ଦକ୍ଷିଣ କୋରିଆରେ ବଡ଼ ଅଘଟଣ: ସୁପରମାର୍କେଟ୍‌ର ଛାତ ଭୁଶୁଡ଼ି ୩୮ ଆହତ

ଡାଏଗୁ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ପୂର୍ବାହ୍ନ ୧୦ଟା ୧୬ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ଚାରି ମହଲା ବିଶିଷ୍ଟ କୋଠାର ଦ୍ୱିତୀୟ ମହଲାରେ ବରିଷ୍ଠ ନାଗରିକଙ୍କ ପାଇଁ ରୋଷେଇ ସାମଗ୍ରୀ ବିକ୍ରି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଛାତର ସିଲିଂ ଭୁଶୁଡ଼ି ପଡ଼ିଥିଲା।

ଦକ୍ଷିଣ କୋରିଆର ଡାଏଗୁ ସହରରେ ଶନିବାର ଘଟିଛି ଏକ ବଡ଼ ଅଘଟଣ। ଏକ ସୁପରମାର୍କେଟ୍‌ର ଛାତର ପ୍ଲାଷ୍ଟର ଓ ସିଲିଂର କିଛି ଅଂଶ ହଠାତ୍ ଭୁଶୁଡ଼ି ପଡ଼ିବାରୁ ୩୮ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଦୁର୍ଘଟଣା ସମୟରେ କୋଠା ଭିତରେ ଅନେକ ଲୋକ ଉପସ୍ଥିତ ଥିବାବେଳେ ସମସ୍ତେ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡ଼ିଥିଲେ।

ଡାଏଗୁ ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ପୂର୍ବାହ୍ନ ୧୦ଟା ୧୬ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ଚାରି ମହଲା ବିଶିଷ୍ଟ କୋଠାର ଦ୍ୱିତୀୟ ମହଲାରେ ବରିଷ୍ଠ ନାଗରିକଙ୍କ ପାଇଁ ରୋଷେଇ ସାମଗ୍ରୀ ବିକ୍ରି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଛାତର ସିଲିଂ ଭୁଶୁଡ଼ି ପଡ଼ିଥିଲା। ଦୁର୍ଘଟଣା ପରେ କୋଠାରୁ ୬୬ ଜଣ ବାହାରକୁ ବାହାରି ଆସିଥିଲେ। ସେମାନଙ୍କ ମଧ୍ୟରୁ ୩୮ ଜଣ ସାମାନ୍ୟ ଆହତ ହୋଇଥିବାବେଳେ ୯ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ତେବେ କୌଣସି ଆହତଙ୍କ ଅବସ୍ଥା ଗୁରୁତର ନଥିବା ସୂଚନା ମିଳିଛି। 

ଖବର ପାଇ ଅଗ୍ନିଶମ ବିଭାଗର ୬୦ ଜଣ କର୍ମଚାରୀ ୧୪ଟି ଜରୁରୀକାଳୀନ ଉପକରଣ ଓ ଯାନ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭଗ୍ନାବଶେଷ ତଳେ ଆଉ କେହି ଫସି ରହିଛନ୍ତି କି ନାହିଁ, ସେନେଇ ତଲାସି କରାଯାଇଥିଲା। ତେବେ ତଲାସି ବେଳେ ଅନ୍ୟ କୌଣସି ଆହତ ବ୍ୟକ୍ତିଙ୍କ ସନ୍ଧାନ ମିଳିନଥିଲା।

ଅନ୍ୟପଟେ ଦୁର୍ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗ। ଆହତଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ କୌଣସି ଅବହେଳା ନକରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଛାତର ସିଲିଂ କେଉଁ କାରଣରୁ ଭୁଶୁଡ଼ି ପଡ଼ିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

Leave a Reply

Your email address will not be published. Required fields are marked *