ମୁମ୍ବାଇରେ ବର୍ଷା ମଧ୍ୟରେ ଘଟିଛି ଭୟଙ୍କର ଭୂସ୍ଖଳନ । ବୁଧବାର ଭୋର ପ୍ରାୟ ୩ଟା ସମୟରେ ଘାଟକୋପର ପଶ୍ଚିମ ଅଞ୍ଚଳର ନୱାଜ ଚାଲ୍ରେ ଲୋକେ ଗଭୀର ନିଦରେ ଥିବା ବେଳେ ହଠାତ୍ ପାହାଡ଼ର ଏକ ବଡ଼ ଅଂଶ କୁଡ଼ିଆ ଘର ଉପରେ ଖସିପଡ଼ିଥିଲା ।
ମୁମ୍ବାଇରେ ବର୍ଷା ମଧ୍ୟରେ ଘଟିଛି ଭୟଙ୍କର ଭୂସ୍ଖଳନ । ବୁଧବାର ଭୋର ପ୍ରାୟ ୩ଟା ସମୟରେ ଘାଟକୋପର ପଶ୍ଚିମ ଅଞ୍ଚଳର ନୱାଜ ଚାଲ୍ରେ ଲୋକେ ଗଭୀର ନିଦରେ ଥିବା ବେଳେ ହଠାତ୍ ପାହାଡ଼ର ଏକ ବଡ଼ ଅଂଶ କୁଡ଼ିଆ ଘର ଉପରେ ଖସିପଡ଼ିଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୬ରୁ ୭ଟି ଝୋପଡ଼ି ପ୍ରଭାବିତ ହୋଇଛି । ଭୂସ୍ଖଳନ ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ମାଟିତଳୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହିପରି ୪ରୁ ୫ ଜଣ ଲୋକ ଏବେ ବି ମାଟି ଓ ଧ୍ୱଂସାବଶେଷ ତଳେ ଫସିଥିବା ଆଶଙ୍କା କରାଯାଉଛି । ଘଟଣା ଏତେ ହଠାତ୍ ଘଟିଥିଲା ଯେ, ଲୋକଙ୍କୁ ସମ୍ଭାଳିବାକୁ ମଧ୍ୟ ସୁଯୋଗ ମିଳିନଥିଲା । ଘଟଣାସ୍ଥଳରେ NDRF, ମୁମ୍ବାଇ ଦମକଳ ବାହିନୀ, BMC ଏବଂ ପୁଲିସର ଟିମ୍ ପହଞ୍ଚି ଜୋରଦାର ଉଦ୍ଧାର ଅଭିଯାନ ଚଳାଇଛନ୍ତି । ମାଟି ତଳେ ଫସିଥିବା ଲୋକଙ୍କୁ ଜୀବିତ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚେଷ୍ଟା ଚାଲିଛି ।
ତେବେ ଘଟଣାସ୍ଥଳକୁ ଯିବା ରାସ୍ତା ସଂକୀର୍ଣ୍ଣ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଅଧିକାରୀମାନେ କହିଛନ୍ତି । ମୁମ୍ବାଇ ପୁଲିସର DCP ଗଣେଶ ଶିନ୍ଦେଙ୍କ କହିବା ଅନୁସାରେ, ଲଗାଣ ବର୍ଷା ଯୋଗୁଁ ଅଶୋକନଗର ଅଞ୍ଚଳରେ ଏହି ଭୂସ୍ଖଳନ ଘଟିଛି। ସମସ୍ତ ସମ୍ପୃକ୍ତ ଏଜେନ୍ସି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ମାଟି ତଳେ ଫସିଥିବା ଲୋକଙ୍କୁ ବାହାର କରିବା ହିଁ ଏବେ ପ୍ରଥମ ପ୍ରାଥମିକତା । ବର୍ଷା ଋତୁରେ ମୁମ୍ବାଇର ପାହାଡ଼ିଆ ଏବଂ ନିମ୍ନାଞ୍ଚଳରେ ଭୂସ୍ଖଳନ ଆଶଙ୍କା ବଢ଼ିଥିବା ବେଳେ ଏହି ଘଟଣା ପୁଣିଥରେ ଜନସୁରକ୍ଷା ଓ ବିପଦ ପରିଚାଳନା ଉପରେ ପ୍ରଶ୍ନ ଉଠାଇଛି । ଏବେ ସମସ୍ତଙ୍କ ନଜର ଉଦ୍ଧାର ଅଭିଯାନ ଉପରେ । ମାଟି ତଳେ ଫସିଥିବା ଲୋକମାନେ ସୁରକ୍ଷିତ ଭାବେ ବାହାରିବେ କି ନାହିଁ, ସେଇ ଆଶାରେ ରହିଛନ୍ତି ସେମାନଙ୍କ ପରିବାର ଓ ସ୍ଥାନୀୟ ଲୋକ ।

