ବର୍ଷା ଦିନେ ବଢ଼ୁଛି ଡେଙ୍ଗୁ ଓ ମ୍ୟାଲେରିଆର ଭୟ । ଦୁଇଟି ରୋଗରେ ଜ୍ୱର ହେଉଥିବାରୁ ଅନେକ ସମୟରେ ଲୋକେ ଦ୍ୱନ୍ଦ୍ୱରେ ପଡ଼ନ୍ତି—ଜ୍ୱରଟି ଡେଙ୍ଗୁ ନା ମ୍ୟାଲେରିଆ? କିନ୍ତୁ ଏହି ଦୁଇ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ପଦ୍ଧତି ସମ୍ପୂର୍ଣ୍ଣ ଭିନ୍ନ ।
ବର୍ଷା ଦିନେ ବଢ଼ୁଛି ଡେଙ୍ଗୁ ଓ ମ୍ୟାଲେରିଆର ଭୟ । ଦୁଇଟି ରୋଗରେ ଜ୍ୱର ହେଉଥିବାରୁ ଅନେକ ସମୟରେ ଲୋକେ ଦ୍ୱନ୍ଦ୍ୱରେ ପଡ଼ନ୍ତି—ଜ୍ୱରଟି ଡେଙ୍ଗୁ ନା ମ୍ୟାଲେରିଆ? କିନ୍ତୁ ଏହି ଦୁଇ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ପଦ୍ଧତି ସମ୍ପୂର୍ଣ୍ଣ ଭିନ୍ନ । ଡାକ୍ତରଙ୍କ କହିବା ଅନୁସାରେ, ମ୍ୟାଲେରିଆ ଏକ ପାରାସାଇଟ୍ ଜନିତ ସଂକ୍ରମଣ, ଯାହା ମାଈ ଏନୋଫିଲିଜ୍ ମଶା କାମୁଡ଼ିବା ଦ୍ୱାରା ହୁଏ । ଅନ୍ୟପଟେ ଡେଙ୍ଗୁ ଏକ ଭାଇରାଲ୍ ସଂକ୍ରମଣ, ଯାହା ଏଡିସ୍ ମଶା ଦ୍ୱାରା ବ୍ୟାପିଥାଏ । ଏନୋଫିଲିଜ୍ ମଶା ସାଧାରଣତଃ ରାତିରେ ସକ୍ରିୟ ଥିବା ବେଳେ ଏଡିସ୍ ମଶା ଦିନବେଳେ ଅଧିକ ସକ୍ରିୟ ରହେ । ଏବେ ଜାଣନ୍ତୁ ଦୁଇ ରୋଗର ଲକ୍ଷଣରେ କ’ଣ ରହିଛି ପାର୍ଥକ୍ୟ । ମ୍ୟାଲେରିଆରେ ଜ୍ୱର ବାରମ୍ବାର ତୀବ୍ର ଭାବେ ବଢ଼ିବା ସହ ପ୍ରବଳ ଥଣ୍ଡା ଲାଗିବା ଏବଂ ପରେ ଅଧିକ ଝାଳ ବାହାରିବା ଦେଖାଯାଇପାରେ । ଡେଙ୍ଗୁରେ ହଠାତ୍ ଓ ଲଗାତାର ଉଚ୍ଚ ଜ୍ୱର ହୋଇଥାଏ । ଡେଙ୍ଗୁର ଆଉ ଏକ ପ୍ରମୁଖ ଲକ୍ଷଣ ହେଉଛି ମାଂସପେଶୀ ଓ ଗଣ୍ଠିରେ ଭୀଷଣ ଯନ୍ତ୍ରଣା । ଏପରିକି ଆଖି ପଛପଟେ ମଧ୍ୟ ଯନ୍ତ୍ରଣା ହୋଇପାରେ ।
ଏହି କାରଣରୁ ଡେଙ୍ଗୁକୁ ଅନେକ ସମୟରେ ‘ବ୍ରେକବୋନ୍ ଫିଭର୍’ ବୋଲି କୁହାଯାଏ । ଡେଙ୍ଗୁରେ ଚର୍ମରେ ରାଶ୍ ଦେଖାଯିବା ସହ ପ୍ଲେଟଲେଟ୍ କମିବାର ଆଶଙ୍କା ରହିଥାଏ । ଗୁରୁତର ସ୍ଥିତିରେ ନାକ କିମ୍ବା ମାଢ଼ିରୁ ରକ୍ତସ୍ରାବ ମଧ୍ୟ ହୋଇପାରେ । ଅନ୍ୟପଟେ, ମ୍ୟାଲେରିଆରେ ରାଶ୍ ଓ ରକ୍ତସ୍ରାବ ସାଧାରଣ ନୁହେଁ । ଏହି ରୋଗ ଲାଲ୍ ରକ୍ତକଣିକାକୁ ପ୍ରଭାବିତ କରିପାରେ, ଫଳରେ ରକ୍ତହୀନତା କିମ୍ବା ଜଣ୍ଡିସ୍ ଭଳି ସମସ୍ୟା ଦେଖାଦେଇପାରେ । ତେବେ ରୋଗ ଚିହ୍ନଟ କିପରି ହୁଏ? ମ୍ୟାଲେରିଆ ପାଇଁ ରକ୍ତର ସ୍ମିୟର୍ ଟେଷ୍ଟ କିମ୍ବା ରାପିଡ୍ ଡାଏଗ୍ନୋଷ୍ଟିକ୍ ଟେଷ୍ଟ କରାଯାଏ । ଡେଙ୍ଗୁ ପାଇଁ NS1 ଆଣ୍ଟିଜେନ୍ କିମ୍ବା ଆଣ୍ଟିବଡି ରକ୍ତ ପରୀକ୍ଷା କରାଯାଇପାରେ । ଚିକିତ୍ସା ମଧ୍ୟ ଦୁଇ ରୋଗରେ ଭିନ୍ନ । ମ୍ୟାଲେରିଆରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟି-ମ୍ୟାଲେରିଆ ଔଷଧ ଦିଆଯାଏ । ଡେଙ୍ଗୁ ପାଇଁ ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ୍ ଔଷଧ ନଥିବାରୁ ରୋଗୀଙ୍କ ଲକ୍ଷଣ ଓ ଅବସ୍ଥା ଅନୁସାରେ ସହାୟକ ଚିକିତ୍ସା କରାଯାଏ । ତେଣୁ ଜ୍ୱର ହେଲେ ନିଜେ ନିଜେ ଡେଙ୍ଗୁ କିମ୍ବା ମ୍ୟାଲେରିଆ ବୋଲି ଧରି ଔଷଧ ଖାଇବା ଠିକ୍ ନୁହେଁ । ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେଇ ଆବଶ୍ୟକ ରକ୍ତ ପରୀକ୍ଷା କରାଇବା ହିଁ ସବୁଠାରୁ ସୁରକ୍ଷିତ ପଦକ୍ଷେପ ।

