ବୁକିଂର କିଛି ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ କେମିତି…

ଗ୍ରାହକଙ୍କୁ ଶୀଘ୍ର ଡେଲିଭରି, ଉନ୍ନତ ସେବା ଓ ଆଧୁନିକ ଏଲପିଜି ସୁବିଧା ଯୋଗାଇବା ଏହି ନୂଆ ସେବାର ମୁଖ୍ୟ ଲକ୍ଷ୍ୟ । କମ୍ପାନିର ଦାବି ଅନୁଯାୟୀ ପ୍ରାୟ ୩ରୁ ୪ ଘଣ୍ଟା ମଧ୍ୟରେ ତାଙ୍କ ଘରେ ସିଲିଣ୍ଡର ପହଞ୍ଚିପାରେ ।

ଗ୍ରାହକଙ୍କ ପାଇଁ ଖୁସି ଖବର । ଗ୍ୟାସ୍ ବୁକିଂ ପରେ ସିଲିଣ୍ଡର ଡେଲିଭରି ପାଇଁ ଲମ୍ବା ସମୟ ଅପେକ୍ଷା କରୁଥିବା ଗ୍ରାହକଙ୍କ ସମସ୍ୟାକୁ ଦୂର କରିବା ପାଇଁ ଇଣ୍ଡିଆନ୍ ଅଏଲ୍ ଏକ ନୂଆ ସେବା ଆରମ୍ଭ କରିଛି । ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଓ’ ନାମରେ ଆରମ୍ଭ ହୋଇଥିବା ଏହି ସେବା ଅଧୀନରେ ଗ୍ରାହକଙ୍କୁ ୧୦ କିଲୋଗ୍ରାମର ହାଲୁକା କମ୍ପୋଜିଟ୍ ଏଲପିଜି ସିଲିଣ୍ଡର ମିଳିବ । କମ୍ପାନିର ଦାବି ଅନୁଯାୟୀ, ଏହି ସେବା ମାଧ୍ୟମରେ ବୁକିଂ କରିବାର କିଛି ଘଣ୍ଟା ମଧ୍ୟରେ ଗ୍ରାହକଙ୍କ ଘରେ ସିଲିଣ୍ଡର ପହଞ୍ଚାଇ ଦିଆଯିବ। ଫଳରେ ଏଲପିଜି ରିଫିଲ୍ ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

କ’ଣ ଏହି ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଓ’?
‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଓ’ ହେଉଛି ଇଣ୍ଡିଆନ୍ ଅଏଲ୍‌ର ୧୦ କିଲୋଗ୍ରାମ କ୍ଷମତାର କମ୍ପୋଜିଟ୍ ଏଲ୍‌ପିଜି ସିଲିଣ୍ଡର । ପାରମ୍ପରିକ ଷ୍ଟିଲ୍ ସିଲିଣ୍ଡର ତୁଳନାରେ ଏହା ଅଧିକ ହାଲୁକା। ଏହାର ନିର୍ମାଣରେ ଜଙ୍ଗ ନ ଧରୁଥିବା ସାମଗ୍ରୀ ବ୍ୟବହାର କରାଯାଇଛି ।
ଏହି ସିଲିଣ୍ଡରର ଅନ୍ୟତମ ବିଶେଷତା ହେଉଛି ଏହାର ପାରଦର୍ଶୀ ଡିଜାଇନ୍ । ଏହା ଦ୍ୱାରା ସିଲିଣ୍ଡର ଭିତରେ କେତେ ପରିମାଣର ଗ୍ୟାସ୍ ବାକି ଅଛି, ତାହା ଗ୍ରାହକ ସହଜରେ ଦେଖିପାରିବେ । ଛୋଟ ପରିବାର କିମ୍ବା କମ୍ ଏଳ୍‌ପିଜି ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏହି ସିଲିଣ୍ଡର ବେଶ୍ ଉପଯୋଗୀ ହୋଇପାରେ ।
କମ୍ପାନିର ସୂଚନା ଅନୁଯାୟୀ, ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଓ’ ସେବା ଇଣ୍ଡେନ୍ ଡିଷ୍ଟ୍ରିବ୍ୟୁଟର ନେଟୱର୍କ ଏବଂ ଚୟନିତ ରିଟେଲ୍ ଆଉଟଲେଟ୍‌ ମାଧ୍ୟମରେ ଉପଲବ୍ଧ କରାଯିବ । ଗ୍ରାହକଙ୍କୁ ଶୀଘ୍ର ଡେଲିଭରି, ଉନ୍ନତ ସେବା ଓ ଆଧୁନିକ ଏଲପିଜି ସୁବିଧା ଯୋଗାଇବା ଏହି ନୂଆ ସେବାର ମୁଖ୍ୟ ଲକ୍ଷ୍ୟ । ଅର୍ଥାତ୍, ଯଦି ଜଣେ ଗ୍ରାହକ ସକାଳ ୭ଟାରେ ଏଲପିଜି ସିଲିଣ୍ଡର ବୁକ୍ କରନ୍ତି, ତେବେ କମ୍ପାନିର ଦାବି ଅନୁଯାୟୀ ପ୍ରାୟ ୩ରୁ ୪ ଘଣ୍ଟା ମଧ୍ୟରେ ତାଙ୍କ ଘରେ ସିଲିଣ୍ଡର ପହଞ୍ଚିପାରେ ।

କିପରି କରିବେ ବୁକିଂ?
ଗ୍ରାହକମାନେ ବିଭିନ୍ନ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଏହି ସେବା ପାଇଁ ବୁକିଂ କରିପାରିବେ । ଏଥିପାଇଁ ଗ୍ରାହକଙ୍କୁ ନିମ୍ନଲିଖିତ ମାଧ୍ୟମର ବ୍ୟବହାର କରିବାକୁ ପଡ଼ିବ ।

•    IndianOil ONE App
•    IndianOil Customer Portal
•    ଇଣ୍ଡିଆନ୍ ଅଏଲ୍ WhatsApp ନମ୍ବର: 7588888824

ଏହି ପ୍ଲାଟଫର୍ମଗୁଡ଼ିକ ମାଧ୍ୟମରେ ଘରେ ବସି ନୂଆ ଏଲପିଜି କନେକ୍ସନ୍ ପାଇଁ ଆବେଦନ କରିବା ସହ ରିଫିଲ୍ ମଧ୍ୟ ବୁକ୍ କରିପାରିବେ ।

ଜାଣନ୍ତୁ ସିଲିଣ୍ଡରର ପ୍ରମୁଖ ବିଶେଷତା
•    ବୁକିଂର ୩ରୁ ୪ ଘଣ୍ଟା ମଧ୍ୟରେ ଡେଲିଭରି ଦେବାର ଦାବି ।
•    ହାଲୁକା ହୋଇଥିବାରୁ ଏହାକୁ ଉଠାଇବା ଓ ସ୍ଥାନାନ୍ତର କରିବା ସହଜ ।
•    ନୂଆ କନେକ୍ସନ୍ ପାଇଁ ତୁଳନାମୂଳକ ଭାବେ କମ୍ ଡକ୍ୟୁମେଣ୍ଟ ଆବଶ୍ୟକ ।
•    ଡିଜିଟାଲ୍ ବୁକିଂ ଓ ଟ୍ରାକିଂ ସୁବିଧା ଉପଲବ୍ଧ ।
•    ଅଧିକ ସୁରକ୍ଷିତ ଓ ସୁବିଧାଜନକ ବ୍ୟବହାରର ସୁଯୋଗ ।

Leave a Reply

Your email address will not be published. Required fields are marked *