଅଭିଯୋଗ ପାଇଁ ଗ୍ରୀନ୍‌ ଦିଲ୍ଲୀ ଆପ୍‌
ରାଜପଥରେ ଟ୍ରାଫିକ୍‌ ଜାମ୍‌ ଓ ପ୍ରଦୂଷଣ ସମ୍ପର୍କିତ ଅଭିଯୋଗ ପାଇଁ ଲୋକଙ୍କୁ ଗ୍ରୀନ୍‌ ଦିଲ୍ଲୀ ଆପ୍‌ ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି । ଅଧିକାରୀଙ୍କ ମତରେ, ରାସ୍ତାରେ ଯାତାୟାତକୁ ସୁଗମ କରାଯାଇପାରିଲେ ମଧ୍ୟ ପ୍ରଦୂଷଣ ମାତ୍ରା ହ୍ରାସ କରିବାରେ ସହାୟତା ମିଳିପାରିବ ।

ପଞ୍ଜାବ ଓ ହରିୟାଣାରେ ନଡ଼ା ଜାଳିବା ନେଇ ଚିନ୍ତା
ଅନ୍ୟପଟେ, ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM)ର ବୈଠକରେ ପଞ୍ଜାବ ଓ ହରିୟାଣାରେ ନଡ଼ା ଜାଳିବା ଘଟଣାକୁ ନେଇ ଚିନ୍ତା ପ୍ରକାଶ କରାଯାଇଛି । ଏହାକୁ ରୋକିବା ପାଇଁ ଜନସଚେତନତା ବଢ଼ାଇବା, ଡ୍ରୋନ୍‌ ମାଧ୍ୟମରେ ନଜର ରଖିବା ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ।

ଦିଲ୍ଲୀ-NCRରେ ବଢ଼ୁଥିବା ପ୍ରଦୂଷଣକୁ ରୋକିବା ପାଇଁ ରାଜପଥରେ ପାଣି ସିଞ୍ଚନଠାରୁ ଆରମ୍ଭ କରି ଗଛ ଲଗାଇବା ଓ ନଡ଼ା ଜାଳିବା ଉପରେ ନିୟନ୍ତ୍ରଣ ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏବେ ଏହି ପଦକ୍ଷେପ କେତେ ମାତ୍ରାରେ ପ୍ରଦୂଷଣ ହ୍ରାସ କରିପାରୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *