ନାଇଜେରିଆର ଲାଗୋସ୍ଠାରେ ଅନୁଷ୍ଠିତ କମନୱେଲ୍ଥ ପାରା ଫେନ୍ସିଂ ଚାମ୍ପିୟନସିପ୍ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁରର ଭି. ରମେଶ ରାଓ। ତାଙ୍କର ଏହି ସଫଳତା ପାଇଁ ସାରା ରାଜ୍ୟରେ ଖୁସିର ଲହରି ଖେଳିଯାଇଛି ।
ଅନ୍ତର୍ଜାତୀୟ କ୍ରୀଡ଼ା ଜଗତରେ ପୁଣି ଥରେ ଚମକିଛନ୍ତି ଓଡ଼ିଆ ପୁଅ । ନାଇଜେରିଆର ଲାଗୋସ୍ଠାରେ ଅନୁଷ୍ଠିତ କମନୱେଲ୍ଥ ପାରା ଫେନ୍ସିଂ ଚାମ୍ପିୟନସିପ୍ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁରର ଭି. ରମେଶ ରାଓ। ତାଙ୍କର ଏହି ସଫଳତା ପାଇଁ ସାରା ରାଜ୍ୟରେ ଖୁସିର ଲହରି ଖେଳିଯାଇଛି । ଲାଗୋସ୍ଠାରେ ଚାଲିଥିବା ଏହି ପ୍ରତିଷ୍ଠିତ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ରମେଶ। ନିଜର ଅସାଧାରଣ ଦକ୍ଷତା ପ୍ରଦର୍ଶନ କରି ସେ ବିଭିନ୍ନ ଦେଶର ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି। ଏହି ବିଜୟ ସହ ସେ ବିଶ୍ୱ ଦରବାରରେ ଓଡ଼ିଶା ତଥା ଭାରତର ଗୌରବ ବଢ଼ାଇଛନ୍ତି ।
ରମେଶ ରାଓ ଜଣେ ପ୍ରତିଭାବାନ ପାରା-ଫେନ୍ସର। ସେ ପୂର୍ବରୁ ମଧ୍ୟ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ହାସଲ କରିଛନ୍ତି । ଜାତୀୟ ପାରା ଫେନ୍ସିଂ ଚାମ୍ପିୟନସିପ୍ ଏବଂ ଏସିଆନ୍ ପାରା ଗେମ୍ସ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ସେ ଭାରତର ପ୍ରତିନିଧିତ୍ୱ କରି ପ୍ରଶଂସିତ ହୋଇଛନ୍ତି । ରମେଶଙ୍କ ସ୍ୱର୍ଣ୍ଣ ଜିତିବା ଖବର ପହଞ୍ଚିବା ପରେ ତାଙ୍କ ଜନ୍ମମାଟି ଛତ୍ରପୁରରେ ଉତ୍ସବର ପରିବେଶ ଦେଖିବାକୁ ମିଳିଛି । ପରିବାର ଲୋକଙ୍କ ସହ ସ୍ଥାନୀୟ ବାସିନ୍ଦା ଏବଂ କ୍ରୀଡ଼ା ପ୍ରେମୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଓଡ଼ିଶାର ଯୁବ କ୍ରୀଡ଼ାବିତ୍ଙ୍କ ପାଇଁ ଏକ ପ୍ରେରଣା ସାଜିଛନ୍ତି ।

