ମୁମ୍ବାଇରୁ ଆସିଛି ଏକ ଚମକାଇଦେବା ଭଳି ଘଟଣା । ୧୦ମ ମହଲାରୁ ଡେଇଁ ପଡ଼ିଲେ ଜଣେ ନବବିବାହିତା । ତଳେ ନପଡ଼ି ନିକଟରେ ଥିବା ଏକ ଗଛ ଉପରେ ଯାଇ ପଡ଼ିଲେ । ଆଉ ଗଛର ଡାଳ ମଝିରେ ପ୍ରାୟ ୨୦ରୁ ୨୫ ଫୁଟ୍ ଉଚ୍ଚତାରେ ଅଟକି ରହିଥିଲେ ମହିଳା ।
ମୁମ୍ବାଇରୁ ଆସିଛି ଏକ ଚମକାଇଦେବା ଭଳି ଘଟଣା । ୧୦ମ ମହଲାରୁ ଡେଇଁ ପଡ଼ିଲେ ଜଣେ ନବବିବାହିତା । ତଳେ ନପଡ଼ି ନିକଟରେ ଥିବା ଏକ ଗଛ ଉପରେ ଯାଇ ପଡ଼ିଲେ । ଆଉ ଗଛର ଡାଳ ମଝିରେ ପ୍ରାୟ ୨୦ରୁ ୨୫ ଫୁଟ୍ ଉଚ୍ଚତାରେ ଅଟକି ରହିଥିଲେ ମହିଳା । ଘଟଣାଟି ଘଟିଛି ମୁମ୍ବାଇର ଭାଣ୍ଡୁପ୍ ଅଞ୍ଚଳରେ । ୨୬ ବର୍ଷୀୟା ପ୍ରତୀକ୍ଷା ହିୱରାଲେ ଲେକ୍ ରୋଡ୍ର ସନ୍ସାଇନ୍ ବିଲ୍ଡିଂର ଏକ ଫ୍ଲାଟ୍ରୁ ଡେଇଁଥିବା ଅଭିଯୋଗ ହୋଇଛି । ତେବେ ଭାଗ୍ୟବଶତଃ ତଳେ ପଡ଼ିବା ପୂର୍ବରୁ ଏକ ଗଛରେ ଯାଇ ପଡ଼ିଥିଲେ ।
ବୁଧବାର ସକାଳ ପ୍ରାୟ ୯ଟା ୩୨ ମିନିଟ୍ରେ ଅଗ୍ନିଶମ ବିଭାଗକୁ ଏନେଇ ଖବର ମିଳିଥିଲା । ଖବର ପାଇବା ମାତ୍ରେ ଫାୟାର ବ୍ରିଗେଡ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଗଛ ଉପରେ ଡାଳ ମଝିରେ ଫସି ରହିଥିବା ପ୍ରତୀକ୍ଷାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମଚାରୀ ହୁକ୍ ଲ୍ୟାଡର୍ର ସହାୟତା ନେଇଥିଲେ। ବେଶ୍ ସତର୍କତାର ସହ ତାଙ୍କୁ ଗଛରୁ ତଳକୁ ଆଣିଥିଲେ । ଉଦ୍ଧାର ପରେ ତାଙ୍କୁ ଏକ ଘରୋଇ ଆମ୍ବୁଲାନ୍ସରେ ନିକଟସ୍ଥ ଘରୋଇ ହସ୍ପିଟାଲ୍କୁ ନିଆଯାଇଥିଲା । ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିବା ଡାକ୍ତର କହିଛନ୍ତି। ପରେ ଅଧିକ ଚିକିତ୍ସା ଓ ଅପରେସନ୍ ପାଇଁ ତାଙ୍କୁ ସାୟନ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି ।
ପୁଲିସର ସୂଚନା ଅନୁସାରେ, ପ୍ରତୀକ୍ଷାଙ୍କ ବିବାହକୁ ମାତ୍ର ୪ ମାସ ହୋଇଥିଲା । ବର୍ତ୍ତମାନ ସେ ସାୟନ୍ ହସ୍ପିଟାଲ୍ର ଏମର୍ଜେନ୍ସି ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପୁଲିସ ଏପର୍ଯ୍ୟନ୍ତ ତାଙ୍କ ବୟାନ ରେକର୍ଡ କରିପାରିନାହିଁ । ଏନେଇ ଡାକ୍ତରଙ୍କ ଠାରୁ ମେଡିକାଲ୍ ଏଣ୍ଡୋର୍ସମେଣ୍ଟ ନିଆଯାଇଛି। ଘଟଣା ସମ୍ପର୍କରେ ତାଙ୍କ ବାପା-ମାଆଙ୍କୁ ମଧ୍ୟ ଅବଗତ କରାଯାଇଛି ।
ପ୍ରତୀକ୍ଷା ସୁସ୍ଥ ହେବା ପରେ ତାଙ୍କ ବୟାନ ରେକର୍ଡ କରାଯିବ । ଏହାପରେ ଘଟଣାର ପ୍ରକୃତ କାରଣ କ’ଣ ଏବଂ ସେ କାହିଁକି ଏଭଳି ପଦକ୍ଷେପ ନେଲେ, ସେନେଇ ତଦନ୍ତ କରି ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ପୁଲିସ । ତେବେ ୧୦ମ ମହଲାରୁ ଖସିବା ପରେ ମଧ୍ୟ ଗଛ ଯୋଗୁଁ ଜୀବନ ବଞ୍ଚିଯିବା ଏବଂ ଡାଳ ମଝିରୁ ଫାୟାର ବ୍ରିଗେଡ୍ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି ।

