ପରାମର୍ଶଦାତାଙ୍କୁ ସରକାରଙ୍କ ବଡ଼ ଆଶ୍ୱସ୍ତି ; ଆଉ ୩ ମାସ ବଢ଼ିଲା ପାରିଶ୍ରମିକର ଅବଧି

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତା, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ଓ ଟେକ୍ନିକାଲ ସପୋର୍ଟ ୟୁନିଟକୁ ଆଶ୍ବସ୍ତି।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ମିଶନ ଓ ପ୍ରକଳ୍ପରେ କାର୍ଯ୍ୟରତ ପରାମର୍ଶଦାତା (Consultants), ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍‌ (PMU), ଟେକ୍ନିକାଲ୍‌ ସପୋର୍ଟ ୟୁନିଟ୍‌ (TSU) ଏବଂ ଅନ୍ୟ ସମାନ ପ୍ରକାରର ସଂସ୍ଥାମାନଙ୍କ ପାଇଁ ରାଜ୍ୟ ସରକାର ପୁଣି ଥରେ ରିହାତି ଘୋଷଣା କରିଛନ୍ତି । ଏହି ବ୍ୟବସ୍ଥାର ଅବଧିକୁ ୨୦୨୬ ଜୁଲାଇ ୧ରୁ ବଢ଼ାଇ ୨୦୨୬ ଅକ୍ଟୋବର ୧ ପର୍ଯ୍ୟନ୍ତ କରାଯାଇଛି । ଏହାଫଳରେ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ପାଇଁ ସେମାନଙ୍କ ପାରିଶ୍ରମିକ ପ୍ରଦାନର ପଥ ପରିଷ୍କାର ହୋଇଛି । 

ଅର୍ଥ ବିଭାଗ ପକ୍ଷରୁ ଜାରି ହୋଇଥିବା ଅଫିସ୍‌ ମେମୋରାଣ୍ଡମ୍‌ରେ କୁହାଯାଇଛି ଯେ, ୨୦୨୫ ଜୁଲାଇ ୩୧ରେ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ଏହି ଶ୍ରେଣୀର ନିଯୁକ୍ତି ପାଇଁ ଲାଗୁ ଥିବା ବ୍ୟବସ୍ଥା ୨୦୨୬ ଜୁଲାଇ ୧ ପର୍ଯ୍ୟନ୍ତ ବଳବତ୍ତର ଥିଲା । ବର୍ତ୍ତମାନ ସରକାର ଏହି ଅବଧିକୁ ଆଉ ତିନି ମାସ ବୃଦ୍ଧି କରି ୨୦୨୬ ଅକ୍ଟୋବର ୧ ପର୍ଯ୍ୟନ୍ତ କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ୨୦୨୬ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପରାମର୍ଶଦାତା, ପିଏମୟୁ, ଟିଏସୟୁ ଏବଂ ଅନ୍ୟ ସମାନ ପ୍ରକାରର ସଂସ୍ଥାମାନଙ୍କ ପାରିଶ୍ରମିକ ପ୍ରଦାନ କରାଯାଇପାରିବ। ଏଥିପାଇଁ ସମସ୍ତ ବିଭାଗକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅର୍ଥ ବିଭାଗ ଅନୁମତି ଦେଇଛି । 

ସୂଚନାଯୋଗ୍ୟ ଯେ, ବିଭିନ୍ନ ସରକାରୀ ବିଭାଗରେ ପ୍ରକଳ୍ପ ପରିଚାଳନା, ବୈଷୟିକ ସହାୟତା, ଗବେଷଣା, ଆଇଟି, ମନିଟରିଂ ଓ ଯୋଜନା କାର୍ଯ୍ୟକାରୀ କରିବା ଲାଗି ପରାମର୍ଶଦାତା, ପିଏମୟୁ ଓ ଟିଏସୟୁମାନଙ୍କୁ ନିୟୋଜିତ କରାଯାଇଥାଏ। ସେମାନଙ୍କ ନିଯୁକ୍ତି ଓ ପାରିଶ୍ରମିକ ପ୍ରଦାନ ସମ୍ପର୍କରେ ଅର୍ଥ ବିଭାଗ ସମୟ ସମୟରେ ଅନ୍ତରୀଣ ବ୍ୟବସ୍ଥା ଜାରି କରି ଆସୁଛି। ଏହି ନୂଆ ଆଦେଶ ମଧ୍ୟ ସେହି ଧାରାବାହିକ ବ୍ୟବସ୍ଥାର ଅଂଶ ବୋଲି କୁହାଯାଉଛି । ପୂର୍ବରୁ ୨୦୨୫ ଜୁଲାଇ ୩୧ରେ ଜାରି ହୋଇଥିବା ଅଫିସ୍‌ ମେମୋରାଣ୍ଡମ୍‌ରେ ଏହି ବ୍ୟବସ୍ଥା ୨୦୨୬ ଜୁଲାଇ ୧ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ସ୍ପଷ୍ଟ କରାଯାଇଥିଲା। ସେହି ଅବଧି ଶେଷ ହୋଇଥିବାରୁ ପରବର୍ତ୍ତୀ ବ୍ୟବସ୍ଥାକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ନୂତନ ଆଦେଶ ଜାରି ହେବା ପରେ ଆଉ ତିନି ମାସ ପର୍ଯ୍ୟନ୍ତ ପୂର୍ବବର୍ତ୍ତୀ ବ୍ୟବସ୍ଥା ବଳବତ୍ତର ରହିବା ସହ ପାରିଶ୍ରମିକ ପ୍ରଦାନରେ କୌଣସି ପ୍ରଶାସନିକ ବାଧା ରହିବ ନାହିଁ । 

ରାଜ୍ୟପାଳଙ୍କ ଆଦେଶକ୍ରମେ ଅର୍ଥ ବିଭାଗର ଯୁଗ୍ମ ସଚିବ ଅନିଲ କୁମାର ପୁରୋହିତ ଏହି ଅଫିସ୍‌ ମେମୋରାଣ୍ଡମ୍‌ ଜାରି କରିଛନ୍ତି। ଏହାର ନକଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ବିଭାଗକୁ ପଠାଯାଇଥିବା ବେଳେ ବିଭାଗୀୟ ୱେବସାଇଟ୍‌ରେ ଏହାକୁ ଅପଲୋଡ୍‌ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *