ତିରୁପତି ଲଡ଼ୁ ପ୍ରସାଦକୁ ନେଇ ପୁଣି ବଢ଼ିଲା ଚର୍ଚ୍ଚା । ଲଡ଼ୁ ପ୍ରସ୍ତୁତିରେ ବ୍ୟବହୃତ ଘିଅରେ କଥିତ ମିଶାଣ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଛି ଇଡି । ସୁକୃତି ଫୁଡ୍ସର ପ୍ରମୋଟର କୈଳାସ ଚନ୍ଦ୍ର ମଙ୍ଗଲାଙ୍କୁ ଗିରଫ କରିଛି ଇଡି ।
ତିରୁପତି ଲଡ଼ୁ ପ୍ରସାଦକୁ ନେଇ ପୁଣି ବଢ଼ିଲା ଚର୍ଚ୍ଚା । ଲଡ଼ୁ ପ୍ରସ୍ତୁତିରେ ବ୍ୟବହୃତ ଘିଅରେ କଥିତ ମିଶାଣ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଛି ଇଡି । ସୁକୃତି ଫୁଡ୍ସର ପ୍ରମୋଟର କୈଳାସ ଚନ୍ଦ୍ର ମଙ୍ଗଲାଙ୍କୁ ଗିରଫ କରିଛି ଇଡି । ତାଙ୍କ ଉପରେ ମିଶାଣ ପାଇଁ ବ୍ୟବହୃତ ସାମଗ୍ରୀ ଯୋଗାଡ଼ କରିବା ଏବଂ ନକଲି ଘିଅକୁ ଅସଲି ଗାଈ ଘିଅ ଭାବେ ଯୋଗାଣ କରିବାର ଅଭିଯୋଗ ରହିଛି ।
ଘଟଣା କ’ଣ?
ଇଡିର ଦାବି ଅନୁସାରେ, ୨୦୧୯ରୁ ୨୦୨୪ ମଧ୍ୟରେ ତିରୁମଲା ତିରୁପତି ଦେବସ୍ଥାନମ୍ ବା TTDକୁ ଯେଉଁ ଘିଅ ଯୋଗାଣ ହୋଇଥିଲା, ସେଥିରେ କଥିତ ଭାବେ ମିଶାଣ କରାଯାଇଥିଲା । ଏହି ଘିଅକୁ Agmark Special Grade Cow Ghee ଭାବେ ଯୋଗାଣ କରାଯାଇଥିବା ଇଡି ଅଭିଯୋଗ କରିଛି ।
ଘିଅରେ କ’ଣ ମିଶାଯାଇଥିବା ଅଭିଯୋଗ?
ଇଡି କହିଛି, କଥିତ ମିଶାଣ ଘିଅ ପ୍ରସ୍ତୁତିରେ ରିଫାଇନ୍ଡ ପାମ୍ ଅଏଲ୍, ପାମ୍ କର୍ଣ୍ଣେଲ୍ ଅଏଲ୍, ପାମୋଲିନ୍ ସହିତ MG-90, ମୋନୋଗ୍ଲିସେରାଇଡ୍ସ, Myvacet Soft 400 ଏବଂ ଏସିଟିକ୍ ଏସିଡ୍ ଏଷ୍ଟର ଭଳି କେମିକାଲ୍ ବ୍ୟବହାର ହୋଇଥିବା ଦାବି କରିଛି ।
କେତେ ଟଙ୍କାର ମାମଲା?
ଇଡି ଅନୁସାରେ, ୨୦୧୯ରୁ ୨୦୨୪ ମଧ୍ୟରେ TTDକୁ ହୋଇଥିବା କଥିତ ଜାଲିଆତିପୂର୍ଣ୍ଣ ଘିଅ ଯୋଗାଣର ମୂଲ୍ୟ ପ୍ରାୟ ୨୩୦ କୋଟି ଟଙ୍କା । ଏଥିରୁ ପ୍ରାୟ ୯୬ କୋଟି ଟଙ୍କାର କଥିତ ମିଶାଣ ଘିଅ ମଙ୍ଗଲାଙ୍କ କାରଖାନାରେ ପ୍ରସ୍ତୁତ ହୋଇଥିବା ଏଜେନ୍ସି ଦାବି କରିଛି ।
କେମିତି ହେଉଥିଲା ଯୋଗାଣ?
ଇଡିର ଅଭିଯୋଗ ହେଉଛି, ମଙ୍ଗଲା ବିଭିନ୍ନ ସଂସ୍ଥା ମାଧ୍ୟମରେ ଏହି କଥିତ ମିଶାଣ ଘିଅର ଯୋଗାଣକୁ ସମନ୍ୱୟ କରୁଥିଲେ । ଏହାସହ ଘିଅ ଓ ରିଫାଇନ୍ଡ ପାମ୍ ଅଏଲ୍ର କ୍ରୟ-ବିକ୍ରୟ ସମ୍ପର୍କିତ ଭୁଲ୍ ରେକର୍ଡ ତିଆରି କରିଥିବା ମଧ୍ୟ ଏଜେନ୍ସି ଅଭିଯୋଗ କରିଛି ।
ଗିରଫ ପରେ କ’ଣ ହେଲା?
ସେପ୍ଟେମ୍ବର ୧୭ରେ ହାଇଦ୍ରାବାଦରେ ଇଡି କୈଳାସ ଚନ୍ଦ୍ର ମଙ୍ଗଲାଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ ବିଶାଖାପାଟଣାର ସ୍ୱତନ୍ତ୍ର PMLA କୋର୍ଟରେ ହାଜର କରାଯାଇଥିଲା ଏବଂ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।
ଏହା ପ୍ରଥମ ଗିରଫ ନୁହେଁ ।
ଏହି ମାମଲାରେ ଇଡି ପୂର୍ବରୁ ଭୋଲେ ବାବା ଅର୍ଗାନିକ୍ ଡେୟରୀ ମିଲ୍କର ପ୍ରମୋଟର ତଥା ନିର୍ଦ୍ଦେଶକ ବିପିନ୍ ଜୈନ୍ଙ୍କୁ ମଧ୍ୟ ଗିରଫ କରିଥିବା ଜଣାପଡ଼ିଛି।

