ବରୀରେ ବନ୍ୟାର କରାଳ ଚିତ୍ର; ରୋଗୀଙ୍କୁ ବୋହିବାକୁ ଭାରା ଭରସା

ବନ୍ୟାପାଣିରେ ଅନ୍ୟ କୌଣସି ବିକଳ୍ପ ବିନା ଓଡ୍ରାଫ୍‌ ଟିମ୍‌କୁ ଭାରାରେ ରୋଗୀଙ୍କୁ ବୁହାଇ ନେବାକୁ ପଡ଼ିଛି, ଯାହାକି ପ୍ରଶାସନର ବନ୍ୟା ପରିଚାଳନାରେ ବିଫଳତା ପଦାରେ ପକାଇଛି ।

ସତରେ କେତେ ଦୟନୀୟ ହୋଇଛି ପ୍ରାଶାସନିକ ବ୍ୟବସ୍ଥା! ବନ୍ୟାକୁ ନେଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ରୋଗୀ ଭାରାରେ ବୁହା ହେଉଛନ୍ତି । କୌଣସି ବିକଳ୍ପ ବ୍ୟବସ୍ଥା କଣ ନାହିଁ.. ନା ସରକାର ଏ ଯାଏ ଅବଗତ ହୋଇନାହାନ୍ତି । ଏମିତି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍‌ ଟିମ୍‌ ମୁଣ୍ଡର ଝାଳ ତୁଣ୍ଡରେ ମାରିଛନ୍ତି । ଯାଜପୁର ବରୀରୁ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି । ବନ୍ୟାପାଣିରେ ଅନ୍ୟ କୌଣସି ବିକଳ୍ପ ବିନା ଓଡ୍ରାଫ୍‌ ଟିମ୍‌କୁ ଭାରାରେ ରୋଗୀଙ୍କୁ ବୁହାଇ ନେବାକୁ ପଡ଼ିଛି, ଯାହାକି ପ୍ରଶାସନର ବନ୍ୟା ପରିଚାଳନାରେ ବିଫଳତା ପଦାରେ ପକାଇଛି ।

ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିବିଲି ପଞ୍ଚାୟତ ଢ଼ିଅସାହି ଅଞ୍ଚଳରେ ଦ୍ୱିତୀୟ ଥର ପାଇଁ ବନ୍ୟା ଆସିଛି । ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଛି । ବରୀ-କଳାମାଟିଆ ମୁଖ୍ୟ ରାସ୍ତା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଗାଁରୁ ବାହାରିବାକୁ କେଉଁଠି ଅଣ୍ଟାଏ ପାଣି, କେଉଁଠି ଛାତିଏ ପାଣିରେ ପଶି ଯାତାୟାତ କରିବାକୁ ପଡ଼ୁଛି । ବରୀ ବ୍ଲକର ୨୯ଟି ପଞ୍ଚାୟତ ପ୍ରଭାବିତ ହୋଇଥିବାବେଳେ ଅନେକ ଲୋକଙ୍କ କଚ୍ଚା ଘର ଭାଙ୍ଗି ଯାଇଛି । ଲୋକମାନେ ନଦୀ ବନ୍ଧରେ କିମ୍ବା ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି । ବନ୍ୟା ବିପନ୍ନଙ୍କ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ଲୋକଙ୍କ ନିକଟରେ ପ୍ରଶାସନ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି । ଗାଡି ଗାଡି ପାଣି ବୋତଲ ଆସୁଛି । ହେଲେ ଲୋକଙ୍କ ନିକଟରେ ପହଞ୍ଚି ପାରୁନି । ନଳ କୂପ ବୁଡ଼ି ଯିବାରୁ ଅନେକ ସ୍ଥାନରେ ଲୋକ ବନ୍ୟା ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । ସବୁଠୁ ବଡ଼ କଥା ବରୀରେ ବନ୍ୟା ବିପନ୍ନଙ୍କ ପାଇଁ ଓଡ୍ରାଫ୍ ଓ ଏନଡିଆରଏଫ୍ ନିୟୋଜିତ କରାଯାଇଥିବା ବେଳେ ବିପନ୍ନମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । 

Leave a Reply

Your email address will not be published. Required fields are marked *