ଟିଏମସି ନାମ-ଚିହ୍ନ ବିବାଦ: ଇସିଙ୍କୁ ସମୟସୀମା ଜଣାଇବାକୁ କହିଲେ ସୁପ୍ରିମକୋର୍ଟ

ଟିଏମସିର ମୂଳ ନାମ ଓ ‘ଘାସ-ଫୁଲ’ ନିର୍ବାଚନୀ ଚିହ୍ନକୁ ଇସି ଅନ୍ତରୀଣ ଭାବେ ଫ୍ରିଜ୍ କରିବା ନିଷ୍ପତ୍ତିକୁ ମମତା ବାନାର୍ଜୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଆଜିର ଶୁଣାଣିରେ ସୁପ୍ରିମକୋର୍ଟ ଇସିଙ୍କୁ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ କେତେ ସମୟ ଆବଶ୍ୟକ, ତାହା ଜଣାଇବାକୁ କହିଛନ୍ତି।

ତୃଣମୂଳ କଂଗ୍ରେସର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ଚାଲିଥିବା ବିବାଦରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ନିର୍ବାଚନ କମିସନଙ୍କ ଅନ୍ତରୀଣ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରିଥିବା ଆବେଦନର ଶୁଣାଣି କରି ଶୀର୍ଷ ଅଦାଲତ ନିର୍ବାଚନ କମିସନଙ୍କୁ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ କେତେ ସମୟ ଆବଶ୍ୟକ, ତାହା ଜଣାଇବାକୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୮ରେ ହେବ । ଚିଫ୍ ଜଷ୍ଟିସ୍ ସୂର୍ୟ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଅଦାଲତ ନିର୍ବାଚନ କମିସନଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଉଭୟ ପକ୍ଷଙ୍କୁ ନିଜ ନିଜ ପ୍ରମାଣ ଓ ଦସ୍ତାବିଜ ରଖିବା ପାଇଁ ଯଥେଷ୍ଟ ସୁଯୋଗ ଦିଆଯିବା ସହ ମାମଲାକୁ ଅନାବଶ୍ୟକ ଭାବେ ଦୀର୍ଘ କରାଯିବା ଉଚିତ ନୁହେଁ। ତେଣୁ ଏକ ବାସ୍ତବସମ୍ମତ ସମୟସୀମା ବିଷୟରେ ଅଦାଲତକୁ ଅବଗତ କରାଇବାକୁ କୁହାଯାଇଛି ।

କାହିଁକି ଫ୍ରିଜ୍ ହେଲା ଟିଏମସିର ନାମ ଓ ଚିହ୍ନ?

ତୃଣମୂଳ କଂଗ୍ରେସ ଭିତରେ ସୃଷ୍ଟି ହୋଇଥିବା ଦୁଇ ଗୋଷ୍ଠୀର ବିବାଦ ପରେ ନିର୍ବାଚନ କମିସନ ଏହି ପଦକ୍ଷେପ ନେଇଛନ୍ତି। ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ ନାମ ଏବଂ ପାରମ୍ପରିକ ‘ଘାସ-ଫୁଲ’ ଚିହ୍ନ ଉପରେ ଉଭୟ ପକ୍ଷ ଦାବି କରିଥିବାରୁ ଇସି ଏହାକୁ ଅନ୍ତରୀଣ ଭାବେ ଫ୍ରିଜ୍ କରିଛି। ଚୂଡ଼ାନ୍ତ ନିଷ୍ପତ୍ତି ନହେବା ପର୍ୟ୍ୟନ୍ତ ଦୁଇ ଗୋଷ୍ଠୀ ମୂଳ ନାମ ଓ ଚିହ୍ନ ବ୍ୟବହାର କରିପାରିବେ ନାହିଁ।

ଏହା ପରେ ଆଗାମୀ ପଶ୍ଚିମବଙ୍ଗ ଉପନିର୍ବାଚନକୁ ଦୃଷ୍ଟିରେ ରଖି ଇସି ଉଭୟ ଗୋଷ୍ଠୀକୁ ଅଲଗା ନାମ ଓ ଚିହ୍ନ ଦେଇଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀକୁ ‘ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ସହ ‘ଫୁଟବଲ୍ ପ୍ଲେୟର୍’ ଚିହ୍ନ ଦିଆଯାଇଥିବା ବେଳେ ଅନ୍ୟ ଗୋଷ୍ଠୀକୁ ‘ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ’ ନାମ ସହ ‘ଲିଫାଫା’ ଚିହ୍ନ ଦିଆଯାଇଛି। ଏହି ବ୍ୟବସ୍ଥା ଅନ୍ତରୀଣ ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ନଆସିବା ପର୍ୟ୍ୟନ୍ତ ଲାଗୁ ରହିବ।

ସୁପ୍ରିମକୋର୍ଟରେ କ’ଣ କହିଲେ କପିଲ ସିବ୍ବଲ?

