ୟେମେନରେ ପୁଣି ଯୁଦ୍ଧ ତେଜ, ସାଉଦି F-15 ଖସାଇଥିବା ହାଉଥିଙ୍କ ଦାବି

ୟେମେନରେ ପୁଣି ତେଜ ହେଲା ସାଉଦି ଆରବ ଓ ହାଉଥି ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ । ମାରିବ ପ୍ରଦେଶର ଆକାଶରେ ସାଉଦି ଆରବର ଏକ F-15 ଯୁଦ୍ଧବିମାନକୁ ଖସାଇ ଦେଇଥିବା ଦାବି କରିଛନ୍ତି ହାଉଥି ବିଦ୍ରୋହୀ ।

 ୟେମେନରେ ପୁଣି ତେଜ ହେଲା ସାଉଦି ଆରବ ଓ ହାଉଥି ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ । ମାରିବ ପ୍ରଦେଶର ଆକାଶରେ ସାଉଦି ଆରବର ଏକ F-15 ଯୁଦ୍ଧବିମାନକୁ ଖସାଇ ଦେଇଥିବା ଦାବି କରିଛନ୍ତି ହାଉଥି ବିଦ୍ରୋହୀ । ଏଥିପାଇଁ ସେମାନେ ନିଜେ ତିଆରି କରିଥିବା ଏକ ଏୟାର-ଟୁ-ଏୟାର ମିସାଇଲ୍‌ ବ୍ୟବହାର କରିଥିବା କହିଛନ୍ତି । ହାଉଥିଙ୍କ ସାମରିକ ମୁଖପାତ୍ରଙ୍କ ଅନୁସାରେ, ସାଉଦି F-15 ୟେମେନର ମାରିବ ଅଞ୍ଚଳରେ ସାଉଦି ସାମରିକ କାର୍ଯ୍ୟକଳାପକୁ ସମର୍ଥନ କରି ଅପରେସନ୍‌ ଚଳାଉଥିଲା । ଏହି ସମୟରେ ହାଉଥି ବାହିନୀ ଏହାକୁ ଟାର୍ଗେଟ୍‌ କରିଥିବା ଦାବି କରିଛି । ଏହି ଘଟଣା ପରେ ହାଉଥି ସମର୍ଥିତ ମିଡିଆ ପକ୍ଷରୁ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି ।

ଭିଡିଓରେ ଆକାଶରେ ଏକ ଯୁଦ୍ଧବିମାନକୁ ଟ୍ରାକ୍‌ କରାଯାଉଥିବା ଦେଖାଯାଉଛି । ଏହାପରେ ମିସାଇଲ୍‌ ନିକ୍ଷେପ ଓ ବିସ୍ଫୋରଣ ଭଳି ଦୃଶ୍ୟ ଦେଖାଯାଉଛି । ପରବର୍ତ୍ତୀ ଦୃଶ୍ୟରେ ମରୁଭୂମି ଅଞ୍ଚଳରେ ଜଳିଯାଇଥିବା ବିମାନର ଭଗ୍ନାବଶେଷ ପଡ଼ିଥିବା ଦେଖାଯାଉଛି । ଭଗ୍ନାବଶେଷ ମଧ୍ୟରେ ସାଉଦି ପତାକା ଥିବା ବିମାନର ଅଂଶ ମଧ୍ୟ ଦେଖାଯାଇଛି । ହାଉଥିଙ୍କ ଦାବି ଅନୁସାରେ, ସାଉଦି ଯୁଦ୍ଧବିମାନଗୁଡ଼ିକ ମାରିବ, ତାଇଜ, ଲାହଜ, ଅଲ୍-ଜୌଫ, ହଜ୍ଜା, ସାଦା ଓ ଅଲ୍-ବାଇଦା ସମେତ ୟେମେନର ବିଭିନ୍ନ ଅଞ୍ଚଳରେ ଏୟାରଷ୍ଟ୍ରାଇକ୍‌ କରିଛନ୍ତି । ଏଥିରେ ସାଧାରଣ ଲୋକ ମୃତାହତ ହୋଇଥିବା ମଧ୍ୟ ହାଉଥିମାନେ ଦାବି କରିଛନ୍ତି ।

ଏହାପରେ ମାରିବ ଆକାଶରେ ଦୁଇଟି ସାଉଦି F-15 ଓ ଟାଇଫୁନ୍‌ ଯୁଦ୍ଧବିମାନର ଗ୍ରୁପ୍‌କୁ ଟାର୍ଗେଟ୍‌ କରାଯାଇଥିବା ହାଉଥି କହିଛି । ଆଉ ଏକ ଘଟଣାରେ ସାଉଦି ଆରବର Wing Loong 2 ଡ୍ରୋନ୍‌କୁ ମଧ୍ୟ ଖସାଇ ଦେଇଥିବା ଦାବି କରିଛି ସଂଗଠନ । ସେପଟେ ଏହି F-15 ଯୁଦ୍ଧବିମାନ ଖସିବା ନେଇ ସାଉଦି ଆରବ ପକ୍ଷରୁ କୌଣସି ସ୍ପଷ୍ଟ ନିଶ୍ଚିତକରଣ ଦିଆଯାଇଥିବା ତଥ୍ୟ ମିଳିନାହିଁ । ତେଣୁ ଯୁଦ୍ଧବିମାନଟି ବାସ୍ତବରେ ଖସିଛି କି ନାହିଁ, ଏହି ଦାବିକୁ ସ୍ୱାଧୀନ ଭାବେ ନିଶ୍ଚିତ କରାଯାଇନାହିଁ ।

୨୦୧୫ରୁ ସାଉଦି ଆରବ ନେତୃତ୍ୱାଧୀନ ମେଣ୍ଟ ଓ ହାଉଥି ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଚାଲିଆସୁଛି । ଗତ କିଛି ବର୍ଷରେ ହିଂସା କମିଥିବା ବେଳେ ଚଳିତ ମାସରେ ପୁଣି ସଂଘର୍ଷ ବଢ଼ିଥିବା ଦାବି ହେଉଛି । ଏହି ଉତ୍ତେଜନା ବଢ଼ିଲେ ମଧ୍ୟପ୍ରାଚ୍ୟର ସୁରକ୍ଷା ସହ ବିଶ୍ୱ ଶକ୍ତି ବଜାର ଉପରେ ମଧ୍ୟ ପ୍ରଭାବ ପଡ଼ିବା ନେଇ ଚିନ୍ତା ବଢ଼ିଛି ।

Leave a Reply

Your email address will not be published. Required fields are marked *