ଜୟପୁର ନିକଟ ଗୌଡ଼ଗୁଡ଼ାରେ ରୋଗୀ ସାଜି ଅବସରପ୍ରାପ୍ତ ଫାର୍ମାସିଷ୍ଟଙ୍କ ଘରେ ପଶି ୩ ଜଣ ଲୁଟେରା ବନ୍ଧୁକ ଦେଖାଇ ଲୁଟ୍ କରିଛନ୍ତି। ପରିବାରକୁ ବାନ୍ଧି ଦେଇ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଓ ୮ ତୋଳା ସୁନା ଅଳଙ୍କାର ନେଇଯାଇଥିବା ଅଭିଯୋଗ ହୋଇଛି। ଜୟପୁର ସଦର ଥାନା ପୋଲିସ ତଦନ୍ତ କରୁଛି।
ରୋଗୀ ସାଜି ଘରେ ପଶିଲେ । ଚିକିତ୍ସା କରାଇବା ବାହାନାରେ କବାଟ ଖୋଲାଇଲେ । ଆଉ ଘର ଭିତରକୁ ପଶିବା ପରେ ଅବସରପ୍ରାପ୍ତ ଫାର୍ମାସିଷ୍ଟ ଓ ତାଙ୍କ ପତ୍ନୀଙ୍କୁ ବାନ୍ଧି ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ୮ ତୋଳା ସୁନା ଅଳଙ୍କାର । ଜୟପୁର ସହର ନିକଟ ଗୌଡ଼ଗୁଡ଼ା ଅଞ୍ଚଳରେ ଗତକାଲି ରାତିରେ ଏଭଳି ଲୁଟ୍ ଘଟଣା ଘଟିଛି।
ସୂଚନା ଅନୁସାରେ, ଗୌଡ଼ଗୁଡ଼ାରେ ରହୁଥିବା ଅବସରପ୍ରାପ୍ତ ଫାର୍ମାସିଷ୍ଟ ନରସିଂହ ସାହୁଙ୍କ ଘର କବାଟକୁ ରାତିରେ ୩ ଜଣ ଲୋକ ବାଡ଼େଇଥିଲେ । ନିଜକୁ ଦୁର୍ଘଟଣାର ଶିକାର ହୋଇଥିବା ରୋଗୀ ବୋଲି ପରିଚୟ ଦେଇ ସେମାନେ ଚିକିତ୍ସା ପାଇଁ ସହାୟତା ମାଗିଥିଲେ। ରୋଗୀ ବୋଲି ଭାବି ନରସିଂହ ସାହୁ କବାଟ ଖୋଲିଥିଲେ ।
କବାଟ ଖୋଲିବା ପରେ ହଠାତ୍ ୩ ଜଣ ଲୁଟେରା ତାଙ୍କୁ ପଛପଟୁ ଜାବୁଡ଼ି ଧରିଥିଲେ। ପରେ ଗାମୁଛାରେ ତାଙ୍କ ହାତ, ଗୋଡ଼ ଓ ମୁହଁ ବାନ୍ଧି ଦେଇଥିଲେ । ଜଣେ ଲୁଟେରା ତାଙ୍କୁ ମାଡ଼ି ବସିଥିବା ବେଳେ ଅନ୍ୟ ଦୁଇଜଣ ଘର ଭିତରକୁ ପଶିଥିଲେ।
ଖଟରେ ଶୋଇଥିବା ନରସିଂହଙ୍କ ପତ୍ନୀ ପ୍ରେମଲତା ସାହୁଙ୍କ ବେକରୁ ମଙ୍ଗଳସୂତ୍ର ଲୁଟିନେଇଥିଲେ। ପ୍ରେମଲତା ପାଟି କରିବାରୁ ଲୁଟେରାମାନେ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ପରେ ଆଲମାରୀର ଚାବି ମାଗିଥିଲେ ।
ଚାବି ପାଇବା ପରେ ଆଲମାରୀ ଖୋଲି ସେଥିରେ ଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କା, ସୁନା ଚେନ୍, ୨ଟି ସୁନା ମୁଦି, ୨ ହଳ କାନଫୁଲ, ସୁନା ହାର ସମେତ ପ୍ରାୟ ୮ ତୋଳା ସୁନା ଅଳଙ୍କାର ଲୁଟିନେଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ପରିବାର ପକ୍ଷରୁ ଜୟପୁର ସଦର ଥାନାରେ ଏତଲା ଦିଆଯାଇଛି । ପୋଲିସ ମାମଲା ରୁଜୁ କରି ଲୁଟେରାମାନଙ୍କୁ ଚିହ୍ନଟ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

