ISSF ୱାର୍ଲ୍ଡ କପ୍ରେ ଭାରତୀୟ ଶୁଟରମାନଙ୍କ ଜବରଦସ୍ତ ପ୍ରଦର୍ଶନ । ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ଇଶା ସିଂହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ, ଦୁଇଥର ଅଲିମ୍ପିକ୍ ପଦକ ବିଜେତା ମନୁ ଭାକର କାଂସ୍ୟ ପଦକ ହାସଲ କରିଛନ୍ତି ।
ISSF ୱାର୍ଲ୍ଡ କପ୍ରେ ଭାରତୀୟ ଶୁଟରମାନଙ୍କ ଜବରଦସ୍ତ ପ୍ରଦର୍ଶନ । ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ଇଶା ସିଂହ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ, ଦୁଇଥର ଅଲିମ୍ପିକ୍ ପଦକ ବିଜେତା ମନୁ ଭାକର କାଂସ୍ୟ ପଦକ ହାସଲ କରିଛନ୍ତି । ଏହି ସଫଳତା ସହ ୱାର୍ଲ୍ଡ କପ୍ରେ ଭାରତର ପଦକ ସଂଖ୍ୟା ତିନିରେ ପହଞ୍ଚିଛି । ଚୀନର ହାଙ୍ଗଜୋଉରେ ଚାଲିଥିବା ISSF ୱାର୍ଲ୍ଡ କପ୍ରେ ଭାରତୀୟ ଶୁଟରମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ମହିଳା ୨୫ ମିଟର ପିସ୍ତଲ ବିଭାଗରେ ବିଶ୍ୱ ରେକର୍ଡଧାରୀ ଇଶା ସିଂହ ଫାଇନାଲରେ ଆରମ୍ଭରୁ ଆଧିପତ୍ୟ ବଜାୟ ରଖି ୫୦ଟି ଶଟ୍ରୁ ୪୦ ପଏଣ୍ଟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ଆୟୋଜକ ଚୀନର ୟୁୟୁଏ ଝାଙ୍ଗଙ୍କୁ ୩ ପଏଣ୍ଟରେ ପଛରେ ପକାଇ ଚାମ୍ପିଅନ୍ ହୋଇଛନ୍ତି ।
ଅନ୍ୟପଟେ ଦୁଇଥର ଅଲିମ୍ପିକ୍ ପଦକ ବିଜେତା ମନୁ ଭାକର ମଧ୍ୟ ଦମଦାର ପ୍ରଦର୍ଶନ କରି କାଂସ୍ୟ ପଦକ ଜିତିଛନ୍ତି । କାଂସ୍ୟ ପଦକ ପାଇଁ ହୋଇଥିବା ମୁକାବିଲାରେ ଉତ୍ତର କୋରିଆର ହ୍ୟୋନ୍ ଗ୍ୟୋଙ୍ଗ ପାକ୍ଙ୍କ ସହ କଡ଼ା ଟକ୍କର ପରେ ଡବଲ୍ ଶୁଟ୍-ଅଫ୍ରେ ବିଜୟ ହାସଲ କରିଥିଲେ ମନୁ ।
ଇଶାଙ୍କ ସ୍ୱର୍ଣ୍ଣ ଓ ମନୁଙ୍କ କାଂସ୍ୟ ସହ ଭାରତର ମୋଟ ପଦକ ସଂଖ୍ୟା ତିନିରେ ପହଞ୍ଚିଛି । ଏହାପୂର୍ବରୁ ସୈନ୍ୟମ ମହିଳା ୧୦ ମିଟର ଏୟାର ପିସ୍ତଲରେ ରୌପ୍ୟ ପଦକ ଜିତିଥିଲେ । ବର୍ତ୍ତମାନ ପଦକ ତାଲିକାରେ ଚୀନ ୧୪ଟି ପଦକ ସହ ପ୍ରଥମ ସ୍ଥାନରେ ଥିବାବେଳେ, ଭାରତ ୩ଟି ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତୀୟ ଶୁଟରଙ୍କ ଏହି ସଫଳତା ଆଗାମୀ ବଡ଼ ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ଆଶା ବଢ଼ାଇଛି ।

