କାବୁଲସ୍ଥିତ ଏକ ସରକାରୀ ଡାକ୍ତରଖାନା ପାଇଁ ଜରୁରୀ ଜୀବନରକ୍ଷାକାରୀ ଔଷଧ ଏବଂ ଚିକିତ୍ସା ଉପକରଣର ଏକ ନୂଆ କନସାଇନମେଣ୍ଟ ପଠାଯାଇଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏକ ଦାୟିତ୍ୱବାନ ପଡ଼ୋଶୀ ରାଷ୍ଟ୍ର ଭାବେ ନିଜର କର୍ତ୍ତବ୍ୟ ନିର୍ବାହ କରି ଭାରତ ପୁଣି ଥରେ ସଙ୍କଟଗ୍ରସ୍ତ ଆଫଗାନିସ୍ତାନକୁ ମାନବୀୟ ସହାୟତା ଯୋଗାଇ ଦେଇଛି । କାବୁଲସ୍ଥିତ ଏକ ସରକାରୀ ଡାକ୍ତରଖାନା ପାଇଁ ଜରୁରୀ ଜୀବନରକ୍ଷାକାରୀ ଔଷଧ ଏବଂ ଚିକିତ୍ସା ଉପକରଣର ଏକ ନୂଆ କନସାଇନମେଣ୍ଟ ପଠାଯାଇଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ରଣଧୀର ଜୟସୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ସୂଚନା ଦେଇ କହିଛନ୍ତି ଯେ ଆଫଗାନବାସୀଙ୍କ କଲ୍ୟାଣ ତଥା ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ଭାରତର ମାନବୀୟ ସହାୟତା ନିରନ୍ତର ଜାରି ରହିଛି ।
ଆଫଗାନିସ୍ତାନର ସାଧାରଣ ନାଗରିକଙ୍କୁ ଚିକିତ୍ସା ସହାୟତା ଯୋଗାଇବାରେ ଭାରତ ସର୍ବଦା ଆଗଧାଡ଼ିରେ ରହିଆସିଛି । ବିଗତ ଦୁଇ ମାସ ମଧ୍ୟରେ ଭାରତ ବାରମ୍ବାର ଏଭଳି ଅତ୍ୟାବଶ୍ୟକ ସାମଗ୍ରୀ ପଠାଇଛି । ଅଗଷ୍ଟ ୨୦ ତାରିଖରେ କାବୁଲର ଏକ ସରକାରୀ ଡାକ୍ତରଖାନାକୁ ଜୀବନରକ୍ଷାକାରୀ ଔଷଧ ହସ୍ତାନ୍ତର କରାଯାଇଥିବା ବେଳେ ସେପ୍ଟେମ୍ବର ମାସ ପ୍ରାରମ୍ଭରେ ମ୍ୟାଲେରିଆ, ଡେଙ୍ଗୁ ଏବଂ ଅନ୍ୟାନ୍ୟ ସଂକ୍ରାମକ ରୋଗର ମୁକାବିଲା ଲାଗି ଭାରତ ପ୍ରାୟ ୧୬ ମେଟ୍ରିକ୍ ଟନରୁ ଅଧିକ ଔଷଧ ଓ ଡାଇଗ୍ନୋଷ୍ଟିକ୍ କିଟ୍ ସେଠାକାର ସାର୍ବଜନୀନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପ୍ରଦାନ କରିଥିଲା । ଆଫଗାନିସ୍ତାନରେ ମହାମାରୀ ଓ ରୋଗ ନିୟନ୍ତ୍ରଣ କରିବା ସହ ସାଧାରଣ ଲୋକଙ୍କ ଜୀବନ ରକ୍ଷା କରିବା ଏହି ମାନବୀୟ ସହାୟତାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଭାରତ ସ୍ପଷ୍ଟ କରିଛି ।
ଏହାପୂର୍ବରୁ ଗତ ଜୁନ୍ ମାସରେ ମଧ୍ୟ ଭାରତ କାବୁଲକୁ ୫ ଟନ୍ ଜରୁରୀ ଔଷଧ ପଠାଇଥିଲା । ସେହିପରି ମେ’ ୨୨ ତାରିଖରେ ଆଫଗାନ ଶିଶୁମାନଙ୍କ ଟିକାକରଣ କାର୍ଯ୍ୟକ୍ରମକୁ ବଳ ଯୋଗାଇବା ପାଇଁ ଭାରତ ପକ୍ଷରୁ ୨୦ ଟନ୍ ବିସିଜି ଏବଂ ଟିଡି ଟିକା ସାମଗ୍ରୀ ପ୍ରଦାନ କରାଯାଇଥିଲା । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କ ବହୁ ପୁରାତନ। ବିଗତ ଏକ ବର୍ଷ ମଧ୍ୟରେ କୂଟନୈତିକ ଆଲୋଚନା, ମାନବୀୟ ସହାୟତା ଏବଂ ବିକାଶମୂଳକ ସହଯୋଗ ମାଧ୍ୟମରେ ଏହି ସମ୍ପର୍କ ଆହୁରି ସୁଦୃଢ଼ ହୋଇଛି ଏବଂ ଆଗାମୀ ଦିନରେ ମଧ୍ୟ ଏହି ପ୍ରାଥମିକତା ଆଧାରରେ ସହଯୋଗ ଜାରି ରହିବ ।

