‘ସତ୍ୟକୁ କେହି ବଦଳାଇ ପାରିବେନି’, ଲଦାଖକୁ ନେଇ ଚୀନ୍‌କୁ ଭାରତର କଡ଼ା ଜବାବ

ଭାରତ କହିଛି, କାହାର ଆପତ୍ତି କିମ୍ବା ଦାବି ଦ୍ୱାରା ସତ୍ୟ ବଦଳିଯିବ ନାହିଁ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ, ଲଦାଖର ୨୮ଟି ସ୍ଥାନକୁ ଚିହ୍ନଟ କରାଯାଇ ସର୍ଭେ ଅଫ୍ ଇଣ୍ଡିଆର ସରକାରୀ ମାନଚିତ୍ରରେ ସେଗୁଡ଼ିକର ମାନକ ନାମ ଉଲ୍ଲେଖ କରାଯାଇଛି ।

 ଲଦାଖକୁ ନେଇ ଚୀନ୍‌ର ଆପତ୍ତି ପରେ ବେଜିଂକୁ କଡ଼ା ଜବାବ ଦେଇଛି ଭାରତ । ଲଦାଖ ଭାରତର ଏକ ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ପୁଣି ଥରେ ସ୍ପଷ୍ଟ କରିଛି ବୈଦେଶିକ ମନ୍ତ୍ରଣାଳୟ । ଭାରତ କହିଛି, କାହାର ଆପତ୍ତି କିମ୍ବା ଦାବି ଦ୍ୱାରା ସତ୍ୟ ବଦଳିଯିବ ନାହିଁ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ, ଲଦାଖର ୨୮ଟି ସ୍ଥାନକୁ ଚିହ୍ନଟ କରାଯାଇ ସର୍ଭେ ଅଫ୍ ଇଣ୍ଡିଆର ସରକାରୀ ମାନଚିତ୍ରରେ ସେଗୁଡ଼ିକର ମାନକ ନାମ ଉଲ୍ଲେଖ କରାଯାଇଛି । ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ ଏବଂ ସ୍ଥାନୀୟ ହିତାଧିକାରୀଙ୍କ ସହ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି । ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ଏହି ସ୍ଥାନଗୁଡ଼ିକୁ ସରକାରୀ ମାନଚିତ୍ରରେ ଚିହ୍ନଟ କରିବାର ଉଦ୍ଦେଶ୍ୟ ହେଉଛି ସେଗୁଡ଼ିକର ସଠିକ୍ ପରିଚୟ ସୁନିଶ୍ଚିତ କରିବା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସେହି ସ୍ଥାନଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ।

ଅନ୍ୟପଟେ, ଭାରତର ଏହି ପଦକ୍ଷେପକୁ ନେଇ ଚୀନ୍ ଆପତ୍ତି ଉଠାଇଛି । ଅକ୍ଟୋବର ୧୩ ତାରିଖରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଭାରତର ଏହି ନିଷ୍ପତ୍ତିକୁ ଏକପାଖିଆ ଏବଂ ବେଆଇନ ବୋଲି କହିଛି । ଚୀନ୍‌ର ମୁଖପାତ୍ର ମାଓ ନିଙ୍ଗ୍ କହିଛନ୍ତି ଯେ, ବେଜିଂ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ମାନ୍ୟତା ଦେଇନାହିଁ। ଭାରତ ଯେଉଁ ସ୍ଥାନଗୁଡ଼ିକର ମାନକ ନାମ ଘୋଷଣା କରିଛି, ତାହାକୁ ଚୀନ୍ ଦୃଢ଼ ବିରୋଧ କରୁଛି ବୋଲି ସେ କହିଛନ୍ତି ।

ମାଓ ନିଙ୍ଗ୍‌ଙ୍କ ଦାବି ଅନୁଯାୟୀ, ଭାରତ ନାମ ରଖିଦେଲେ କିମ୍ବା ବଦଳାଇଦେଲେ ଜମି ଉପରେ ମାଲିକାନା ଅଧିକାର ବଦଳିଯିବ ନାହିଁ । ଚୀନ୍‌ର କହିବା ଅନୁସାରେ, ଦୁଇ ଦେଶ ମଧ୍ୟରେ ସୀମାର ପଶ୍ଚିମ ଭାଗ ସର୍ବଦା ଚୀନ୍‌ର ଅଂଶ ରହିଆସିଛି । ତେଣୁ ଭାରତର ଏହି ପଦକ୍ଷେପକୁ ବେଜିଂ ଅବୈଧ ଓ ଅମାନ୍ୟ ବୋଲି କହିଛି।

ସୂଚନା ଅନୁସାରେ, ଭାରତ ସରକାର ଅକ୍ଟୋବର ୨ ତାରିଖରେ ଲଦାଖର ଏହି ୨୮ଟି ସ୍ଥାନର ନାମ ଆନୁଷ୍ଠାନିକ ଭାବେ ନିର୍ଦ୍ଧାରଣ କରିଥିଲେ । ଏହାକୁ ନେଇ ଚୀନ୍‌ର ଆପତ୍ତି ପରେ ଭାରତ ପୁଣି ଥରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଲଦାଖ ଭାରତର ଅଭିନ୍ନ ଅଙ୍ଗ ଏବଂ ଏହାର ସାର୍ବଭୌମତ୍ୱ ଉପରେ କୌଣସି ବାହ୍ୟ ଦାବି ଭାରତର ଆଭିମୁଖ୍ୟକୁ ବଦଳାଇପାରିବ ନାହିଁ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି ।

Leave a Reply

Your email address will not be published. Required fields are marked *