୩୬ ବର୍ଷ ପରେ ଘରକୁ ଫେରିବେ ମହିଳା, ହିମାଚଳରୁ ମିଳିଲା ସନ୍ଧାନ

୩୬ ବର୍ଷ ପରେ ହିମାଚଳ ପ୍ରଦେଶରୁ ନିଖୋଜ ପ୍ରମିଳା ମଲିକଙ୍କ ସନ୍ଧାନ ମିଳିଛି। ୧୯୯୦ରୁ ନିଖୋଜ ଥିବା ପ୍ରମିଳାଙ୍କୁ ଜଣେ କେନ୍ଦ୍ରାପଡ଼ା ବ୍ୟକ୍ତି ଚିହ୍ନଟ କରିବା ପରେ ତାଙ୍କ ପରିଚୟ ସ୍ପଷ୍ଟ ହୋଇଛି। ଏବେ ତାଙ୍କୁ ଅଲପୂଆ ଗାଁର ଘରକୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

୩୬ ବର୍ଷ ପରେ ଘରକୁ ଫେରୁଛନ୍ତି ନିଖୋଜ ମହିଳା । କେନ୍ଦ୍ରାପଡ଼ା ଜିଲ୍ଲା, ପଟ୍ଟାମୁଣ୍ଡାଇ ବ୍ଲକ, ଅଲପୂଆ ଗ୍ରାମରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର । ୧୯୯୦ ମସିହାରୁ ମାନସିକ ଅସ୍ଥିରତା କାରଣରୁ ନିଖୋଜ ଥିଲେ ମହିଳା । ଖବର ପାଇବା ପରେ ଗାଁରେ ଖେଳିଯାଇଛି ଖୁସିର ଲହରି ।

୩୬ ବର୍ଷ ପରେ ଜୀବିତ ଅବସ୍ଥାରେ ଠାବ ହୋଇଛନ୍ତି ପୀଡିତା ପ୍ରମିଳା ମଲିକ । ସୂଚନା ଅନୁସାରେ, ଅଲପୁଆ ଗାଁର  ଦୀନବନ୍ଧୁ ମଲିକଙ୍କ ସ୍ତ୍ରୀ ପ୍ରମିଳା ମଲିକ ବିବାହ ପରେ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ । କିନ୍ତୁ ମାନସିକ ଅବସ୍ଥା ଭଲ ନଥିବାରୁ ବାପ ଘରକୁ ଯାଇଥିବା ବେଳେ ୧୯୯୦ ମସିହାରେ ନିଖୋଜ ହୋଇଯାଇଥିଲେ । ଦୀର୍ଘ ବର୍ଷ ପର୍ଯ୍ୟନ୍ତ କୌଣସି ସନ୍ଧାନ ନ ମିଳିବାରୁ ପରିବାରବର୍ଗ ଏବଂ ସମ୍ପର୍କୀୟମାନେ ତାଙ୍କୁ ମୃତ ବୋଲି ଭାବି ନେଇଥିଲେ । ଏହାରି ଭିତରେ ତାଙ୍କ ସ୍ୱାମୀଙ୍କର ମଧ୍ୟ ଦେହାନ୍ତ ହୋଇଥିବା ଜଣାପଡ଼ିଛି ।

ତେବେ ପ୍ରମିଳା ଦୀର୍ଘ ବର୍ଷ ଧରି ହିମାଚଳ ପ୍ରଦେଶରେ ରହିଆସୁଥିଲେ । ସେଠାରେ କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ଭେଟିବା ସମୟରେ ତାଙ୍କ ମୁହଁରୁ ଓଡ଼ିଆ ଭାଷା ଶୁଣିବାକୁ ପାଇଥିଲେ । ଏହାପରେ ସେ ସେହି ଅଞ୍ଚଳର ବିଭିନ୍ନ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ସହ ଯୋଗାଯୋଗ କରି ଖବର ସଂଗ୍ରହ କରିଥିଲେ । ଯାଞ୍ଚ ପରେ ମହିଳା ଜଣକ କେନ୍ଦ୍ରାପଡ଼ାର ପ୍ରମିଳା ବୋଲି ସ୍ପଷ୍ଟ ହୋଇଛି । ବର୍ତ୍ତମାନ ତାଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

Leave a Reply

Your email address will not be published. Required fields are marked *