ନିଜ ମା’ ଓ ସାନ ଭାଇଙ୍କୁ ହତ୍ୟା ଅଭିଯୋଗରେ ଭାରତୀୟ ପରିବାରର ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ଗିରଫ କରିଛି ପୁଲିସ । ଘଟଣାଟି ମାସାଚୁସେଟ୍ସର ଆକ୍ଟନ ଅଞ୍ଚଳରେ ଘଟିଛି ।
ଆମେରିକାରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ନିଜ ମା’ ଓ ସାନ ଭାଇଙ୍କୁ ହତ୍ୟା ଅଭିଯୋଗରେ ଭାରତୀୟ ପରିବାରର ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ଗିରଫ କରିଛି ପୁଲିସ । ଘଟଣାଟି ମାସାଚୁସେଟ୍ସର ଆକ୍ଟନ ଅଞ୍ଚଳରେ ଘଟିଛି । ଗିରଫ ନାବାଳକଙ୍କ ନାଁ ଅର୍ଜୁନ ଅରବିନ୍ଦ । ପୁଲିସର ଅଭିଯୋଗ ଅନୁସାରେ, ଅର୍ଜୁନ ନିଜ ଘରେ ତାଙ୍କ ୪୫ ବର୍ଷୀୟ ମା’ ସୁଧା ଭେଙ୍କଟେଶନ ଏବଂ ୧୪ ବର୍ଷୀୟ ସାନ ଭାଇ ସିଦ୍ଧାର୍ଥ ଅରବିନ୍ଦଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ମା’ଙ୍କ ହୋଣ୍ଡା ଆକର୍ଡ କାର୍ ନେଇ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।
ମଙ୍ଗଳବାର ସନ୍ଧ୍ୟାରେ ଜଣେ ଶିକ୍ଷକ ଅର୍ଜୁନଙ୍କ ଘରକୁ ଯାଇଥିଲେ । କିନ୍ତୁ କବାଟ ଖୋଲିନଥିଲା । ଏନେଇ ସେ ଅର୍ଜୁନଙ୍କ ବାପାଙ୍କୁ ଜଣାଇଥିଲେ । ପରେ ପୁଲିସ ଘରେ ପହଞ୍ଚି ଅର୍ଜୁନଙ୍କ ମା’ ଓ ଭାଇଙ୍କୁ ମୃତ ଅବସ୍ଥାରେ ଠାବ କରିଥିଲା। ସେହି ସମୟରେ ଅର୍ଜୁନ ମଧ୍ୟ ନିଖୋଜ ଥିଲେ । ଏହାପରେ ପୁଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା । ବୁଧବାର ସକାଳେ ୱେଲ୍ୟାଣ୍ଡ ଅଞ୍ଚଳର ଏକ ପାର୍କିଂ ସ୍ଥାନରୁ ଅର୍ଜୁନଙ୍କୁ ତାଙ୍କ ମା’ଙ୍କ କାର୍ ସହ ଠାବ କରାଯାଇଥିଲା । ପୁଲିସ ତାଙ୍କୁ ହେପାଜତକୁ ନେବା ସହ କାର୍ଟିକୁ ଜବତ କରିଛି ।
ଅର୍ଜୁନଙ୍କ ବିରୋଧରେ ଦୁଇଟି ହତ୍ୟା ଅଭିଯୋଗ ସହ ପରିବାର ସଦସ୍ୟଙ୍କ ଉପରେ ଆକ୍ରମଣ ଏବଂ ଗାଡ଼ି ସମ୍ପର୍କିତ ଅନ୍ୟ ଅଭିଯୋଗ ରହିଛି । ତେବେ ଏହି ଘଟଣା ପଛର ପ୍ରକୃତ କାରଣ କ’ଣ, ତାହା ଜାଣିବାକୁ ପୁଲିସ ତଦନ୍ତ ଜାରି ରଖିଛି ।
ଏହି ଘଟଣାରେ ଆଉ ଏକ ଚର୍ଚ୍ଚିତ ଦିଗ ହେଉଛି ଅଭିଯୋଗ ଅନୁସାରେ, ପରିବାରକୁ ହତ୍ୟା କରିବା ପାଇଁ ଅର୍ଜୁନ ଇଣ୍ଟରନେଟ୍ ଓ ChatGPTରୁ ସୂଚନା ନେଇଥିଲେ । ତେବେ ଏହି ଦାବିର ସମ୍ପୂର୍ଣ୍ଣ ତଥ୍ୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

