ସବୁଠାରୁ ବଡ଼ କଥା ହେଉଛି, ଯେଉଁ ଉପକରଣ ପ୍ରସ୍ତୁତି ଓ ସ୍ଥାପନ ପାଇଁ ପ୍ରାୟ ୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା, ତାହାକୁ ମାତ୍ର ୬୧ ଲକ୍ଷ ଟଙ୍କାରେ ପ୍ରସ୍ତୁତ କରି ସ୍ଥାପନ କରାଯାଇଛି।
ହିମାଳୟରେ ଗ୍ଲେସିୟର ହ୍ରଦରୁ ହଠାତ୍ ବନ୍ୟା ଆସିବାର ବିପଦକୁ ରୋକିବା ଦିଗରେ ଭାରତକୁ ମିଳିଛି ବଡ଼ ସଫଳତା। ପ୍ରଥମଥର ପାଇଁ ଏକ ଗ୍ଲେସିୟର ହ୍ରଦରେ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ GLOF (ଗ୍ଲେସିୟାଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍) ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ସ୍ଥାପନ କରାଯାଇଛି। ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ବସୁନ୍ଧରା ହ୍ରଦରେ ଏହି ବ୍ୟବସ୍ଥା ସ୍ଥାପନ କରିଛନ୍ତି ରୁଡ଼କୀସ୍ଥିତ କେନ୍ଦ୍ରୀୟ ଭବନ ଗବେଷଣା ସଂସ୍ଥାନ (CBRI)ର ବୈଜ୍ଞାନିକମାନେ। ଏହାଦ୍ୱାରା ସମ୍ଭାବ୍ୟ ବନ୍ୟା ବିପଦ ସମ୍ପର୍କରେ ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ସତର୍କ ସୂଚନା ମିଳିବାର ଆଶା ରହିଛି।
ସବୁଠାରୁ ବଡ଼ କଥା ହେଉଛି, ଯେଉଁ ଉପକରଣ ପ୍ରସ୍ତୁତି ଓ ସ୍ଥାପନ ପାଇଁ ପ୍ରାୟ ୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା, ତାହାକୁ ମାତ୍ର ୬୧ ଲକ୍ଷ ଟଙ୍କାରେ ପ୍ରସ୍ତୁତ କରି ସ୍ଥାପନ କରାଯାଇଛି। ଦେଶରେ ୧୩ଟି ଗ୍ଲେସିୟର ହ୍ରଦକୁ ବିପଜ୍ଜନକ ଭାବେ ଚିହ୍ନଟ କରାଯାଇଛି। ହ୍ରଦରେ ହଠାତ୍ ଜଳସ୍ତର ବଢ଼ିବା, ହିମସ୍ଖଳନ, ଭୂସ୍ଖଳନ କିମ୍ବା ପ୍ରାକୃତିକ ପ୍ରତିବନ୍ଧକ ଭାଙ୍ଗିବା ଯୋଗୁଁ ଭୟଙ୍କର ବନ୍ୟା ଆସିପାରେ। ଏଥିରେ ଜନଜୀବନ ସହ ରାସ୍ତା, ପୋଲ ଓ ଜଳବିଦ୍ୟୁତ୍ ପ୍ରକଳ୍ପ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।
ଏହି ବିପଦ ଉପରେ ନଜର ରଖିବାକୁ ସିଷ୍ଟମ୍ରେ ମୋଟ ୮ଟି ସେନ୍ସର ଲଗାଯାଇଛି। ଏଥିରେ ଜଳସ୍ତର ମାପିବା ପାଇଁ ୱାଟର ଲେଭଲ୍ ସେନ୍ସର ଏବଂ ହ୍ରଦର ଜଳଗ୍ରହଣ ଅଞ୍ଚଳରେ ୪ଟି ଆକ୍ସିଲେରୋମିଟର ରହିଛି। ଏଗୁଡ଼ିକ ଭୂମିର ଅସ୍ୱାଭାବିକ ଗତିବିଧି, ଭୂସ୍ଖଳନ ଓ ହିମସ୍ଖଳନ ଭଳି ଘଟଣାର ସଙ୍କେତ ରେକର୍ଡ କରିବ।
ଏହି ଅଭିଯାନରେ ୯ ଜଣିଆ ବିଶେଷଜ୍ଞ ଟିମ୍ ସାମିଲ ହୋଇଥିଲେ। ଅତ୍ୟଧିକ ଥଣ୍ଡା, ପ୍ରବଳ ପବନ, ବରଫପାତ ଓ ଦୁର୍ଗମ ପାହାଡ଼ିଆ ରାସ୍ତା ସେମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଟିମ୍କୁ ପ୍ରାୟ ୭ରୁ ୮ କିଲୋମିଟର ପାଦରେ ଚାଲି ହ୍ରଦ ନିକଟରେ ପହଞ୍ଚିବାକୁ ପଡ଼ିଥିଲା। ITBP ଯବାନମାନେ ଏହି ଅଭିଯାନରେ ସହଯୋଗ କରିଥିଲେ।
କମ୍ ତାପମାତ୍ରାରେ ଟାୱାରର ମୂଳଦୁଆ ନିର୍ମାଣ ଓ ସୌର ପ୍ୟାନେଲ୍ ସ୍ଥାପନ କରିବା ମଧ୍ୟ ଏକ ବଡ଼ ଇଞ୍ଜିନିୟରିଂ ଚ୍ୟାଲେଞ୍ଜ ଥିଲା। ତଥାପି ମାତ୍ର ଅଢ଼େଇ ଦିନରେ ସ୍ଥାପନ କାର୍ଯ୍ୟ ଶେଷ ହୋଇଥିଲା। ଏବେ ସିଷ୍ଟମ୍ରୁ ତଥ୍ୟ ମିଳିବା ଆରମ୍ଭ ହୋଇଛି। ଏହି ସ୍ୱଦେଶୀ ପ୍ରଯୁକ୍ତି ଭବିଷ୍ୟତରେ ଦେଶର ଅନ୍ୟ ବିପଜ୍ଜନକ ଗ୍ଲେସିୟର ହ୍ରଦରେ ମଧ୍ୟ ସ୍ଥାପନ କରାଯାଇପାରିବ। ଠିକ୍ ସମୟରେ ସତର୍କ ସୂଚନା ମିଳିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇପାରିବ। ଫଳରେ ଜୀବନହାନି ଓ ସମ୍ପତ୍ତି କ୍ଷୟକ୍ଷତିକୁ ଅନେକ ମାତ୍ରାରେ କମାଇବା ସମ୍ଭବ ହୋଇପାରିବ।

