ଦିଲ୍ଲୀର ୧୫ ବର୍ଷୀୟ ଚେସ୍ ଖେଳାଳି ବନ୍ଦନ ଅଲଙ୍କାର ସୱାଇ ଅନଲାଇନ୍ ଚେସ୍ରେ ରଚିଛନ୍ତି ବଡ଼ ଇତିହାସ । Chess.comର Titled Tuesday Blitz Tournamentରେ ବିଶ୍ୱର ନମ୍ବର ୱାନ୍ ଚେସ୍ ଖେଳାଳି ମ୍ୟାଗ୍ନସ୍ କାର୍ଲସେନ୍ଙ୍କୁ ହରାଇଦେଇଛନ୍ତି ବନ୍ଦନ ।
ଦିଲ୍ଲୀର ୧୫ ବର୍ଷୀୟ ଚେସ୍ ଖେଳାଳି ବନ୍ଦନ ଅଲଙ୍କାର ସୱାଇ ଅନଲାଇନ୍ ଚେସ୍ରେ ରଚିଛନ୍ତି ବଡ଼ ଇତିହାସ । Chess.comର Titled Tuesday Blitz Tournamentରେ ବିଶ୍ୱର ନମ୍ବର ୱାନ୍ ଚେସ୍ ଖେଳାଳି ମ୍ୟାଗ୍ନସ୍ କାର୍ଲସେନ୍ଙ୍କୁ ହରାଇଦେଇଛନ୍ତି ବନ୍ଦନ । ସବୁଠାରୁ ରୋଚକ କଥା ହେଉଛି, ଏତେ ବଡ଼ ବିଜୟ ପରେ ମଧ୍ୟ ବନ୍ଦନଙ୍କ ପ୍ରତିକ୍ରିୟା ଥିଲା ଅତ୍ୟନ୍ତ ସାଧାରଣ। କାର୍ଲସେନ୍ଙ୍କୁ ହରାଇବା ପରେ ସେ ନା ଉତ୍ସବ କଲେ, ନା ପରିବାରକୁ ତୁରନ୍ତ ଜଣାଇଲେ। ଏପରିକି ଆଉ ଦୁଇଟି ରାଉଣ୍ଡ ଖେଳିବା ପରେ ଥକିଯାଇ ଶୋଇପଡ଼ିଲେ । ପରଦିନ Chess.com ବ୍ରାଉଜ୍ କରୁଥିବା ବେଳେ ବନ୍ଦନଙ୍କ ବାପା ନିଜେ ଏହି ମ୍ୟାଚ୍ ଦେଖି ଜାଣିଲେ ଯେ ପୁଅ କାର୍ଲସେନ୍ଙ୍କୁ ହରାଇଛି ।
ବନ୍ଦନଙ୍କ ବାପା ଅଲଙ୍କାର ସୱାଇ ପୂର୍ବରୁ ବ୍ୟାଙ୍କରେ କାମ କରୁଥିଲେ। ତାଙ୍କ ମାଆ ଡାକ୍ତର ମାଧୁରୀ ଅଲଙ୍କାର ସୱାଇ କହିଛନ୍ତି, ବନ୍ଦନ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ମଧ୍ୟ ପ୍ରଥମେ ରାଜି ନଥିଲେ । ପରିବାର ତାଙ୍କୁ ଖେଳିବାକୁ ବାଧ୍ୟ କରିଥିଲା । ଆଉ ସେହି ଟୁର୍ଣ୍ଣାମେଣ୍ଟରେ ହିଁ ମିଳିଲା ବିଶ୍ୱର ନମ୍ବର ୱାନ୍ ଖେଳାଳିଙ୍କ ବିରୋଧରେ ବଡ଼ ବିଜୟ । କାର୍ଲସେନ୍ଙ୍କ FIDE କ୍ଲାସିକାଲ୍ ରେଟିଂ ଥିଲା ୨୮୨୩, ଯେତେବେଳେ ବନ୍ଦନଙ୍କ ରେଟିଂ ୨୨୮୮ । ଅର୍ଥାତ୍ ଦୁଇ ଖେଳାଳିଙ୍କ ମଧ୍ୟରେ ରେଟିଂରେ ବଡ଼ ପାର୍ଥକ୍ୟ ଥିଲା ।
କିନ୍ତୁ ବନ୍ଦନଙ୍କ କହିବା କଥା ତାଙ୍କର ହରାଇବାକୁ କିଛି ନଥିଲା, କିନ୍ତୁ ହାସଲ କରିବାକୁ ସବୁକିଛି ଥିଲା। ତେଣୁ ସେ ଚାପ ନନେଇ ନିଜ ସାଧାରଣ ଶୈଳୀରେ ଖେଳିଥିଲେ । ମ୍ୟାଚ୍ରେ କାର୍ଲସେନ୍ଙ୍କ ଏକ ଭୁଲ୍କୁ ବନ୍ଦନ ସଠିକ୍ ଭାବେ ଉପଯୋଗ କରିଥିଲେ । ଏହାପରେ ଧୀରେ ଧୀରେ ଖେଳ ଉପରେ ନିୟନ୍ତ୍ରଣ ନେଇଥିଲେ। ଶେଷରେ ୫୦ତମ ଚାଲ୍ରେ କାର୍ଲସେନ୍ ଆତ୍ମସମର୍ପଣ କରିଥିଲେ । ବନ୍ଦନଙ୍କ କୋଚ୍ ଗୁରପ୍ରୀତ ପାଲ୍ ସିଂହ ମଧ୍ୟ ଏହି ବିଜୟ ବିଷୟରେ ପରଦିନ ଜାଣିଥିଲେ। ପ୍ରାୟ ୭ ବର୍ଷ ଧରି ସେ ବନ୍ଦନଙ୍କୁ ଟ୍ରେନିଂ ଦେଉଛନ୍ତି ।
ବନ୍ଦନଙ୍କ ଚେସ୍ ଯାତ୍ରା ଆରମ୍ଭ ହୋଇଥିଲା ତାଙ୍କ ଘରୁ । ତାଙ୍କ ମାଆ ନିଜ ଭାଇଙ୍କ ସହ ଚେସ୍ ଖେଳୁଥିଲେ ଏବଂ ସେହିଠାରୁ ପୁଅକୁ ଚେସ୍ ଶିଖାଇଥିଲେ। ଛୋଟ ବୟସରୁ ବନ୍ଦନ ଚେସ୍ ପଜଲ୍ ସମାଧାନ କରିବା ଆରମ୍ଭ କରିଥିଲେ । ଚେସ୍ ସହ ପାଠପଢ଼ାରେ ମଧ୍ୟ ବନ୍ଦନ ଭଲ। ତାଙ୍କୁ ଇତିହାସ, ବିଶେଷ କରି ଯୁଦ୍ଧ ସମ୍ପର୍କିତ ବିଷୟ ପଢ଼ିବାକୁ ଭଲ ଲାଗେ । ଭବିଷ୍ୟତରେ ଚେସ୍କୁ ପୂରା ସମୟର ପେସା କରିବେ କି ନାହିଁ, ସେନେଇ ଏବେ ବି ସେ ନିଶ୍ଚିତ ନୁହନ୍ତି ।
ତେବେ ବର୍ତ୍ତମାନ ତାଙ୍କର ଲକ୍ଷ୍ୟ ହେଉଛି International Master ହେବା ।
ସାଧାରଣତଃ ମ୍ୟାଗ୍ନସ୍ କାର୍ଲସେନ୍ଙ୍କ ଭଳି ବିଶ୍ୱର ନମ୍ବର ୱାନ୍ ଖେଳାଳିଙ୍କୁ ହରାଇବା ଯେକୌଣସି ଯୁବ ଖେଳାଳିଙ୍କ ପାଇଁ ଜୀବନର ସବୁଠାରୁ ବଡ଼ ଉପଲବ୍ଧି ହୋଇପାରେ । କିନ୍ତୁ ବନ୍ଦନଙ୍କ ଷ୍ଟାଇଲ୍ ଟିକେ ଅଲଗା କାର୍ଲସେନ୍ଙ୍କୁ ହରାଇଲେ, କିଛି ନକହି ଶୋଇପଡ଼ିଲେ ଏବଂ ପରଦିନ ବାପାଙ୍କଠାରୁ ନିଜ ବିଜୟର ଖବର ଶୁଣିଲେ !