ମମତା ବାନାର୍ଜୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ନିର୍ବାଚନ କମିସନଙ୍କ ନିଷ୍ପତ୍ତିର ସମୟକୁ ନେଇ ପ୍ରଶ୍ନ ଉଠାଇଥିଲେ। ତାଙ୍କ ଯୁକ୍ତି ଥିଲା, ଉପନିର୍ବାଚନ କାର୍ୟ୍ୟକ୍ରମ ଘୋଷଣା ହୋଇସାରିବା ପରେ ଇସି ଏଭଳି ଅନ୍ତରୀଣ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଯଦି ପୂର୍ବରୁ, ଅର୍ଥାତ୍ ଜୁଲାଇରେ ନିଆଯାଇଥାନ୍ତା, ତେବେ ଏହା ବିରୋଧରେ ଆଇନଗତ ପଦକ୍ଷେପ ନେବା ପାଇଁ ତାଙ୍କ ପକ୍ଷକୁ ଅଧିକ ସମୟ ମିଳିଥାନ୍ତା। ସିବ୍ବଲ ଏହା ମଧ୍ୟ ଯୁକ୍ତି ଦେଇଥିଲେ ଯେ, ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଦଳର ନାମ ଓ ଚିହ୍ନକୁ ନେଇ ଏଭଳି ନିଷ୍ପତ୍ତି ହେଲେ ଦଳ ପାଖରେ ପ୍ରଭାବୀ ଆଇନଗତ ପ୍ରତିକାରର ସୁଯୋଗ ସୀମିତ ହୋଇପାରେ। ତେଣୁ ଇସି ମାମଲାକୁ ଶୀଘ୍ର ଶୁଣାଣି କରି ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ସେ ଦାବି କରିଥିଲେ।

ଇସି ପକ୍ଷରୁ କ’ଣ ଯୁକ୍ତି?

ଅନ୍ୟପଟେ, ନିର୍ବାଚନ କମିସନଙ୍କ ପକ୍ଷରୁ ଉପସ୍ଥିତ ଆଇନଜୀବୀ ଅତ୍ୟଧିକ କମ୍ ସମୟ ମଧ୍ୟରେ ମାମଲାର ନିଷ୍ପତ୍ତି ନେବା ପାଇଁ ସମୟସୀମା ଧାର୍ୟ୍ୟ କରିବା ଉପରେ ଆପତ୍ତି ଜଣାଇଥିଲେ। ଉଭୟ ପକ୍ଷର ଦସ୍ତାବିଜ ଓ ପ୍ରମାଣର ବିଚାର ପାଇଁ ଯଥେଷ୍ଟ ସମୟ ଆବଶ୍ୟକ ବୋଲି ଇସି ପକ୍ଷରୁ କୁହାଯାଇଥିଲା। ତେବେ ମାମଲାକୁ ଶୀଘ୍ର ନିଷ୍ପତ୍ତି କରିବାରେ କମିସନଙ୍କର ମୌଳିକ ଆପତ୍ତି ନଥିବା କଥା ମଧ୍ୟ ଅଦାଲତରେ ଜଣାଯାଇଛି।

ସୁପ୍ରିମକୋର୍ଟ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଉଭୟ ପକ୍ଷକୁ ନିଜ ନିଜ ପ୍ରମାଣ ରଖିବାର ସୁଯୋଗ ଦିଆଯିବା ଦରକାର। କିନ୍ତୁ ଏହା ସହ ମାମଲାକୁ ଅନିର୍ଦ୍ଦିଷ୍ଟ ସମୟ ପର୍ୟ୍ୟନ୍ତ ଝୁଲାଇ ରଖାଯିବା ଉଚିତ ନୁହେଁ ବୋଲି ଖଣ୍ଡପୀଠର ଆଲୋଚନାରୁ ସ୍ପଷ୍ଟ ହୋଇଛି। ଏହି ବିବାଦର ଗୁରୁତ୍ୱ ଆଗାମୀ ପଶ୍ଚିମବଙ୍ଗ ଉପନିର୍ବାଚନ ଦୃଷ୍ଟିରୁ ମଧ୍ୟ ବଢ଼ିଛି। ନନ୍ଦୀଗ୍ରାମ ଓ ରେଜିନଗର ସମେତ ନିର୍ଦ୍ଧାରିତ ଉପନିର୍ବାଚନ ପୂର୍ବରୁ ଦଳର ନାମ ଓ ଚିହ୍ନକୁ ନେଇ ଚାଲିଥିବା ବିବାଦରେ ସୁପ୍ରିମକୋର୍ଟର ପରବର୍ତ୍ତୀ ଶୁଣାଣି ଉପରେ ନଜର ରହିଛି।

Leave a Reply

Your email address will not be published. Required fields are marked *