୬୫ ବିଲିୟନ୍ ବ୍ୟାରେଲ୍ ତେଲ ଉପରେ ଟ୍ରମ୍ପଙ୍କ ନଜର! ଭେନେଜୁଏଲା ସହ ଐତିହାସିକ ଡିଲ୍

ବିଶ୍ୱର ସବୁଠାରୁ ବଡ଼ ତୈଳ ଡିଲ୍‌କୁ ନେଇ ଚର୍ଚ୍ଚା । ଭେନେଜୁଏଲାର ୬୫ ବିଲିୟନ୍‌ ବ୍ୟାରେଲ୍‌ରୁ ଅଧିକ ପ୍ରମାଣିତ ତୈଳ ଭଣ୍ଡାର ଉପରେ ଆମେରିକାର ନିୟନ୍ତ୍ରଣ ବଢ଼ିବାକୁ ଯାଉଥିବା ନେଇ ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ବିଶ୍ୱର ସବୁଠାରୁ ବଡ଼ ତୈଳ ଡିଲ୍‌କୁ ନେଇ ଚର୍ଚ୍ଚା । ଭେନେଜୁଏଲାର ୬୫ ବିଲିୟନ୍‌ ବ୍ୟାରେଲ୍‌ରୁ ଅଧିକ ପ୍ରମାଣିତ ତୈଳ ଭଣ୍ଡାର ଉପରେ ଆମେରିକାର ନିୟନ୍ତ୍ରଣ ବଢ଼ିବାକୁ ଯାଉଥିବା ନେଇ ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଦାବି ଅନୁସାରେ, ଏହି ବ୍ୟବସ୍ଥାରେ ଆମେରିକୀୟ ଘରୋଇ କମ୍ପାନୀଗୁଡ଼ିକର ଭୂମିକା ବଢ଼ିବ ଏବଂ ଆମେରିକୀୟ କରଦାତାଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ନାହିଁ । ଟ୍ରମ୍ପ କହିଛନ୍ତି, ଦୀର୍ଘ ଆଲୋଚନା ପରେ ଓ୍ୱାଶିଂଟନ୍‌ ଓ କାରାକାସ୍‌ ମଧ୍ୟରେ ଏହି ବ୍ୟବସ୍ଥା ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ଯୁଦ୍ଧ ମନ୍ତ୍ରୀ ପିଟ୍‌ ହେଗସେଥ୍‌ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍‌ ଓ ଘରୋଇ କମ୍ପାନୀଗୁଡ଼ିକ ସହ ଆଲୋଚନା କରି ଏହି ଚୁକ୍ତିରେ ପହଞ୍ଚିଥିବା ଟ୍ରମ୍ପ ଜଣାଇଛନ୍ତି।

ଆଗାମୀ ସପ୍ତାହରେ ଭେନେଜୁଏଲା କିଛି କମ୍ପାନୀକୁ ନୂଆ ତୈଳ ଅନ୍ୱେଷଣ ଓ ଉତ୍ପାଦନ ଅଧିକାର ଦେବାକୁ ଥିବା ବେଳେ, ଏଥିରେ ଆମେରିକୀୟ କମ୍ପାନୀଗୁଡ଼ିକ ପ୍ରମୁଖ ଭୂମିକାରେ ରହିପାରନ୍ତି। ଏହା ଫଳରେ ଭେନେଜୁଏଲାର ତୈଳ କ୍ଷେତ୍ରରେ ଆମେରିକାର ପ୍ରଭାବ ବହୁଗୁଣିତ ହୋଇପାରେ। ଭେନେଜୁଏଲା ପାଖରେ ବିଶ୍ୱର ସବୁଠାରୁ ବଡ଼ ପ୍ରମାଣିତ ତୈଳ ଭଣ୍ଡାର ରହିଛି। ହେଲେ ବର୍ଷ ବର୍ଷ ଧରି ନିବେଶ ଅଭାବ, ପରିଚାଳନାଗତ ସମସ୍ୟା ଓ ଆମେରିକୀୟ କଟକଣା ଯୋଗୁଁ ଏହାର ଉତ୍ପାଦନ କ୍ଷମତା ହ୍ରାସ ପାଇଛି। ବର୍ତ୍ତମାନ ଦେଶଟି ପ୍ରାୟ ଦୈନିକ ୧୨.୫ ଲକ୍ଷ ବ୍ୟାରେଲ୍‌ ତୈଳ ଉତ୍ପାଦନ କରୁଛି । 

ତେବେ ଏହି ଡିଲ୍‌ର ଅନେକ ଦିଗ ଏବେବି ସ୍ପଷ୍ଟ ହୋଇନାହିଁ। କେଉଁ ତୈଳ କ୍ଷେତ୍ର ଏଥିରେ ସାମିଲ ହେବ, କେଉଁ କମ୍ପାନୀ ଅଂଶଗ୍ରହଣ କରିବ ଏବଂ ଆମେରିକା କିଭଳି ନିୟନ୍ତ୍ରଣ ହାସଲ କରିବ ସେନେଇ ଟ୍ରମ୍ପ ସବିଶେଷ ତଥ୍ୟ ଦେଇନାହାନ୍ତି। ଅନ୍ୟପଟେ, ରୁବିଓଙ୍କ ଦାବି ହେଉଛି ଏହି ଚୁକ୍ତି ଉଭୟ ଦେଶ ପାଇଁ ଲାଭଦାୟକ ହେବ। ଆମେରିକାକୁ ସ୍ଥିର ଓ କମ୍‌ ମୂଲ୍ୟର ତୈଳ ମିଳିପାରିବ ଏବଂ ପେଟ୍ରୋଲ ଦର ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ। ସେପଟେ ଭେନେଜୁଏଲାରେ ପ୍ରାୟ ୧୦୦ ବିଲିୟନ୍‌ ଡଲାର୍‌ ଘରୋଇ ନିବେଶ ଆସିପାରେ ବୋଲି କୁହାଯାଉଛି। ତେବେ ବିଶେଷଜ୍ଞଙ୍କ ମତରେ, ଏହାର ପ୍ରଭାବ ତୁରନ୍ତ ପେଟ୍ରୋଲ ଦରରେ ଦେଖାଯିବା ସମ୍ଭାବନା କମ୍‌। ଭେନେଜୁଏଲାର ତୈଳ ଭିତ୍ତିଭୂମିକୁ ପୁନଃ ମଜବୁତ କରିବା ଏବଂ ଉତ୍ପାଦନ ବଢ଼ାଇବା ପାଇଁ ବିପୁଳ ନିବେଶ ଆବଶ୍ୟକ। ଏହାସହ ଭେନେଜୁଏଲାର ଆଇନ ଓ ସମ୍ବିଧାନ ସହ ଏହି ଚୁକ୍ତିର ସାମଞ୍ଜସ୍ୟ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *