ପାଲେଷ୍ଟାଇନୀ ରାଷ୍ଟ୍ରପତିଙ୍କ ଭିସା ପ୍ରତ୍ୟାଖ୍ୟାନ କଲା ଆମେରିକା, UNSCରେ ଭିଡିଓ ବାର୍ତ୍ତା ପ୍ରସ୍ତାବ ଉପରେ ଭୋଟିଂ

ଆମେରିକା ପାଲେଷ୍ଟାଇନୀ ରାଷ୍ଟ୍ରପତି ମହମୁଦ ଆବାସଙ୍କ ଭିସା ପ୍ରତ୍ୟାଖ୍ୟାନ କରିଛି। ଏହା ପରେ ଜାତିସଂଘ ସାଧାରଣ ପରିଷଦରେ ଆବାସଙ୍କୁ ଭିଡିଓ କନଫରେନ୍ସ କିମ୍ବା ରେକର୍ଡ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧନ କରିବାକୁ ଅନୁମତି ଦିଆଯିବ କି ନାହିଁ, ସେନେଇ ଭୋଟିଂ ହେବ।

ପାଲେଷ୍ଟାଇନୀ ରାଷ୍ଟ୍ରପତି ମହମୁଦ ଆବାସଙ୍କୁ ଆମେରିକା ଭିସା ଦେବାକୁ ମନା କରିଦେଇଛି । ଫଳରେ ନ୍ୟୁୟର୍କରେ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦର ବୈଠକରେ ଆବାସଙ୍କ ବ୍ୟକ୍ତିଗତ ଉପସ୍ଥିତି ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ଆମେରିକା ଓ ପାଲେଷ୍ଟାଇନୀ ଅଧିକାରୀମାନେ ଚଳିତ ସପ୍ତାହରେ ଭିସା ପ୍ରତ୍ୟାଖ୍ୟାନର ସୂଚନା ନିଶ୍ଚିତ କରିଛନ୍ତି ।

ଏହା ଲଗାତାର ଦ୍ୱିତୀୟ ବର୍ଷ, ଯେଉଁଥିରେ ଆବାସଙ୍କୁ ଜାତିସଂଘ ସାଧାରଣ ପରିଷଦରେ ଯୋଗଦେବା ପାଇଁ ନ୍ୟୁୟର୍କ ଯାତ୍ରା କରିବାରେ ବାଧା ସୃଷ୍ଟି ହୋଇଛି । ଏବେ ତାଙ୍କୁ ଭିଡିଓ କନଫରେନ୍ସ କିମ୍ବା ରେକର୍ଡ ଭିଡିଓ ବାର୍ତ୍ତା ମାଧ୍ୟମରେ ବୈଠକକୁ ସମ୍ବୋଧିତ କରିବାର ସୁଯୋଗ ଦିଆଯିବ କି ନାହିଁ, ସେନେଇ ଜାତିସଂଘରେ ପ୍ରସ୍ତାବ ଉପରେ ଭୋଟିଂ ହେବ।

ଗତ ମାସରେ ‘ଦ ଜେରୁସାଲେମ ପୋଷ୍ଟ’ ରିପୋର୍ଟ କରିଥିଲା ଯେ, ଟ୍ରମ୍ପ ପ୍ରଶାସନ ଆବାସଙ୍କୁ ସାଧାରଣ ପରିଷଦରେ ଯୋଗଦେବାରୁ ରୋକିବା ନେଇ ବିଚାର କରୁଛି । ଏବେ ଭିସା ପ୍ରତ୍ୟାଖ୍ୟାନ ପରେ ଆବାସଙ୍କ ପାଇଁ ନ୍ୟୁୟର୍କ ଯାଇ ସାଧାରଣ ପରିଷଦରେ ଉପସ୍ଥିତ ହେବା ସମ୍ଭବ ନୁହେଁ।

ଆମେରିକାର ବୈଦେଶିକ ବିଭାଗ ଏହା ସହ ପାଲେଷ୍ଟାଇନ ମୁକ୍ତି ସଂଗଠନ (PLO) ଏବଂ ପାଲେଷ୍ଟାଇନ କର୍ତ୍ତୃପକ୍ଷ (PA)ର କିଛି ଅଧିକାରୀଙ୍କ ଉପରେ ଭିସା କଟକଣା ବୃଦ୍ଧି କରିବା ଘୋଷଣା କରିଛି। ଆମେରିକାର ଅଭିଯୋଗ ଅନୁସାରେ, PLO ଓ PA ପୂର୍ବରୁ ଦେଇଥିବା କିଛି ପ୍ରତିଶ୍ରୁତି ପୂରଣ କରିନାହାନ୍ତି ।

ୱାସିଂଟନ ପକ୍ଷରୁ ପାଲେଷ୍ଟାଇନର ଅନ୍ତର୍ଜାତୀୟ ଅଦାଲତରେ ନିଆଯାଇଥିବା ପଦକ୍ଷେପ, ଆଲୋଚନା ବଦଳରେ ଏକପାଖିଆ ଭାବେ ଅନ୍ତର୍ଜାତୀୟ ସ୍ୱୀକୃତି ପାଇବାର ପ୍ରୟାସ ଏବଂ ଆତଙ୍କବାଦ ସମ୍ପର୍କିତ କିଛି ନୀତି ଓ ବକ୍ତବ୍ୟକୁ ଭିସା କଟକଣାର କାରଣ ଭାବେ ଦର୍ଶାଯାଇଛି। ତେବେ ଜାତିସଂଘରେ PLOର ପର୍ଯ୍ୟବେକ୍ଷକ ମିଶନ ସହ ଆନୁଷ୍ଠାନିକ ଭାବେ ଜଡିତ କର୍ମଚାରୀଙ୍କ ପାଇଁ ପୂର୍ବରୁ ଥିବା କିଛି ଛାଡ ବଳବତ୍ତର ରହିବ ।

ଗତବର୍ଷ ମଧ୍ୟ ଆମେରିକା ମହମୁଦ ଆବାସ ଓ ଅନ୍ୟ ବରିଷ୍ଠ ପାଲେଷ୍ଟାଇନୀ ଅଧିକାରୀଙ୍କୁ ଭିସା ଦେଇନଥିଲା । ଏହା ପରେ ଜାତିସଂଘ ସାଧାରଣ ପରିଷଦ ଏକ ସ୍ୱତନ୍ତ୍ର ପ୍ରସ୍ତାବ ପାସ୍ କରି ଆବାସଙ୍କୁ ରେକର୍ଡ ହୋଇଥିବା ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧନ କରିବାକୁ ଅନୁମତି ଦେଇଥିଲା । ସେହି ପ୍ରସ୍ତାବ ସପକ୍ଷରେ ୧୪୫ ଦେଶ ଭୋଟ ଦେଇଥିବା ବେଳେ ୫ ଦେଶ ବିରୋଧ କରିଥିଲେ ଏବଂ ୬ ଦେଶ ମତଦାନରୁ ବିରତ ରହିଥିଲେ। ବିରୋଧ କରିଥିବା ଦେଶମାନଙ୍କ ମଧ୍ୟରେ ଆମେରିକା ଓ ଇସ୍ରାଏଲ ଥିଲେ। ଏବେ ଚଳିତ ବର୍ଷ ମଧ୍ୟ ଆବାସଙ୍କୁ ଅନଲାଇନ୍‌ରେ ସାଧାରଣ ପରିଷଦକୁ ସମ୍ବୋଧିତ କରିବାର ସୁଯୋଗ ମିଳିବ କି ନାହିଁ, ତାହା ଉପରେ ନଜର ରହିଛି ।

Leave a Reply

Your email address will not be published. Required fields are marked *