ମୁଖ୍ୟମନ୍ତ୍ରୀଙ୍କ ଡକାଇଥିବା ବୈଠକରେ ପ୍ରାୟ ୨୦ ଜଣ ସାଂସଦ ଯୋଗ ଦେଇଥିବା ବେଳେ ୩୭ ଜଣ ଅନୁପସ୍ଥିତ ରହିଥିଲେ । ଏହାକୁ ରାଜନୈତିକ ମହଲରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ବଡ଼ ଝଟକା ଭାବେ ଦେଖାଯାଉଛି ।
ପ୍ରସ୍ତାବିତ ଲୋକସଭା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାକୁ ନେଇ ତାମିଲନାଡୁ ରାଜନୀତିରେ ଚର୍ଚ୍ଚା ତୀବ୍ର ହୋଇଛି । ସୀମା ପୁନଃନିର୍ଦ୍ଧାରଣ ପରେ ରାଜ୍ୟର ସଂସଦୀୟ ପ୍ରତିନିଧିତ୍ୱ ଉପରେ ସମ୍ଭାବ୍ୟ ପ୍ରଭାବକୁ ନେଇ ଆଲୋଚନା କରିବା ପାଇଁ ଅଗଷ୍ଟ ୮ରେ ମୁଖ୍ୟମନ୍ତ୍ରୀ ଏସ୍. ଜୋସେଫ୍ ବିଜୟ ରାଜ୍ୟର ସମସ୍ତ ସାଂସଦଙ୍କୁ ନେଇ ବୈଠକ ଡାକିଥିଲେ । ହେଲେ ଏହି ବୈଠକରେ ଅଧିକାଂଶ ସାଂସଦ ଯୋଗ ଦେଇନଥିଲେ । ତାମିଲନାଡୁରେ ଲୋକସଭାର ୩୯ ଏବଂ ରାଜ୍ୟସଭାର ୧୮ ଜଣଙ୍କୁ ମିଶାଇ ମୋଟ ୫୭ ଜଣ ସାଂସଦ ଅଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଡକାଇଥିବା ବୈଠକରେ ପ୍ରାୟ ୨୦ ଜଣ ସାଂସଦ ଯୋଗ ଦେଇଥିବା ବେଳେ ୩୭ ଜଣ ଅନୁପସ୍ଥିତ ରହିଥିଲେ । ଏହାକୁ ରାଜନୈତିକ ମହଲରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକ ବଡ଼ ଝଟକା ଭାବେ ଦେଖାଯାଉଛି ।
ବୈଠକରେ ଯୋଗ ଦେଇଥିବା ସାଂସଦଙ୍କ ମଧ୍ୟରେ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳର ପ୍ରତିନିଧି ଅଧିକ ଥିଲେ । କଂଗ୍ରେସର ୧୨ ଜଣ ସାଂସଦଙ୍କ ସହ ଭିସିକେ, ସିପିଆଇ ଓ ସିପିଏମ୍ର ୨ ଜଣ ଲେଖାଏଁ ସାଂସଦ ବୈଠକରେ ଯୋଗ ଦେଇଥିଲେ । ଏହାଛଡ଼ା ଏମଡିଏମକେ ଏବଂ ଆଇୟୁଏମଏଲ୍ର ଜଣେ ଲେଖାଏଁ ସାଂସଦ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଡିଏମକେ ପୂର୍ବରୁ ହିଁ ବୈଠକ ବର୍ଜନ କରିବା ନେଇ ଘୋଷଣା କରିଥିଲା । ଡିଏମକେର ୩୦ ଜଣ ସାଂସଦଙ୍କ ସହ ଏଆଇଏଡିଏମକେର ୪, ପିଏମକେ, ଏମଏନଏମ ଓ ଡିଏମଡିକେର ଜଣେ ଲେଖାଏଁ ସାଂସଦ ବୈଠକରେ ଯୋଗ ଦେଇନଥିଲେ ।
