ଗଞ୍ଜାମ ଖଲ୍ଲିକୋଟର ଇଞ୍ଜିନିୟରିଂ ଛାତ୍ର ବିକାଶ ତରାଇ ୟୁଟ୍ୟୁବ୍ରୁ ଶିଖି ୬ ହଜାର ବର୍ଗଫୁଟ ଜମିରେ ଛତୁ ଚାଷ କରି ସଫଳ ହୋଇଛନ୍ତି। ଦୈନିକ ୪୦ରୁ ୬୦ କେଜି ଛତୁ ଏବଂ ଛତୁ ମଞ୍ଜି ଉତ୍ପାଦନ କରି ସେ ପ୍ରତିଦିନ ୧୪ରୁ ୧୫ ହଜାର ଟଙ୍କାର କାରବାର କରୁଛନ୍ତି। ପାଠପଢ଼ା ସହ ସ୍ୱାବଲମ୍ବୀ ହେବା ସହ ସେ ଅନ୍ୟ ୨-୩ ଜଣ ସ୍ଥାନୀୟ ଯୁବକଙ୍କୁ କର୍ମସଂସ୍ଥାନ ଯୋଗାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ମନରେ ଯଦି ଦୃଢ଼ ଇଚ୍ଛାଶକ୍ତି ଥାଏ, ତେବେ ପାଠପଢ଼ା ସାଙ୍ଗକୁ ମଧ୍ୟ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ରୋଜଗାରର ବାଟ ଫିଟାଯାଇପାରେ । ଏହା ପ୍ରମାଣିତ କରି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ କନକା ଗାଁର ତୃତୀୟ ବର୍ଷ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଛାତ୍ର ବିକାଶ ତରାଇ । ୟୁଟ୍ୟୁବ୍ ଭିଡିଓରୁ ପ୍ରେରଣା ପାଇ ସେ ଆରମ୍ଭ କରିଥିବା ଛତୁ ଚାଷ ଆଜି ତାଙ୍କୁ ଜଣେ ସଫଳ କୃଷି ଉଦ୍ୟୋଗୀ ଭାବେ ପରିଚିତ କରାଇଛି ।
ପ୍ରାୟ ୮ ମାସ ତଳେ ଗାଁ ନିକଟରେ ୬ ହଜାର ବର୍ଗଫୁଟର ଏକ ଜମି ଲିଜ୍ରେ ନେଇ ବିକାଶ ଏହି ଫାର୍ମ ଆରମ୍ଭ କରିଥିଲେ । ଦିନରାତି ପରିଶ୍ରମ ଓ ବୈଷୟିକ ଜ୍ଞାନର ଉପଯୋଗ ଯୋଗୁଁ ଆଜି ତାଙ୍କ ଫାର୍ମରୁ ଦୈନିକ ପ୍ରାୟ ୪୦ରୁ ୬୦ କିଲୋଗ୍ରାମ ଛତୁ ଅମଳ ହେଉଛି । ଉତ୍ପାଦିତ ତାଜା ଛତୁ ସ୍ଥାନୀୟ ଖଲ୍ଲିକୋଟ ସମେତ ପଡ଼ୋଶୀ ବାଲୁଗାଁ ଓ ଟାଙ୍ଗୀ ବଜାରକୁ ପଠାଯାଉଛି । କେବଳ ଛତୁ ନୁହେଁ, ଉନ୍ନତମାନର ଛତୁ ମଞ୍ଜି (ସ୍ପନ୍) ମଧ୍ୟ ପ୍ରସ୍ତୁତ କରି ଜିଲ୍ଲା ତଥା ଜିଲ୍ଲା ବାହାରର ଚାଷୀଙ୍କୁ ଯୋଗାଇ ସେ ଦୈନିକ ପ୍ରାୟ ୧୪ରୁ ୧୫ ହଜାର ଟଙ୍କାର କାରବାର କରୁଛନ୍ତି ।
ନିଜେ ରୋଜଗାରକ୍ଷମ ହେବା ସହ ନିଜ ଫାର୍ମରେ ସ୍ଥାନୀୟ ଅଞ୍ଚଳର ୨ରୁ ୩ ଜଣ ଲୋକଙ୍କୁ ନିୟମିତ କାମ ଯୋଗାଇ ସେମାନଙ୍କ ପରିବାର ପ୍ରତିପୋଷଣରେ ସହାୟକ ସାଜିଛନ୍ତି । ଆଗାମୀ ଦିନରେ ସରକାରୀ ପ୍ରୋତ୍ସାହନ ଓ ସବସିଡି ମିଳିଲେ ଫାର୍ମର କଳେବର ବୃଦ୍ଧି କରି ଅଧିକ ବେକାର ଯୁବକଙ୍କୁ କର୍ମସଂସ୍ଥାନ ଯୋଗାଇଦେବାକୁ ବିକାଶ ଲକ୍ଷ୍ୟ ରଖିଛନ୍ତି । ତାଙ୍କର ଏହି ଅଭିନବ ପ୍ରୟାସ ଏବେ ଅଞ୍ଚଳର ଅନ୍ୟ ଯୁବପିଢ଼ିଙ୍କ ପାଇଁ ଆତ୍ମନିର୍ଭରଶୀଳତାର ନୂଆ ବାର୍ତ୍ତା ଦେଇଛି ।

