‘ଦର୍ଶନ କରିବାକୁ ଆସିଥିଲେ, ଗଲେ କୁଆଡ଼େ?’ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ବାହାରେ ୩ ପରିବାରଙ୍କ ହଙ୍ଗାମା

କାସଗଞ୍ଜ ଜିଲ୍ଲାର ଆବାସ ବିକାଶ କଲୋନୀର ୧୬ ବର୍ଷୀୟ ମୟଙ୍କ ଗତ ଅଗଷ୍ଟ ୭ ତାରିଖରେ ଘରୁ ବାହାରିଥିଲେ। ସେ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ ପାଇଁ ବୃନ୍ଦାବନ ଯାଉଥିବା କହିଥିଲେ।

ବୃନ୍ଦାବନସ୍ଥିତ ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ରାଧା କେଲି କୁଞ୍ଜ ଆଶ୍ରମକୁ ନେଇ ନୂଆ ବିବାଦ ଦେଖାଦେଇଛି। ଆଶ୍ରମରୁ ଜଣେ ଶିଷ୍ୟଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ନିଜ ପରିଜନଙ୍କୁ ଖୋଜି ତିନିଟି ପରିବାର ଆଶ୍ରମ ବାହାରେ ପହଞ୍ଚି ହଙ୍ଗାମା କରିଛନ୍ତି। ପରିବାରଗୁଡ଼ିକ ନାରାବାଜି କରି ନିଖୋଜ ସଦସ୍ୟଙ୍କୁ ଖୋଜିବା ପାଇଁ ଦାବି କରିଛନ୍ତି। ପରିବାରଗୁଡ଼ିକର ଅଭିଯୋଗ ଅନୁସାରେ, ସେମାନଙ୍କ ପରିଜନ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ କରିବା ପାଇଁ ବୃନ୍ଦାବନ ଆସିଥିଲେ। କିନ୍ତୁ ଏହା ପରେ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇନାହିଁ ଏବଂ ସେମାନେ କେଉଁଠି ଅଛନ୍ତି, ତାହାର ମଧ୍ୟ କୌଣସି ସୁରାକ ମିଳୁନାହିଁ।

କାସଗଞ୍ଜ ଜିଲ୍ଲାର ଆବାସ ବିକାଶ କଲୋନୀର ୧୬ ବର୍ଷୀୟ ମୟଙ୍କ ଗତ ଅଗଷ୍ଟ ୭ ତାରିଖରେ ଘରୁ ବାହାରିଥିଲେ। ସେ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ ପାଇଁ ବୃନ୍ଦାବନ ଯାଉଥିବା କହିଥିଲେ। ହେଲେ ଏହା ପରଠାରୁ ସେ ଘରକୁ ଫେରିନଥିବା ପରିବାରର ଦାବି। ସେହିପରି ମହାରାଷ୍ଟ୍ରର ସମ୍ଭାଜୀନଗରରୁ ଆସିଥିବା ଉଜ୍ଜ୍ୱଳା ନାମକ ଜଣେ ମହିଳା ମଧ୍ୟ ନିଖୋଜ ପରିବାର ସଦସ୍ୟଙ୍କୁ ଖୋଜୁଛନ୍ତି। ମଥୁରାର ଦେବୀ ଆଟସ୍ ଅଞ୍ଚଳର ଆଉ ଏକ ପରିବାର ମଧ୍ୟ ନିଜ ନିଖୋଜ ସଦସ୍ୟଙ୍କ ସନ୍ଧାନରେ ଆଶ୍ରମ ନିକଟରେ ପହଞ୍ଚିଛି।

ଅନ୍ୟପକ୍ଷରେ, ଆଶ୍ରମ ସହ ଜଡ଼ିତ ସେବାଦାରମାନେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା କଥା, ପ୍ରେମାନନ୍ଦ ମହାରାଜ ଓ ଆଶ୍ରମର ଛବିକୁ ବଦନାମ କରିବା ପାଇଁ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। ତେବେ ପରିଜନ ଓ ସ୍ଥାନୀୟ ସାମ୍ବାଦିକମାନେ ପ୍ରଶ୍ନ କରିବା ବେଳେ ଆଶ୍ରମ ପରିଚାଳନାର କୌଣସି ଦାୟିତ୍ୱବାନ ବ୍ୟକ୍ତି ଆନୁଷ୍ଠାନିକ ଭାବେ ମତ ଦେବାରୁ ଦୂରେଇ ରହିଥିବା ଅଭିଯୋଗ ହୋଇଛି। ନିଖୋଜ ବ୍ୟକ୍ତିମାନେ କେଉଁଠି ଅଛନ୍ତି ଓ ଘଟଣା ପଛର ପ୍ରକୃତ କାରଣ କ’ଣ, ତାହା ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *