ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ସୂଚୀ ଅନୁଯାୟୀ, କ୍ୱାର୍ଟର ଫାଇନାଲ-୨ର ବିଜେତା କ୍ୱାର୍ଟର ଫାଇନାଲ-୩ର ବିଜେତାଙ୍କ ସହ ଏବଂ କ୍ୱାର୍ଟର ଫାଇନାଲ-୧ର ବିଜେତା କ୍ୱାର୍ଟର ଫାଇନାଲ-୪ର ବିଜେତାଙ୍କ ସହ ଅକ୍ଟୋବର ୧ରେ ସେମିଫାଇନାଲ ଖେଳିବେ ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ପ୍ରତ୍ୟେକ କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ହାଇଭୋଲଟେଜ୍ ଡ୍ରାମା । ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁଁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ଦୀର୍ଘ ଦିନରୁ ବନ୍ଦ ରହିଥିବା ବେଳେ କେବଳ ଏସିଆ କପ୍ କିମ୍ବା ଆଇସିସି ଟୁର୍ଣ୍ଣାମେଣ୍ଟରେ ହିଁ ଏହି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀଙ୍କୁ ମୈଦାନରେ ଦେଖିବାକୁ ମିଳେ । ତେବେ ୨୦୨୬ ଏସିଆନ୍ ଗେମ୍ସରେ ମଧ୍ୟ ଭାରତ-ପାକିସ୍ତାନ କ୍ରିକେଟ୍ ଲଢ଼େଇ ଦେଖିବାକୁ ମିଳିବ, କିନ୍ତୁ ଏଥିପାଇଁ କ୍ରିକେଟ ପ୍ରେମୀଙ୍କୁ ସେମିଫାଇନାଲ କିମ୍ବା ଫାଇନାଲ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।
୨୦୨୬ ଏସିଆନ୍ ଗେମ୍ସ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ କ୍ରିକେଟ୍ ଇଭେଣ୍ଟ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଖେଳାଯିବ । ପ୍ରଥମେ ମହିଳା କ୍ରିକେଟ୍ ଟିମ୍ଗୁଡ଼ିକ ମଧ୍ୟରେ ମ୍ୟାଚ୍ ଖେଳାଯିବ, ଯାହାର ଫାଇନାଲ୍ ସେପ୍ଟେମ୍ବର ୨୨ରେ ଅନୁଷ୍ଠିତ ହେବ । ଏହାପରେ ପୁରୁଷ କ୍ରିକେଟ୍ ଇଭେଣ୍ଟ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ପୁରୁଷ ଟିମ୍ ଏବଂ ୮ଟି ମହିଳା ଟିମ୍ ଭାଗ ନେଉଛନ୍ତି । ଆଇସିସି ରାଙ୍କିଙ୍ଗ୍ ଆଧାରରେ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ଶ୍ରୀଲଙ୍କା ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଅନ୍ୟପଟେ ଆଫଗାନିସ୍ତାନ, ନେପାଳ, ହଂକଂ, ଚୀନ୍, ଜାପାନ, ମାଲେସିଆ ଏବଂ ଓମାନ ଭଳି ୬ଟି ଦଳ ଗ୍ରୁପ୍/ଲିଗ୍ ପର୍ଯ୍ୟାୟ ଦେଇ କ୍ୱାର୍ଟର ଫାଇନାଲକୁ ଆସିବେ ।
ଭାରତ କ୍ୱାର୍ଟର ଫାଇନାଲରେ ଦୁଇଟି ମ୍ୟାଚ୍ ଖେଳିବାକୁ ଥିବା ବେଳେ ପାକିସ୍ତାନ ଗୋଟିଏ ମ୍ୟାଚ୍ ଖେଳିବ । ଏହି ଗୁରୁତ୍ୱପୂର୍ଣ୍ଣ କ୍ୱାର୍ଟର ଫାଇନାଲ ମ୍ୟାଚ୍ଗୁଡ଼ିକ ସେପ୍ଟେମ୍ବର ୨୮ରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ସୂଚୀ ଅନୁଯାୟୀ, କ୍ୱାର୍ଟର ଫାଇନାଲ-୨ର ବିଜେତା କ୍ୱାର୍ଟର ଫାଇନାଲ-୩ର ବିଜେତାଙ୍କ ସହ ଏବଂ କ୍ୱାର୍ଟର ଫାଇନାଲ-୧ର ବିଜେତା କ୍ୱାର୍ଟର ଫାଇନାଲ-୪ର ବିଜେତାଙ୍କ ସହ ଅକ୍ଟୋବର ୧ରେ ସେମିଫାଇନାଲ ଖେଳିବେ ।
ସେଡ୍ୟୁଲ୍ ଅନୁସାରେ ଭାରତ ଏବଂ ପାକିସ୍ତାନ କେବଳ ଅକ୍ଟୋବର ୩ ରେ ହେବାକୁ ଥିବା ସ୍ୱର୍ଣ୍ଣ ପଦକ (ଫାଇନାଲ) କିମ୍ବା ବ୍ରୋଞ୍ଜ/କାଂସ୍ୟ ପଦକ (ତୃତୀୟ ସ୍ଥାନ ପ୍ଲେ-ଅଫ୍) ମ୍ୟାଚ୍ରେ ହିଁ ମୁହାଁମୁହିଁ ହୋଇପାରିବେ । ତେଣୁ ଗୋଲ୍ଡ ମେଡାଲ୍ ପାଇଁ ଏହି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀଙ୍କ ଲଢ଼େଇ ଦେଖିବାକୁ ପୁରା ଦୁନିଆ ନଜର ରଖିଛି ।

