‘ପିଲାଙ୍କୁ ଶିକ୍ଷକ ଦରକାର, ଏଆଇ ନୁହେଁ’ : ଏହି ଦେଶର ସ୍କୁଲଗୁଡ଼ିକରେ AI ବ୍ୟବହାର ବ୍ୟାନ୍

ଏହି ପ୍ରତିବନ୍ଧକ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬ ଲକ୍ଷ ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବ। ତେବେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ କିଛି ସୀମିତ କ୍ଷେତ୍ରରେ ଏଆଇ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । ଅନ୍ୟପଟେ ଶିକ୍ଷକମାନଙ୍କୁ ପାଠ୍ୟ ଯୋଜନା ପ୍ରସ୍ତୁତ କରିବା ଏବଂ ସମୟ ନିର୍ଦ୍ଧାରଣ ଭଳି ପ୍ରଶାସନିକ କାର୍ଯ୍ୟ ପାଇଁ ଏଆଇ ବ୍ୟବହାର କରିବାକୁ ଅନୁମତି ମିଳିଛି ।

ଶ୍ରେଣୀଗୃହରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ (AI) ର ବ୍ୟବହାରକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ନ୍ୟୁୟର୍କ ସିଟି ମେୟର ଜୋହରାନ ମାମଦାନୀ । ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନେ ଏଆଇ ବ୍ୟବହାର କରିବା ଉପରେ ସେ ଗୋଟିଏ ବର୍ଷ ପାଇଁ ପ୍ରତିବନ୍ଧକ ଘୋଷଣା କରିଛନ୍ତି । ଶିକ୍ଷା କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରଭାବ ଏବଂ ଏହାର ସଠିକ୍ ମାର୍ଗଦର୍ଶିକା ସ୍ଥିର କରିବା ପାଇଁ ସରକାରୀ ସ୍ତରରେ ଏହି ପଦକ୍ଷେପ ନିଆଯାଇଛି ।

ମେୟର ମାମଦାନୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଶିଖିବା ଏବଂ ବଢ଼ିବା ପାଇଁ ପିଲାମାନଙ୍କୁ ଶିକ୍ଷକ ଏବଂ ମାନବୀୟ ସଂଯୋଗର ସବୁଠାରୁ ଅଧିକ ଆବଶ୍ୟକତା ରହିଛି । ପିଲାମାନେ ସେମାନଙ୍କ ସାଥୀମାନଙ୍କ ସହିତ ମିଶି ଦକ୍ଷତା ବିକାଶ କରିବା, ଶିକ୍ଷକମାନଙ୍କ ସହିତ ସମ୍ପର୍କ ଗଢ଼ିବା ଏବଂ ନିଜେ କଠିନ ସମସ୍ୟାର ସମାଧାନ କରିବା ଶିଖିବା ଉଚିତ। ଏହି ପ୍ରକ୍ରିୟାରେ ଏଆଇ ଏକ ବାଧା ସୃଷ୍ଟି କରୁଥିବା ଅନୁଭବ କରି ମେୟର ଏଭଳି କଠୋର ପଦକ୍ଷେପ ନେଇଛନ୍ତି। ଏହି ନିଷ୍ପତ୍ତି ଫଳରେ ନ୍ୟୁୟର୍କ ସିଟିର ଶ୍ରେଣୀଗୃହଗୁଡ଼ିକରେ ବର୍ତ୍ତମାନ ବ୍ୟବହାର ହେଉଥିବା ପ୍ରାୟ ୪୦ଟି ଶିକ୍ଷା ଉପକରଣ ବନ୍ଦ ହୋଇଯିବ ।

ଏହି ପ୍ରତିବନ୍ଧକ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬ ଲକ୍ଷ ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବ। ତେବେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ କିଛି ସୀମିତ କ୍ଷେତ୍ରରେ ଏଆଇ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । ଅନ୍ୟପଟେ ଶିକ୍ଷକମାନଙ୍କୁ ପାଠ୍ୟ ଯୋଜନା ପ୍ରସ୍ତୁତ କରିବା ଏବଂ ସମୟ ନିର୍ଦ୍ଧାରଣ ଭଳି ପ୍ରଶାସନିକ କାର୍ଯ୍ୟ ପାଇଁ ଏଆଇ ବ୍ୟବହାର କରିବାକୁ ଅନୁମତି ମିଳିଛି । ନ୍ୟୁୟର୍କ ବ୍ୟତୀତ ଲସ୍ ଆଞ୍ଜେଲସ୍ ଭଳି ଅନ୍ୟ କେତେକ ଜିଲ୍ଲା ମଧ୍ୟ ଏଆଇ ନୀତିଗୁଡ଼ିକର ସମୀକ୍ଷା କରୁଥିବା ଜଣାପଡ଼ିଛି । ତେବେ ଏହି ବ୍ୟାନକୁ ନେଇ ପ୍ରମୁଖ ଏଆଇ ଡେଭଲପର ଗୁଗୁଲ, ମାଇକ୍ରୋସଫ୍ଟ କିମ୍ବା ଆନ୍ଥ୍ରୋପିକ୍ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିନାହିଁ ।

Leave a Reply

Your email address will not be published. Required fields are marked *