ସୂର୍ଯ୍ୟରେ ହୋଇଥିବା ଦୁଇଟି ବିସ୍ଫୋରଣ ପରେ ଆବେଶିତ କଣିକା ଓ ଚୁମ୍ବକୀୟ ପଦାର୍ଥର ବିଶାଳ ମେଘ ପୃଥିବୀ ଆଡ଼କୁ ଗତି କରୁଛି । ଏହାର ପ୍ରଭାବରେ ଅକ୍ଟୋବର ୧୧ ତାରିଖ, ରବିବାର ପୃଥିବୀରେ ସୌର ଝଡ଼ ବା ସୋଲାର ଷ୍ଟର୍ମ ସୃଷ୍ଟି ହେବାର ଆଶଙ୍କା ରହିଛି ।
ମହାକାଶରେ ଦେଖାଦେଇଛି ଅସ୍ୱାଭାବିକ ଗତିବିଧି । ସୂର୍ଯ୍ୟରେ ହୋଇଥିବା ଦୁଇଟି ବିସ୍ଫୋରଣ ପରେ ଆବେଶିତ କଣିକା ଓ ଚୁମ୍ବକୀୟ ପଦାର୍ଥର ବିଶାଳ ମେଘ ପୃଥିବୀ ଆଡ଼କୁ ଗତି କରୁଛି । ଏହାର ପ୍ରଭାବରେ ଅକ୍ଟୋବର ୧୧ ତାରିଖ, ରବିବାର ପୃଥିବୀରେ ସୌର ଝଡ଼ ବା ସୋଲାର ଷ୍ଟର୍ମ ସୃଷ୍ଟି ହେବାର ଆଶଙ୍କା ରହିଛି । ଏନେଇ ଆମେରିକାର ନ୍ୟାସନାଲ୍ ଓସେନିକ୍ ଆଣ୍ଡ୍ ଆଟମୋସ୍ଫେରିକ୍ ଆଡମିନିଷ୍ଟ୍ରେସନ୍ (NOAA) ପକ୍ଷରୁ ମଧ୍ୟମ ଧରଣର G2 ଜିଓମ୍ୟାଗ୍ନେଟିକ୍ ଝଡ଼ ନେଇ ସତର୍କ ସୂଚନା ଦିଆଯାଇଛି ।
ଏହି ସୌର ଝଡ଼ର ପ୍ରଭାବ ସାଟେଲାଇଟ୍, ରେଡିଓ ଯୋଗାଯୋଗ ଏବଂ ନେଭିଗେସନ୍ ବ୍ୟବସ୍ଥା ଉପରେ ପଡ଼ିପାରେ । ତେବେ ଏହାର ପ୍ରଭାବ କେତେ ଅଧିକ ହେବ, ତାହା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହ ସୌର ପଦାର୍ଥର ପାରସ୍ପରିକ କ୍ରିୟା ଉପରେ ନିର୍ଭର କରିବ ।
କ’ଣ ଏହି ସୌର ଝଡ଼?
ସୂର୍ଯ୍ୟରେ ଘଟୁଥିବା ବିଭିନ୍ନ କାର୍ଯ୍ୟକଳାପ ଯୋଗୁଁ ମହାକାଶକୁ ବିପୁଳ ଶକ୍ତି ଓ ପଦାର୍ଥ ନିର୍ଗତ ହୋଇଥାଏ । ଏହାର ଏକ ପ୍ରମୁଖ କାରଣ ହେଉଛି କରୋନାଲ୍ ମାସ୍ ଇଜେକ୍ସନ୍ (CME) । ଏହି ପ୍ରକ୍ରିୟାରେ ସୂର୍ଯ୍ୟରୁ ବିଦ୍ୟୁତ୍ ଆବେଶିତ କଣିକା ଓ ଚୁମ୍ବକୀୟ ପଦାର୍ଥର ଏକ ବିଶାଳ ମେଘ ମହାକାଶକୁ ନିର୍ଗତ ହୋଇଥାଏ । ଏହି ପଦାର୍ଥ ପୃଥିବୀ ନିକଟରେ ପହଞ୍ଚିଲେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ବିଭ୍ରାଟ ସୃଷ୍ଟି କରିପାରେ । ଏହାକୁ ଜିଓମ୍ୟାଗ୍ନେଟିକ୍ ଝଡ଼ କୁହାଯାଏ ।
କେତେ ଭୟଙ୍କର ହୋଇପାରେ ଏହି ଝଡ଼ ?
