ଭାରତ ଏବେ ପଦକ ତାଲିକାର ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ତେବେ କିଛି ଦେଶର କିଛି ଇଭେଣ୍ଟ ରବିବାର ଖେଳାଯିବାକୁ ଥିବାରୁ ଅନ୍ତିମ ପଦକ ତାଲିକାରେ ପରିବର୍ତ୍ତନ ହୋଇପାରେ।
ଜାପାନର ଆଇଚି-ନାଗୋୟାରେ ଆୟୋଜିତ ଏସିଆନ୍ ଗେମ୍ସ ୨୦୨୬ରେ ଭାରତ ନିଜ ଅଭିଯାନକୁ ଶାନଦାର ଢଙ୍ଗରେ ଶେଷ କରିଛି। ଶନିବାର ପ୍ରତିଯୋଗିତାର ଶେଷ ଦିନରେ ଭାରତୀୟ କ୍ରୀଡ଼ାବିତ୍ମାନେ ଜବରଦସ୍ତ ପ୍ରଦର୍ଶନ କରି ମୋଟ ୯ଟି ପଦକ ଜିତିଛନ୍ତି। ଏଥିରେ ୫ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ୨ଟି କାଂସ୍ୟ ପଦକ ରହିଛି। ଫଳରେ ଭାରତର ମୋଟ ପଦକ ସଂଖ୍ୟା ୮୫ରେ ପହଞ୍ଚିଛି। ଏଥିରେ ୨୧ ସ୍ୱର୍ଣ୍ଣ, ୨୭ ରୌପ୍ୟ ଓ ୩୭ କାଂସ୍ୟ ପଦକ ରହିଛି।
ଭାରତ ଏବେ ପଦକ ତାଲିକାର ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ତେବେ କିଛି ଦେଶର କିଛି ଇଭେଣ୍ଟ ରବିବାର ଖେଳାଯିବାକୁ ଥିବାରୁ ଅନ୍ତିମ ପଦକ ତାଲିକାରେ ପରିବର୍ତ୍ତନ ହୋଇପାରେ। ଭାରତ ପାଇଁ ଦିନର ଅନ୍ୟତମ ବଡ଼ ଆକର୍ଷଣ ଥିଲେ ୧୭ ବର୍ଷୀୟ ତୀରନ୍ଦାଜ କୁମକୁମ ମୋହୋଡ। ମହିଳା ରିକର୍ଭ ବ୍ୟକ୍ତିଗତ ବର୍ଗର ରୋମାଞ୍ଚକର ଶୁଟ୍-ଅଫ୍ରେ ଦକ୍ଷିଣ କୋରିଆର ଓ ୟେଜିନ୍ଙ୍କୁ ପରାସ୍ତ କରି ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।
ଗଲ୍ଫରେ ପ୍ରଣବୀ ଶରଥ ଉର୍ସ ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍ ପ୍ଲେରେ ୧୫-ଅଣ୍ଡର-ପାର୍ ସ୍କୋର ସହ ସ୍ୱର୍ଣ୍ଣ ଜିତିଥିଲେ। କୁସ୍ତିରେ ଅମନ ସେହରାୱତ ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗରେ ଉତ୍ତର କୋରିଆର ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଥିଲେ। ପୁରୁଷ ହକି ଦଳ ଫାଇନାଲରେ ମାଲେସିଆକୁ ୫-୧ ଗୋଲ୍ରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଥର ସ୍ୱର୍ଣ୍ଣ ପଦକ ହାତେଇଛି। ସେହିପରି ପୁରୁଷ କ୍ରିକେଟ୍ ଫାଇନାଲରେ ପାକିସ୍ତାନକୁ ୧୯ ରନ୍ରେ ହରାଇ ଭାରତ ସ୍ୱର୍ଣ୍ଣ ଜିତିଛି।
ମହିଳା ଗଲ୍ଫ ଟିମ୍ ଇଭେଣ୍ଟରେ ଭାରତ ୧୪-ଅଣ୍ଡର ୫୪୬ ସ୍କୋର ସହ ରୌପ୍ୟ ଜିତିଥିଲା। କୁସ୍ତିରେ ଅନ୍ତିମ ପଂଘାଲ ୫୩ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ହାସଲ କରିଥିବାବେଳେ ଦୀପକ ପୁନିଆ ୯୭ କିଲୋଗ୍ରାମ ଫ୍ରିଷ୍ଟାଇଲ୍ରେ କାଂସ୍ୟ ଜିତିଛନ୍ତି। ତୀରନ୍ଦାଜୀରେ ନୀରଜ ଚୌହାନ୍ ହମ୍ଦେଶୀୟ ଧୀରଜ ବୋମ୍ମଦେବରାଙ୍କୁ ୬-୪ରେ ହରାଇ କାଂସ୍ୟ ପଦକ ଜିତିଥିଲେ। ଏହି ଏସିଆନ୍ ଗେମ୍ସରେ ୪୯୫ ଜଣ ଭାରତୀୟ ଆଥଲେଟ୍ ୩୬ଟି କ୍ରୀଡ଼ାରେ ଭାଗ ନେଇ ଦେଶ ପାଇଁ ଗୌରବ ଆଣିଛନ୍ତି।

