ଇଣ୍ଡୋନେସିଆର ବୋର୍ନିଓ ଦ୍ୱୀପ ନିକଟରେ ଏକ ଜାହାଜ ନିଖୋଜ ହୋଇଯାଇଛି। ରିପୋର୍ଟ ଅନୁସାରେ, ଜାହାଜଟି ୨୪୦ ଜଣ ଯାତ୍ରୀଙ୍କୁ ନେଇ ଦକ୍ଷିଣ କାଲିମଣ୍ଟାନ ପ୍ରଦେଶ ଅଭିମୁଖେ ଯାଉଥିଲା
ଇଣ୍ଡୋନେସିଆର ବୋର୍ନିଓ ଦ୍ୱୀପ ନିକଟରେ ଏକ ଜାହାଜ ନିଖୋଜ ହୋଇଯାଇଛି। ରିପୋର୍ଟ ଅନୁସାରେ, ଜାହାଜଟି ୨୪୦ ଜଣ ଯାତ୍ରୀଙ୍କୁ ନେଇ ଦକ୍ଷିଣ କାଲିମଣ୍ଟାନ ପ୍ରଦେଶ ଅଭିମୁଖେ ଯାଉଥିଲା । ଜାଭା ସାଗରରେ ହଠାତ୍ ଜାହାଜଟି ଯୋଗାଯୋଗ ହରାଇଥିଲା। ଏନେଇ ରବିବାର ଇଣ୍ଡୋନେସିଆର ଉଦ୍ଧାରକାରୀ ଦଳ ଏକ ସନ୍ଧାନ ଅଭିଯାନ ଆରମ୍ଭ କରିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି।
ଦକ୍ଷିଣ କାଲିମଣ୍ଟାନ ପ୍ରଦେଶର ରାଜଧାନୀ ବଞ୍ଜାରମାସିନ୍ର ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟାଳୟ କହିଛି ଯେ, ସେମାନେ ରିପୋର୍ଟ ପାଇଛନ୍ତି ଭିର୍ଗୋ ଟ୍ରାନ୍ସପୋର୍ଟ-୮ ଜାହାଜ ନିଜର ଯୋଗାଯୋଗ ବ୍ୟବସ୍ଥା ହରାଇଛି। ଜାହାଜଟି ଇଣ୍ଡୋନେସିଆର ଦ୍ୱିତୀୟ ବୃହତ୍ତମ ସହର ସୁରାବାୟାରୁ ପୂର୍ବ ଜାଭା ପ୍ରଦେଶର ବଞ୍ଜାରମାସିନ୍ ସହରକୁ ଯାତ୍ରା କରୁଥିଲା ।
ଖରାପ ପାଗର ସମ୍ମୁଖୀନ ହୋଇଥିବା ସୂଚନା ପାଇବା ପରେ ଜାହାଜର ପରିଚାଳକ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ ବୋଲି ଏକ ଭିଡିଓ ବ୍ରିଫିଂରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟାଳୟର ମୁଖ୍ୟ ଆଇ ପୁଟୁ ସୁଦୟାନା କହିଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଜାହାଜର ଶେଷ ସ୍ଥାନ ଜାଭା ସାଗରରେ ଥିଲା, ଯାହା ବଞ୍ଜାରମାସିନର ଏକ ଘାଟରୁ ପ୍ରାୟ ୧୪୮ କିଲୋମିଟର ଦୂର।
ଜାହାଜର ଅପରେଟର, ପିଟି ଭିର୍ଗୋ ୟୋଏଲ୍ ରିହି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ଜାହାଜଟି ଶନିବାର ସ୍ଥାନୀୟ ସମୟ ପୂର୍ବାହ୍ନ ୧୦ଟା ୧୩ରେ ସୁରାବାୟା ଛାଡିଥିଲା। ସନ୍ଧାନ ଅଭିଯାନର ସମନ୍ୱୟ କରୁଥିବା ସୁଦୟାନା କହିଛନ୍ତି, ଜାହାଜରେ ବହୁ ସଂଖ୍ୟକ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ। ସନ୍ଧାନ ଅଭିଯାନରେ ସାମୁଦ୍ରିକ କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ସଂସ୍ଥା ସହିତ ସମନ୍ୱୟ ସ୍ଥାପନ କରାଯାଉଛି। ଅଞ୍ଚଳର ପାଣିପାଗ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

