୨୦୨୯ ପାଇଁ ବିଜେପିର ବଡ଼ ପ୍ଲାନ୍ , ନିତିନ ନବୀନଙ୍କ ନୂଆ ଟିମ୍‌ରେ ଯୁବ-ଅଭିଜ୍ଞଙ୍କୁ ଗୁରୁତ୍ୱ

୨୦୨୭ରୁ ୨୦୨୯—ଆଗାମୀ ନିର୍ବାଚନ ପାଇଁ ବିଜେପିର ବଡ଼ ରଣନୀତି । ଦଳର ଜାତୀୟ ସଭାପତି ନିତିନ ନବୀନ ଘୋଷଣା କରିଛନ୍ତି ନୂଆ ଟିମ୍ । ନୂଆ ଟିମ୍‌ରେ ଅଭିଜ୍ଞ ନେତାଙ୍କ ସହ ଯୁବ ଚେହେରାଙ୍କୁ ଗୁରୁତ୍ୱ ଦିଆଯାଇଛି ।

୨୦୨୭ରୁ ୨୦୨୯—ଆଗାମୀ ନିର୍ବାଚନ ପାଇଁ ବିଜେପିର ବଡ଼ ରଣନୀତି । ଦଳର ଜାତୀୟ ସଭାପତି ନିତିନ ନବୀନ ଘୋଷଣା କରିଛନ୍ତି ନୂଆ ଟିମ୍ । ନୂଆ ଟିମ୍‌ରେ ଅଭିଜ୍ଞ ନେତାଙ୍କ ସହ ଯୁବ ଚେହେରାଙ୍କୁ ଗୁରୁତ୍ୱ ଦିଆଯାଇଛି । ଆଗାମୀ ବିଧାନସଭା ନିର୍ବାଚନ ସହ ୨୦୨୯ ଲୋକସଭା ନିର୍ବାଚନକୁ ନଜରରେ ରଖି ଏହି ସାଂଗଠନିକ ପରିବର୍ତ୍ତନ କରାଯାଇଛି ।
ନୂଆ ଟିମ୍‌ରେ ଅନୁଭବ ଓ ଯୁବ ନେତୃତ୍ୱର ସନ୍ତୁଳନ ଉପରେ ଜୋର ଦିଆଯାଇଛି । ଦଳର ସାଂଗଠନିକ ଢାଞ୍ଚାକୁ ଆହୁରି ମଜବୁତ କରିବା ସହ ଆଗାମୀ ନିର୍ବାଚନୀ ଚ୍ୟାଲେଞ୍ଜ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପ୍ରସ୍ତୁତ କରିବା ଏହି ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ରିପୋର୍ଟରୁ ଜଣାପଡ଼ିଛି । ବିଶେଷ କରି ଉତ୍ତରପ୍ରଦେଶ ଉପରେ ବିଜେପିର ଫୋକସ୍ ରହିଛି ।

୨୦୨୭ରେ ଉତ୍ତରପ୍ରଦେଶ ସମେତ ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର, ହିମାଚଳ ପ୍ରଦେଶ ଓ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ । ତେଣୁ ନୂଆ ଟିମ୍‌ରେ ନିର୍ବାଚନୀ ରାଜ୍ୟଗୁଡ଼ିକୁ ଅଧିକ ଗୁରୁତ୍ୱ ମିଳିବାର ସଙ୍କେତ ମିଳୁଛି । ଏହା ସହିତ ନୂଆ ଟିମ୍‌ରେ କିଛି ପୁରୁଣା ଓ ଅଭିଜ୍ଞ ଚେହେରାଙ୍କୁ ପୁଣି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ସ୍ମୃତି ଇରାନୀ, ରାମ ମାଧବ ଓ ପୀୟୁଷ ଗୋୟଲଙ୍କ ଭଳି ନେତାମାନଙ୍କୁ ନୂଆ ଟିମ୍‌ରେ ସାମିଲ କରାଯାଇଛି । ଅର୍ଥାତ୍, ଦଳ ଗୋଟିଏ ପଟେ ଯୁବ ନେତୃତ୍ୱକୁ ଆଗକୁ ଆଣୁଥିବା ବେଳେ ଅନ୍ୟପଟେ ଅଭିଜ୍ଞତାକୁ ମଧ୍ୟ ଛାଡ଼ିବାକୁ ଚାହୁଁନାହିଁ । ସାଂଗଠନିକ ପରିବର୍ତ୍ତନରେ ଯୁବ ଚେହେରାଙ୍କ ଭୂମିକା ବଢ଼ିବା ମଧ୍ୟ ଚର୍ଚ୍ଚାରେ ରହିଛି । ବିଶେଷକରି Gen-Z ଭୋଟରଙ୍କ ଭୂମିକା ଆଗାମୀ ନିର୍ବାଚନରେ ବଢ଼ିବାରୁ ଯୁବ ନେତୃତ୍ୱ ମାଧ୍ୟମରେ ଏହି ବର୍ଗ ପାଖରେ ପହଞ୍ଚିବାକୁ ବିଜେପି ଚେଷ୍ଟା କରୁଥିବା ରିପୋର୍ଟରେ କୁହାଯାଇଛି । ତେବେ ଏହି ନୂଆ ଟିମ୍‌ର ପ୍ରଥମ ବଡ଼ ପରୀକ୍ଷା ହେବ ୨୦୨୭ର ବିଧାନସଭା ନିର୍ବାଚନ । ଏହା ପରେ ୨୦୨୯ ଲୋକସଭା ନିର୍ବାଚନ ପାଇଁ ଦଳର ସାଂଗଠନିକ ପ୍ରସ୍ତୁତି କେତେ ସଫଳ ହେଉଛି, ତାହା ଉପରେ ରହିବ ସମସ୍ତଙ୍କ ନଜର । 

Leave a Reply

Your email address will not be published. Required fields are marked *