ଡିଏମକେ ପକ୍ଷରୁ କୁହାଯାଇଛି ଯେ ସୀମା ପୁନଃନିର୍ଦ୍ଧାରଣ ଭଳି ବଡ଼ ପ୍ରସଙ୍ଗରେ ଆଲୋଚନା ପୂର୍ବରୁ ଦଳର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା ହେବା ଆବଶ୍ୟକ ଥିଲା । କେବଳ ସାଂସଦଙ୍କୁ ଡାକି ବୈଠକ କରିବାକୁ ଦଳ ଉଚିତ ପଦକ୍ଷେପ ବୋଲି ମନେ କରୁନାହିଁ ।
କାବେରୀ ବିବାଦକୁ ନେଇ ମଧ୍ୟ ରାଜନୈତିକ ଟଣାଓଟରା
ବୈଠକକୁ ବର୍ଜନ କରିଥିବା କିଛି ସାଂସଦଙ୍କ ଅଭିଯୋଗ ହେଉଛି, ସରକାର କାବେରୀ ଜଳ ବିବାଦ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗକୁ ଆଗକୁ ଟଣାଯାଉଛି । କାବେରୀ ନଦୀ ଜଳ ବଣ୍ଟନକୁ ନେଇ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଛି । କର୍ଣ୍ଣାଟକ ସରକାର ମେକେଦାଟୁ ପ୍ରକଳ୍ପ ନିର୍ମାଣ କରିବାକୁ ଚାହୁଁଥିବା ବେଳେ ତାମିଲନାଡୁ ଏହାକୁ ବିରୋଧ କରୁଛି । ଏହି ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନାର ପ୍ରସ୍ତାବ ଦିଆଯାଇଥିବା ମଧ୍ୟ କୁହାଯାଇଛି ।
ବିରୋଧ କରିବ କଂଗ୍ରେସ
ସେପଟେ କଂଗ୍ରେସ ସାଂସଦ କାର୍ତ୍ତି ଚିଦମ୍ବରମ କହିଛନ୍ତି ଯେ ତାମିଲନାଡୁର ସଂସଦୀୟ ପ୍ରତିନିଧିତ୍ୱ କୌଣସି ପରିସ୍ଥିତିରେ କମିବା ଉଚିତ୍ ନୁହେଁ । ଜନସଂଖ୍ୟା କିମ୍ବା ଅନ୍ୟ କୌଣସି ଆଧାରରେ ରାଜ୍ୟର ଲୋକସଭା ଆସନ କମାଇବା ପଦକ୍ଷେପକୁ କଂଗ୍ରେସ ବିରୋଧ କରିବ ବୋଲି ସେ କହିଛନ୍ତି । ତାଙ୍କ ଅନୁସାରେ, ଲୋକସଭାର ମୋଟ ୫୪୩ଟି ଆସନର ବର୍ତ୍ତମାନର ସଂଖ୍ୟା ବଜାୟ ରହିବା ଉଚିତ୍ । ଏହା ସହ ତାମିଲନାଡୁର ୩୯ଟି ଲୋକସଭା ଆସନ ମଧ୍ୟ ପୂର୍ବପରି ରହିବା ଦରକାର । ଚିଦମ୍ବରମ କହିଛନ୍ତି ଯେ ସଂସଦରେ ତାମିଲନାଡୁର ପ୍ରତିନିଧିତ୍ୱ କମିଲେ ରାଜ୍ୟର ଅଧିକାର ଦୁର୍ବଳ ହୋଇପାରେ । ତେଣୁ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାରେ ରାଜ୍ୟର ହିତ ଓ ପ୍ରତିନିଧିତ୍ୱ ସୁରକ୍ଷିତ ରଖିବା ହିଁ ଦଳର ପ୍ରମୁଖ ଦାବି ବୋଲି ସେ ସ୍ପଷ୍ଟ କରିଛନ୍ତି ।

