ବରିଷ୍ଠ ଜାତୀୟ ଚେସ୍‌ ପାଇଁ ନୂଆ ତାରିଖ ଘୋଷଣା: ବାରାଣାସୀରେ ନଭେମ୍ବର ୨୯ରୁ ଆରମ୍ଭ ହେବ ପ୍ରତିଯୋଗିତା

ସର୍ବଭାରତୀୟ ଚେସ୍‌ ମହାସଂଘ (AICF) ବରିଷ୍ଠ ଜାତୀୟ ଚେସ୍‌ ପ୍ରତିଯୋଗିତାର ନୂଆ ତାରିଖ ଘୋଷଣା କରିଛି । ଏହି ପ୍ରତିଯୋଗିତା ଏବେ ନଭେମ୍ବର ୨୯ରୁ ଡିସେମ୍ବର ୯ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ବାରାଣାସୀରେ ଅନୁଷ୍ଠିତ ହେବ ।

ସର୍ବ ଭାରତୀୟ ଚେସ୍‌ ମହାସଂଘ (AICF) ବୁଧବାର ବରିଷ୍ଠ ଜାତୀୟ ଚେସ୍‌ ପ୍ରତିଯୋଗିତା ପାଇଁ ସୂଚୀରେ ପରିବର୍ତ୍ତନ କରି ନୂଆ ତାରିଖ ଘୋଷଣା କରିଛି । ଆସନ୍ତା ନଭେମ୍ବର ୨୯ରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଉତ୍ତର ପ୍ରଦେଶର ପବିତ୍ର ସହର ବାରାଣାସୀଠାରେ ଅନୁଷ୍ଠିତ ହେବ ।

ପୂର୍ବରୁ AICF ଏହି ୨୦୨୬ ସଂସ୍କରଣ ପ୍ରତିଯୋଗିତାକୁ ୨୦୨୭ ମାର୍ଚ୍ଚ ୨୫ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବାକୁ ସ୍ଥିର କରିଥିଲା । ମାତ୍ର ଏହି ନିଷ୍ପତ୍ତିକୁ ନେଇ ଅର୍ଜୁନ ପୁରସ୍କାରପ୍ରାପ୍ତ ତଥା ୫ ଥରର ରାଜ୍ୟଗୋଷ୍ଠୀ ବିଜେତା ଗ୍ରାଣ୍ଡମାଷ୍ଟର ଅଭିଜିତ ଗୁପ୍ତା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଗଭୀର ଅସନ୍ତୋଷ ଓ ଚିନ୍ତା ପ୍ରକଟ କରିଥିଲେ ।

ଗ୍ରାଣ୍ଡମାଷ୍ଟର ଗୁପ୍ତା ନିଜ ପୋଷ୍ଟ୍‌ରେ ଲେଖିଥିଲେ ଯେ, ୨୦୨୬ର ଟୁର୍ଣ୍ଣାମେଣ୍ଟକୁ ୨୦୨୭ ମାର୍ଚ୍ଚରେ କରାଇବା କେତେଦୂର ଯୁକ୍ତିଯୁକ୍ତ? ଏହାସହ ମାର୍ଚ୍ଚ ମାସରେ ଛାତ୍ରଛାତ୍ରୀମାନଙ୍କର ବାର୍ଷିକ ପରୀକ୍ଷା ଥିବାରୁ ଅନେକ ଉଦୀୟମାନ ଚେସ୍‌ ଖେଳାଳି ଏଥିରେ ଭାଗ ନେବାରୁ ବଞ୍ଚିତ ହେବେ ବୋଲି ସେ ଦର୍ଶାଇଥିଲେ ।

ଏହି ସମାଲୋଚନା ଓ ପ୍ରତିକ୍ରିୟା ପରେ AICF ତୁରନ୍ତ ଏକ ଜରୁରୀ ବୈଠକ ଡାକି ପ୍ରମୁଖ ଅଂଶୀଦାରଙ୍କ ସହ ଆଲୋଚନା କରିଥିଲା । ସମସ୍ତଙ୍କ ସୁବିଧା ଓ ଖେଳାଳିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହାସଂଘ ନିଜ ନିଷ୍ପତ୍ତି ବଦଳାଇ ଚଳିତ ବର୍ଷ ଶେଷରେ ପ୍ରତିଯୋଗିତା ଆୟୋଜନ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି ।  

Leave a Reply

Your email address will not be published. Required fields are marked *