ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ମୋଟ ପାଞ୍ଚ ଥର ଆଇପିଏଲ୍ ଟ୍ରଫି ଜିତିଥିଲା। ତେଣୁ ଦଳର ସଫଳତା ପଛରେ ରୋହିତଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଜୋର୍ ଧରିଛି । ପାଞ୍ଚ ଥର ଆଇପିଏଲ୍ ଚାମ୍ପିୟନ୍ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ନିଜର ସଫଳତମ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ଭରସା କରିବାକୁ ଯୋଜନା କରୁଥିବା ନେଇ ଖବର ସାମ୍ନାକୁ ଆସୁଛି । ଯଦି ଏହି ଚର୍ଚ୍ଚା ସତ ହୁଏ, ତେବେ ଆଗାମୀ ସିଜନ୍ରେ ଦଳର ନେତୃତ୍ୱକୁ ନେଇ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ମୋଟ ପାଞ୍ଚ ଥର ଆଇପିଏଲ୍ ଟ୍ରଫି ଜିତିଥିଲା । ତେଣୁ ଦଳର ସଫଳତା ପଛରେ ରୋହିତଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
କିନ୍ତୁ ୨୦୨୪ ସିଜନ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସରୁ ମୁମ୍ବାଇକୁ ଫେରିବା ପରେ ତାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ଏହି ନିଷ୍ପତ୍ତିକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ୨୦୨୪ରେ ମୁମ୍ବାଇ ଲିଗ୍ର ଶେଷ ସ୍ଥାନରେ ରହିଥିଲା । ୨୦୨୫ରେ ଦଳ ପ୍ଲେଅଫ୍ରେ ପହଞ୍ଚିଥିଲେ ମଧ୍ୟ ଟ୍ରଫି ଜିତିପାରି ନଥିଲା । ଏହି ପରିସ୍ଥିତିରେ ରୋହିତଙ୍କ ଅଭିଜ୍ଞତା ଏବଂ ତାଙ୍କର ନେତୃତ୍ୱ ଦକ୍ଷତା ଉପରେ ପୁଣି ଭରସା କରିପାରେ ଫ୍ରାଞ୍ଚାଇଜି ।
ରୋହିତ ପୁଣି ଅଧିନାୟକ ହେଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭୂମିକା କ’ଣ ରହିବ, ତାହାକୁ ନେଇ ପ୍ରଶ୍ନ ଉଠୁଛି। ହାର୍ଦ୍ଦିକଙ୍କୁ ଅନ୍ୟ କୌଣସି ଫ୍ରାଞ୍ଚାଇଜିକୁ ଟ୍ରେଡ୍ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଦୌଡ଼ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସର ନାମ ମଧ୍ୟ ସାମ୍ନାକୁ ଆସୁଛି।
ଅନ୍ୟପଟେ, ହାର୍ଦ୍ଦିକଙ୍କ ବଦଳରେ ରାଜସ୍ଥାନ ରୟାଲ୍ସର ଯୁବ ଓପନର୍ ଯଶସ୍ୱୀ ଜୟସ୍ୱାଲଙ୍କୁ ମୁମ୍ବାଇ ଦଳରେ ସାମିଲ କରିବା ନେଇ ମଧ୍ୟ ଆଲୋଚନା ହେଉଥିବା କୁହାଯାଉଛି। ଯଶସ୍ୱୀଙ୍କ ବ୍ୟାଟିଂ ଦକ୍ଷତା ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ମୁମ୍ବାଇ ତାଙ୍କୁ ଦଳରେ ସାମିଲ କରିବାକୁ ଆଗ୍ରହୀ ହୋଇପାରେ।
ତେବେ ରୋହିତଙ୍କ ପୁନଃ ଅଧିନାୟକତ୍ୱ, ହାର୍ଦ୍ଦିକଙ୍କ ଟ୍ରେଡ୍ ଏବଂ ଯଶସ୍ୱୀଙ୍କ ମୁମ୍ବାଇ ଆଗମନ ନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା ହୋଇନାହିଁ। ତେଣୁ ଏହି ଖବରଗୁଡ଼ିକୁ ଏବେ ଚର୍ଚ୍ଚା ଓ ସମ୍ଭାବନା ଭାବେ ଦେଖିବା ଉଚିତ। ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇର ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିବ।

