ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ସିପିଆଇ(ଏମ୍) ନେତା ପି. ବିଜୟନଙ୍କ ସମେତ ଅନ୍ୟ ନେତାମାନଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଥିବା ଖବର ସାମ୍ନାକୁ ଆସିଛି ।
ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରଦର୍ଶନ ବେଳେ ଅଟକ ହେଲେ ଅନେକ ବଡ଼ ବିରୋଧୀ ନେତା । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ସିପିଆଇ(ଏମ୍) ନେତା ପି. ବିଜୟନଙ୍କ ସମେତ ଅନ୍ୟ ନେତାମାନଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଥିବା ଖବର ସାମ୍ନାକୁ ଆସିଛି । ଅନ୍ୟପଟେ, ପ୍ରଦର୍ଶନ ନାଁରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ ହୋଇଥିବା ବିଜେପି ଅଭିଯୋଗ କରିଛି । ଏହାକୁ ନେଇ ଦେଶର ରାଜନୀତି ସରଗରମ ହୋଇଛି ।
ଏସ୍ଆଇଆର୍ ପ୍ରକ୍ରିୟାରେ କଥିତ ଅନିୟମିତତା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକ ଆନ୍ଦୋଳନ କରୁଛନ୍ତି । ଏହି କ୍ରମରେ ଦିଲ୍ଲୀର ସାଉଥ୍ ଆଭେନ୍ୟୁରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ସହ ଡେରେକ୍ ଓ’ବ୍ରାଏନ୍, ଡୋଲା ସେନ୍ ଏବଂ ଦଳର ଅନ୍ୟ ସଦସ୍ୟମାନଙ୍କୁ ଅଟକ ରଖାଯାଇଥିଲା ।
ସେହିପରି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି । କେରଳମର ନେତା ପି. ବିଜୟନ, ସିପିଆଇ(ଏମ୍)ର ମହାସଚିବ ଏମ୍.ଏ. ବେବି ଏବଂ ରାଜ୍ୟ ସଚିବ ଏମ୍.ଭି. ଗୋବିନ୍ଦନଙ୍କ ସମେତ ଦଳର ଅନ୍ୟ ନେତାମାନେ କେରଳ ହାଉସ୍ ନିକଟରେ ପ୍ରଦର୍ଶନ ପାଇଁ ବାହାରିଥିବା ବେଳେ ଅଟକ ହୋଇଥିଲେ ।
ବିରୋଧୀଙ୍କ ପ୍ରଦର୍ଶନକୁ ନେଇ ବିଜେପି ନେତା ରବିଶଙ୍କର ପ୍ରସାଦ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ବିଜେପି ପ୍ରଦର୍ଶନର ବିରୋଧୀ ନୁହେଁ, କିନ୍ତୁ ଅରାଜକତାକୁ ସମର୍ଥନ କରେ ନାହିଁ । ଅନୁପ୍ରବେଶକାରୀଙ୍କୁ ଭୋଟର କରାଯିବା ଉଚିତ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ରବିଶଙ୍କର ପ୍ରସାଦ ଟାର୍ଗେଟ୍ କରିଛନ୍ତି । ଜରୁରୀକାଳୀନ ପରିସ୍ଥିତି ବା ଏମର୍ଜେନ୍ସି ପ୍ରସଙ୍ଗ ଉଠାଇବା ପୂର୍ବରୁ ରାହୁଲ ନିଜ ଜେଜେମା’ଙ୍କ ଶାସନକାଳକୁ ମନେ ପକାଇବା ଉଚିତ ବୋଲି ସେ କହିଛନ୍ତି । ଲୋକେ ଅରାଜକତାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ମଧ୍ୟ ବିଜେପି ନେତା ଦାବି କରିଛନ୍ତି ।

