ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜନତା ଦଳର ପୂର୍ବତନ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କ ଜେଲ ସେଲରୁ ଜବତ ହୋଇଥିବା ମୋବାଇଲ୍ ଫୋନରୁ ବହୁ ପରିମାଣର ଅଶ୍ଳୀଳ ଭିଡିଓ ମିଳିଥିବା ଫୋରେନସିକ୍ ରିପୋର୍ଟରୁ ପଦାକୁ ଆସିଛି।
ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜନତା ଦଳର ପୂର୍ବତନ ସାଂସଦ ପ୍ରଜ୍ୱଲ ରେବନ୍ନାଙ୍କ ଜେଲ ସେଲରୁ ଜବତ ହୋଇଥିବା ମୋବାଇଲ୍ ଫୋନରୁ ବହୁ ପରିମାଣର ଅଶ୍ଳୀଳ ଭିଡିଓ ମିଳିଥିବା ଫୋରେନସିକ୍ ରିପୋର୍ଟରୁ ପଦାକୁ ଆସିଛି। ତାଙ୍କ ନିକଟରୁ ମିଳିଥିବା ପେନ୍ ଡ୍ରାଇଭରେ ମଧ୍ୟ ଏକାଧିକ ୱେବ୍ ସିରିଜ୍ ରହିଥିବା ଜଣାପଡ଼ିଛି।
ବେଙ୍ଗାଲୁରୁସ୍ଥିତ ପରପ୍ପନ ଅଗ୍ରହାର କେନ୍ଦ୍ରୀୟ କାରାଗାରର ହାଇ-ସିକ୍ୟୁରିଟି ବାରାକରେ ରହୁଥିବା ରେବନ୍ନାଙ୍କ ସେଲ୍ ଉପରେ ଗତ ଅଗଷ୍ଟ ୧୧ ତାରିଖରେ କ୍ରାଇମ୍ ବ୍ରାଞ୍ଚ ଅଧିକାରୀମାନେ ଚଢ଼ଉ କରିଥିଲେ। ଏହି ଚଢ଼ଉ ସମୟରେ ତାଙ୍କ ନିକଟରୁ ଗୋଟିଏ ମୋବାଇଲ୍ ଫୋନ୍, ଚାର୍ଜର, ପେନ୍ ଡ୍ରାଇଭ୍ ଏବଂ ଗୋଟିଏ ନୋଟବୁକ୍ ଜବତ କରାଯାଇଥିଲା। ମୋବାଇଲ୍ ଓ ପେନ୍ ଡ୍ରାଇଭକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏବେ ଏହି ସମ୍ବେଦନଶୀଳ ତଥ୍ୟ ପଦାକୁ ଆସିଛି। ଜେଲ୍ ଭିତରେ କୌଣସି ବି ମୋବାଇଲ୍ କିମ୍ବା ଇଲେକ୍ଟ୍ରୋନିକ୍ସ ଉପକରଣ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ଥିବା ବେଳେ, ଜଣେ ”ଭିଆଇପି” କଏଦୀଙ୍କୁ ଏଭଳି ବେଆଇନ୍ ସୁବିଧା ମିଳିବା ଘଟଣା ଜେଲ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣା ପରେ ଜଣେ ଜେଲ ଅଧିକାରୀଙ୍କୁ ନିଲମ୍ବିତ କରାଯିବା ସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବଗୌଡ଼ାଙ୍କ ନାତି ତଥା କେନ୍ଦ୍ରମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀଙ୍କ ପୁତୁରା ପ୍ରଜ୍ୱଲ ରେବନ୍ନାଙ୍କୁ ଗତବର୍ଷ ଦୁଷ୍କର୍ମ ଓ ଭିଡିଓ ଭାଇରାଲ୍ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତାଙ୍କ ଫାର୍ମହାଉସରେ କାମ କରୁଥିବା ଜଣେ ମହିଳାଙ୍କୁ ୨୦୨୧ରୁ କ୍ରମାଗତ ଦୁଷ୍କର୍ମ କରିବା ସହ ତାହାର ଭିଡିଓ ରେକର୍ଡିଂ କରି ଧମକ ଦେଉଥିବା ଅଭିଯୋଗରେ ସେ ଗିରଫ ହୋଇଥିଲେ।

