୭୬ ବର୍ଷରେ ମୋଦୀ, ଜନ୍ମଦିନରେ ବିଜେପିର ବଡ଼ ଆୟୋଜନ: ଭଦନଗରରୁ ବାରାଣସୀ ଯାଏଁ ‘ସେବା ସଙ୍କଳ୍ପ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୬ ବର୍ଷ ପୂରଣ କରିଛନ୍ତି । ତାଙ୍କ ଜନ୍ମଦିନକୁ ବିଜେପି ‘ସେବା ଦିବସ’ ଭାବେ ପାଳନ କରୁଥିବା ବେଳେ ଭଦନଗରରୁ ବାରାଣସୀ ଓ ବାରାଣସୀରୁ ଭଦନଗର ପର୍ଯ୍ୟନ୍ତ ଦୁଇଟି ‘ସେବା ସଙ୍କଳ୍ପ’ ବାଇକ୍ ଯାତ୍ରା ଆରମ୍ଭ ହେଉଛି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ । ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟର ଭଦନଗରରେ ଜନ୍ମ ନେଇଥିବା ମୋଦୀ ୭୬ ବର୍ଷ ପୂରଣ କରିଛନ୍ତି। ତାଙ୍କ ଜନ୍ମଦିନକୁ ନେଇ ବିଜେପି ପକ୍ଷରୁ ଦେଶବ୍ୟାପୀ ଭାବେ ବିଭିନ୍ନ ସେବା ଓ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦଳ ପକ୍ଷରୁ ଏହି ଅବସରକୁ ‘ସେବା ଦିବସ’ ଭାବେ ପାଳନ କରାଯାଉଛି । ମୋଦୀଙ୍କ ଜନ୍ମଦିନ ସହ ତାଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂରଣକୁ ମଧ୍ୟ ବିଜେପି ଏଥରର କାର୍ଯ୍ୟକ୍ରମରେ ପ୍ରମୁଖତା ଦେଇଛି। ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ହେବାଠାରୁ ଆଜି ପର୍ଯ୍ୟନ୍ତ ତାଙ୍କ ରାଜନୈତିକ ଯାତ୍ରାକୁ ଦଳ ପକ୍ଷରୁ ବିଭିନ୍ନ ସେବା କାର୍ଯ୍ୟକ୍ରମ ଜରିଆରେ ସ୍ମରଣ କରାଯାଉଛି।

ଏହି ଅବସରରେ ଗୁଜରାଟର ଭଦନଗରରୁ ଉତ୍ତରପ୍ରଦେଶର ବାରାଣସୀ ଏବଂ ବାରାଣସୀରୁ ଭଦନଗର ପର୍ଯ୍ୟନ୍ତ ଦୁଇଟି ‘ସେବା ସଙ୍କଳ୍ପ’ ବାଇକ୍ ଯାତ୍ରା ଆରମ୍ଭ ହେଉଛି। ଭଦନଗରରୁ ବାରାଣସୀ ଯାତ୍ରାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବାରାଣସୀରୁ ଭଦନଗର ଯାତ୍ରାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁଭାରମ୍ଭ କରିବେ। ଏହି ଦୁଇ ଯାତ୍ରା ପ୍ରଧାନମନ୍ତ୍ରୀଙ୍କ ଜନ୍ମଭୂମି ଭଦନଗର ଓ ତାଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ବାରାଣସୀକୁ ଯୋଡ଼ିବ । ରିପୋର୍ଟ ଅନୁସାରେ, ଏହି ଦୁଇଟି ବାଇକ୍ ଯାତ୍ରା ୧୦ଟି ରାଜ୍ୟର ପ୍ରାୟ ୧୯୩ଟି ଜିଲ୍ଲା ଓ ୧,୧୫୯ଟି ଗାଁ ଦେଇ ଯିବ। ମୋଟ ପ୍ରାୟ ୪୦ ହଜାର କିଲୋମିଟର ଯାତ୍ରା କରିବାକୁ ଥିବା ଏହି ଅଭିଯାନରେ ପ୍ରାୟ ୧,୦୦୦ ଯୁବକ ଯୋଗଦେବେ।

ଯାତ୍ରାଗୁଡ଼ିକର ସମାପ୍ତି ଅକ୍ଟୋବର ୭ରେ ଭଦନଗରରେ ହେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆଜି ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ରକ୍ତଦାନ ଶିବିରର ଉଦ୍‌ଘାଟନ କରିବେ। ଏହାପରେ ସେ ମଧ୍ୟପ୍ରଦେଶ ଗସ୍ତ କରି ଇନ୍ଦୋର ଓ ଉଜ୍ଜୟିନୀରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଉଜ୍ଜୟିନୀର ରାମଘାଟରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ସହ ମହାକାଳେଶ୍ୱର ମନ୍ଦିରରେ ‘ଭସ୍ମ ଆରତୀ’ରେ ମଧ୍ୟ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ଅଭିଯାନ ସହ ଅନ୍ୟାନ୍ୟ ସେବାମୂଳକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। ସନ୍ଧ୍ୟାରେ ଦେଶର ୭୦୦ରୁ ଅଧିକ ସ୍ଥାନରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ହେବା ନେଇ ବିଜେପି ପକ୍ଷରୁ କୁହାଯାଇଛି । ବିଜେପି ପକ୍ଷରୁ ଗୁରୁବାରଠାରୁ ମାସେ ବ୍ୟାପୀ ‘ସେବା ସଙ୍କଳ୍ପ ଅଭିଯାନ’ ଆରମ୍ଭ କରାଯାଉଛି। ଦଳ ପକ୍ଷରୁ କୁହାଯାଇଛି, ଏହି ଅଭିଯାନରେ ସେବା, ସ୍ୱଚ୍ଛତା, ରକ୍ତଦାନ ଓ ବିଭିନ୍ନ ଜନସେବାମୂଳକ କାର୍ଯ୍ୟକ୍ରମକୁ ସାମିଲ କରାଯିବ।

Leave a Reply

Your email address will not be published. Required fields are marked *