ରେଶମ ସହରର ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଦୋକାନ ବଜାର ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଯୁଗ ବଦଳିଛି କିନ୍ତୁ ଆଜି ବି ଅଧିକାଂଶ ଦୋକାନରେ ବ୍ୟବହାର ହେଉଛି ନିକିତି ଓ ବଟକରା
ରେଶମ ସହରର ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଦୋକାନ ବଜାର ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଯୁଗ ବଦଳିଛି କିନ୍ତୁ ଆଜି ବି ଅଧିକାଂଶ ଦୋକାନରେ ବ୍ୟବହାର ହେଉଛି ନିକିତି ଓ ବଟକରା । ଓଜନ ଓ ମାପ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ ହେଉନି । ଫଳରେ ଅସାଧୁ ବ୍ୟବସାୟୀ ମାଲାମାଲ୍ ହେଉଥିବା ବେଳେ ଗ୍ରାହକ ଠକାମିର ଶିକାର ହେଉଛନ୍ତି।
ଦକ୍ଷିଣ ଓଡ଼ିଶାର ବ୍ୟବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁର। ଏବେ ଅସାଧୁ ବ୍ୟବସାୟୀଙ୍କ କବଳରେ ସାରା ସହର। ଅଧିକାଂଶ ଦୋକାନରେ ବିକ୍ରିବଟା ଲାଗି ଆଜି ବି ବ୍ୟବହାର ହେଉଛି ନିକିତି ଓ ବଟକରା। ହେଲେ ମାପ ଓ ଓଜନ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ ହେଉନି। ଏହାର ଫାଇଦା ନେଇ ଠକି ଚାଲିଛନ୍ତି ବ୍ୟବସାୟୀ। ଆଉ ଠକାମିର ଶିକାର ହେଉଛନ୍ତି ଗ୍ରାହକ। ବ୍ୟବସାୟୀ ବ୍ୟବହାର କରୁଥିବା ନିକିତି ଓ ଓଜନ ମେସିନ୍ ଗୁଡ଼ିକରେ ବ୍ୟାପକ ଜାଲିଆତି ହେଉଛି। କିଲୋ ପ୍ରତି ୧୦୦ରୁ ୧୫୦ ଗ୍ରାମ ହେରଫେର ହେଉଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ସରକାରୀ ସ୍ୱୀକୃତିପ୍ରାପ୍ତ ରାସନ କେନ୍ଦ୍ର ମଧ୍ୟ ଏଥିରୁ ବାଦ୍ ପଡୁନି। ଆଉ ଆଜିର ମହଙ୍ଗା ଯୁଗରେ ବିଚରା ସାଧାରଣ ଖାଉଟିଟି ଏଭଳି ଠକାମିର ଶିକାର ହେଉଛି।
ସହରର ଅନେକ ସ୍ଥାନରେ ଡିଜିଟାଲ ଓଜନ ମେସିନ୍ ବ୍ୟବହାର ହେଉଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ବହୁତ ପୁରୁଣା ହାତ ନିକିତି ଓ ବଟକରା ବ୍ୟବହାର କରାଯାଉଛି। ଆଉ ସେଗୁଡ଼ିକର ବର୍ଷ ବର୍ଷ ଧରି ନବୀକରଣ ହେଉ ନାହିଁ। ଅଧିକାଂଶ ବ୍ୟବସାୟୀ ୫୦ ଓ ୧୦୦ ଗ୍ରାମ ବଟକରା ସ୍ଥାନରେ ପଥରକୁ ବିକଳ୍ପ ଭାବେ ବ୍ୟବହାର କରୁଛନ୍ତି । ଗତ ୫ବର୍ଷରେ ୫୯୦ଜଣ ଅସାଧୁ ବ୍ୟବସାୟୀଙ୍କ ଠାରୁ ୧୬ ଲକ୍ଷ ୬୮ ହଜାର ୪୦୦ଟଙ୍କା ଜରିମାନା ଆଦାୟ ହୋଇଛି। ଆଗକୁ ଏହାକୁ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ। ଗୋଟିଏ ପଟେ ମହଙ୍ଗା ମାଡ଼ ଅନ୍ୟପଟେ ଅସାଧୁ ବ୍ୟବସାୟୀଙ୍କ ଲୁଟ୍ର ଶିକାର ହେଉଛି ଖାଉଟି । କେବେ ସକ୍ରିୟ ହେବ ଓଜନ ଓ ମାପ ବିଭାଗ ତା ଉପରେ ସମସ୍ତଙ୍କ ନଜର।

