କାର୍ଡିଫରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ୪ ୱିକେଟରେ ପରାସ୍ତ କରିଛି ଇଂଲଣ୍ଡ । ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ ୧-୧ରେ ବରାବର କରିଛି ଘରୋଇ ଦଳ ।
କାର୍ଡିଫରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ୪ ୱିକେଟରେ ପରାସ୍ତ କରିଛି ଇଂଲଣ୍ଡ । ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ ୧-୧ରେ ବରାବର କରିଛି ଘରୋଇ ଦଳ । ଭାରତ ପ୍ରଥମେ ବ୍ୟାଟିଂ କରି ୨୩୩ ରନ୍ରେ ଅଲ୍ଆଉଟ୍ ହୋଇଥିଲା । ବିରାଟ କୋହଲି ଓ ଶ୍ରେୟସ ଆୟର ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ, ଦଳ ଏକ ବଡ଼ ସ୍କୋର ଗଢ଼ିବାରେ ବିଫଳ ହୋଇଥିଲା । ଶେଷ ପର୍ଯ୍ୟାୟରେ ଭାରତ ନିୟମିତ ୱିକେଟ ହରାଇଥିବାରୁ ଦଳର ସ୍କୋର ଆଶାଠାରୁ ବହୁତ କମ୍ ରହିଯାଇଥିଲା । ମ୍ୟାଚ୍ ଶେଷରେ ଅଧିନାୟକ ଶୁଭମନ ଗିଲ୍ କହିଛନ୍ତି, ପରାଜୟ ନିଶ୍ଚିତ ଭାବେ ନିରାଶାଜନକ । ଦଳ ୩୦୦ରୁ ୩୧୦ ରନ୍ର ଲକ୍ଷ୍ୟ ରଖିଥିଲା, କିନ୍ତୁ ମଧ୍ୟକ୍ରମର ବ୍ୟାଟରମାନଙ୍କ ବିଫଳତା ଯୋଗୁଁ ସେହି ଲକ୍ଷ୍ୟ ପୂରଣ ହୋଇପାରିଲା ନାହିଁ। ଟପ୍ ଅର୍ଡର ଭଲ ଭିତ୍ତି ପ୍ରସ୍ତୁତ କରିଥିଲେ ମଧ୍ୟ, ତାହାକୁ ବଡ଼ ସ୍କୋରରେ ପରିଣତ କରିବାରେ ଦଳ ବିଫଳ ହୋଇଥିବା ସେ ସ୍ୱୀକାର କରିଛନ୍ତି । ଗିଲ୍ ଇଂଲଣ୍ଡର ଅଭିଜ୍ଞ ବ୍ୟାଟର ଜୋ ରୁଟଙ୍କ ପ୍ରଶଂସା ମଧ୍ୟ କରିଛନ୍ତି ।
ସେ କହିଛନ୍ତି, ଛୋଟ ଲକ୍ଷ୍ୟର ପିଛା କରିବାରେ ଜୋ ରୁଟ ଜଣେ ମାହିର ବ୍ୟାଟର । ସେ କ୍ରିଜ୍ରେ ଥିଲେ ଚାପ ସୃଷ୍ଟି କରିବା କଷ୍ଟକର ହୋଇପଡ଼େ। ରୁଟଙ୍କ ଅପରାଜିତ ୯୯ ରନ୍ର ଇନିଂସ୍ ଇଂଲଣ୍ଡକୁ ସହଜ ବିଜୟ ଦେଇଥିଲା । ଏବେ ସିରିଜ୍ର ଭାଗ୍ୟ ନିର୍ଣ୍ଣୟ ହେବ ଲର୍ଡସରେ ହେବାକୁ ଥିବା ତୃତୀୟ ଏବଂ ଶେଷ ଦିନିକିଆରେ । ଉଭୟ ଦଳ ପାଇଁ ଏହି ମ୍ୟାଚ୍ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି। ଭାରତ ଏହି ପରାଜୟରୁ ଶିକ୍ଷା ନେଇ ପୁନର୍ବାର ବିଜୟ ପଥକୁ ଫେରିବାକୁ ଚାହୁଁଥିବା ବେଳେ ଇଂଲଣ୍ଡ ମୋମେଣ୍ଟମ୍କୁ ବଜାୟ ରଖି ସିରିଜ୍ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ।

