ସାର ସଙ୍କଟ ମୁକାବିଲା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି , ୟୁରିଆ-ଡିଏପି ବଦଳରେ ବିକଳ୍ପ ସାର

ଓଡ଼ିଶାରେ ସାର ସଙ୍କଟ ମୁକାବିଲା ପାଇଁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୟୁରିଆ ଓ ଡିଏପି ବଦଳରେ ବ୍ୟବହାର ହେବ ବିକଳ୍ପ ସାର । ରାଜ୍ୟରେ ୟୁରିଆ ଏବଂ ଡିଏପି ସାରର ଚାହିଦା ଏବଂ ଯୋଗାଣକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଓଡ଼ିଶାରେ ସାର ସଙ୍କଟ ମୁକାବିଲା ପାଇଁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୟୁରିଆ ଓ ଡିଏପି ବଦଳରେ ବ୍ୟବହାର ହେବ ବିକଳ୍ପ ସାର । ରାଜ୍ୟରେ ୟୁରିଆ ଏବଂ ଡିଏପି ସାରର ଚାହିଦା ଏବଂ ଯୋଗାଣକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପଠାଯାଇଥିବା ଏହି ଚିଠିରେ ବିକଳ୍ପ ସାର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ୟୁରିଆ ବଦଳରେ ‘ଅମୋନିୟମ୍ ସଲଫେଟ୍’ ବ୍ୟବହାର କରିବାକୁ କୁହାଯାଇଛି । ଏଥିରେ ୨୦.୫% ନାଇଟ୍ରୋଜେନ୍ ଏବଂ ୨୩% ସଲଫର ରହିଥିବାରୁ, ଏହା ମାଟିରେ ସଲଫରର ଅଭାବ ପୂରଣ କରିବାରେ ସହାୟକ ହେବ ।

ଚଳିତ ବର୍ଷ ଡିଏପି ସାରର ଯୋଗାଣ ପ୍ରଭାବିତ ହୋଇଥିବାରୁ, ଏହାର ବିକଳ୍ପ ଭାବେ ‘କମ୍ପ୍ଲେକ୍ସ ଫର୍ଟିଲାଇଜର୍ସ’ ବ୍ୟବହାର କରିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ଯୋଗାଣ ହେଉଥିବା ମୋଟ ସାରର ୬୦% କମ୍ପ୍ଲେକ୍ସ ସାର ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ମାର୍କଫେଡ୍ କର୍ମଚାରୀମାନଙ୍କୁ ସେମାନଙ୍କ ଜିଲ୍ଲାର ଆବଶ୍ୟକତା ଅନୁଯାୟୀ ଏହି ବିକଳ୍ପ ସାରଗୁଡ଼ିକ ପାଇଁ ଇଣ୍ଡେଣ୍ଟ ଦେବାକୁ କୁହାଯାଇଛି । ଏହି ନିର୍ଦ୍ଦେଶକୁ ଅତ୍ୟନ୍ତ ଜରୁରୀ ଭାବେ ଗ୍ରହଣ କରିବାକୁ କୃଷି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା ଚାଷୀମାନେ ସାର ଅଭାବରୁ ରକ୍ଷା ପାଇବେ ଏବଂ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବ ନାହିଁ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *