ଇଣ୍ଡିଆନ ପବ୍ଲିକ ସ୍କୁଲର ଛାତ୍ର ସିବିଏସଇ କ୍ଲଷ୍ଟର ସନ୍ତରଣ ପ୍ରତିଯୋଗିତାରେ ଜିତିଲେ କାଂସ୍ୟ ପଦକ

ଇଣ୍ଡିଆନ ପବ୍ଲିକ ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ଶ୍ରେୟାଂଶ ତ୍ରିପାଠୀ CBSE କ୍ଲଷ୍ଟର ସ୍ୱିମିଂ ଚାମ୍ପିୟନସିପ୍ ୨୦୨୬ରେ ଅଣ୍ଡର-୧୧ ବାଳକ ବର୍ଗର ୫୦ ମିଟର ବ୍ୟାକଷ୍ଟ୍ରୋକ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଛନ୍ତି। ତାଙ୍କ ସଫଳତାରେ ବିଦ୍ୟାଳୟ, ପିତାମାତା ଏବଂ ସମଗ୍ର ସମ୍ବଲପୁର ଗର୍ବିତ।

ସମ୍ବଲପୁରର ଇଣ୍ଡିଆନ ପବ୍ଲିକ ସ୍କୁଲ ପାଇଁ ଏହା ଅତ୍ୟନ୍ତ ଆନନ୍ଦ ଓ ଗୌରବର ବିଷୟ ଯେ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ପ୍ରତିଭାବାନ ଛାତ୍ର ଶ୍ରେୟାଂଶ ତ୍ରିପାଠୀ ସିବିଏସଇ କ୍ଲଷ୍ଟର ସ୍ୱିମିଂ ଚାମ୍ପିୟନସିପ୍ ୨୦୨୬ ରେ ଚମତ୍କାର ପ୍ରଦର୍ଶନ କରି ଅଣ୍ଡର-୧୧ ବାଳକ ବର୍ଗର ୫୦ ମିଟର ବ୍ୟାକଷ୍ଟ୍ରୋକ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ବିଦ୍ୟାଳୟ, ନିଜ ପିତାମାତା ଏବଂ ସମଗ୍ର ସମ୍ବଲପୁରର ନାମ ଗୌରବାନ୍ୱିତ କରିଛନ୍ତି।ଏହି ପ୍ରତିଷ୍ଠିତ ପ୍ରତିଯୋଗିତା ୨୬ ରୁ ୨୮ ଜୁଲାଇ ୨୦୨୬ ପର୍ୟ୍ୟନ୍ତ ଦିଲ୍ଲୀ ପବ୍ଲିକ ସ୍କୁଲ, ଭିଲାଇ (ଛତିଶଗଡ଼) ଠାରେ ଆୟୋଜିତ ହୋଇଥିଲା । ଯେଉଁଥିରେ ସାରା ଦେଶର ବିଭିନ୍ନ ସିବିଏସଇ ବିଦ୍ୟାଳୟର ପ୍ରତିଭାବାନ ସନ୍ତରଣକାରୀମାନେ ଭାଗ ନେଇଥିଲେ। କଠିନ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଶ୍ରେୟାଂଶ ନିଜର ଉତ୍କୃଷ୍ଟ ପ୍ରଦର୍ଶନ, ଶୃଙ୍ଖଳା, ନିରନ୍ତର ଅଭ୍ୟାସ ଏବଂ ଆତ୍ମବିଶ୍ୱାସ ବଳରେ କାଂସ୍ୟ ପଦକ ନିଜ ନାମରେ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ଶ୍ରୀ ସଚିନ ପାଠକ ଶ୍ରେୟାଂଶଙ୍କ ଏହି ଉଲ୍ଲେଖନୀୟ ସଫଳତାରେ ପ୍ରସନ୍ନତା ବ୍ୟକ୍ତ କରି କହିଛନ୍ତି ଯେ, ଏହି ସଫଳତା ବିଦ୍ୟାଳୟରେ କ୍ରୀଡ଼ା ପ୍ରତିଭାକୁ ନିରନ୍ତର ପ୍ରୋତ୍ସାହିତ କରିବା ଏବଂ ବିଦ୍ୟାର୍ଥୀମାନଙ୍କୁ ଉତ୍କୃଷ୍ଟ ମଞ୍ଚ ଯୋଗାଇଦେବାର ପ୍ରୟାସର ପରିଣାମ ଅଟେ।

ସେ ଶ୍ରେୟାଂଶଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇବା ସହ କହିଛନ୍ତି ଯେ ତାଙ୍କର ଏହି ସଫଳତା ଅନ୍ୟ ବିଦ୍ୟାର୍ଥୀମାନଙ୍କୁ ମଧ୍ୟ କ୍ରୀଡ଼ା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିବା ପାଇଁ ପ୍ରେରିତ କରିବ।ବିଦ୍ୟାଳୟର ଚେୟାରପର୍ସନ ଶ୍ରୀମତୀ ସୁମନ ଡାଲମିଆ ମଧ୍ୟ ଶ୍ରେୟାଂଶ ତ୍ରିପାଠୀ, ତାଙ୍କ ଅଭିଭାବକ ଏବଂ ପ୍ରଶିକ୍ଷକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।ବିଦ୍ୟାଳୟ ପରିବାର ଶ୍ରେୟାଂଶଙ୍କ ଏହି ସଫଳତାରେ ଆନନ୍ଦ ବ୍ୟକ୍ତ କରି ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଏବଂ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ସେ ଆଗାମୀ ସମୟରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜ ପ୍ରତିଭାର ଉତ୍କୃଷ୍ଟ ପ୍ରଦର୍ଶନ କରି ବିଦ୍ୟାଳୟ ଓ ଦେଶର ଗୌରବ ବଢ଼ାଇବେ।

Leave a Reply

Your email address will not be published. Required fields are marked *