NOAA ପକ୍ଷରୁ ଜିଓମ୍ୟାଗ୍ନେଟିକ୍ ଝଡ଼କୁ ପାଞ୍ଚଟି ସ୍ତରରେ ବିଭକ୍ତ କରାଯାଇଛି । G1 ହେଉଛି ସାମାନ୍ୟ ଧରଣର ଝଡ଼ ଏବଂ G5 ହେଉଛି ଅତ୍ୟନ୍ତ ଭୟଙ୍କର ଝଡ଼ । ସ୍ତର ଯେତେ ଅଧିକ ହେବ, ସମ୍ଭାବ୍ୟ ବାଧା ଓ କ୍ଷୟକ୍ଷତିର ଆଶଙ୍କା ସେତେ ଅଧିକ ହୋଇପାରେ । ସୌର ବିକିରଣ ଝଡ଼ ପାଇଁ S1ରୁ S5 ଏବଂ ରେଡିଓ ବ୍ଲାକ୍ଆଉଟ୍ ପାଇଁ R1ରୁ R5 ପର୍ଯ୍ୟନ୍ତ ଅଲଗା ମାପକ ବ୍ୟବହାର କରାଯାଏ । ଏହି ମାପକଗୁଡ଼ିକ ମହାକାଶ ପାଣିପାଗର ଭିନ୍ନ ଭିନ୍ନ ଘଟଣାର ତୀବ୍ରତାକୁ ସୂଚାଏ ।
NOAAର ସ୍ପେସ୍ ୱେଦର୍ ପ୍ରେଡିକ୍ସନ୍ ସେଣ୍ଟର ଅନୁସାରେ, ଅକ୍ଟୋବର ୭ ଓ ୮ ତାରିଖରେ ସୂର୍ଯ୍ୟରୁ ନିର୍ଗତ ହୋଇଥିବା ଦୁଇଟି ବିସ୍ଫୋରଣର ପଦାର୍ଥ ପୃଥିବୀ ନିକଟରେ ପହଞ୍ଚିବାର ଆଶଙ୍କା ରହିଛି । ଦ୍ୱିତୀୟ ବିସ୍ଫୋରଣରୁ ନିର୍ଗତ ପଦାର୍ଥ ଅଧିକ ବେଗରେ ଗତି କରୁଛି । ଏହା ପୃଥିବୀରେ ପହଞ୍ଚିବା ପୂର୍ବରୁ ପ୍ରଥମ ବିସ୍ଫୋରଣର ପଦାର୍ଥ ସହ ମିଶିଯାଇପାରେ ।
ପୂର୍ବାନୁମାନ ଅନୁସାରେ, ମଧ୍ୟମ ଧରଣର ଚୁମ୍ବକୀୟ ବିଭ୍ରାଟ ଦେଖାଦେଇପାରେ । କିନ୍ତୁ ସୌର ପଦାର୍ଥ ପୃଥିବୀର ନିକଟତର ହେବା ଏବଂ ଏହାର ଗୁଣଧର୍ମ ମାପିବା ପରେ ହିଁ ପ୍ରକୃତ ତୀବ୍ରତା ସ୍ପଷ୍ଟ ହେବ । G2 ସ୍ତରର ଝଡ଼ର ପ୍ରଭାବ ସାଧାରଣତଃ ଉଚ୍ଚ ଅକ୍ଷାଂଶ ଅଞ୍ଚଳରେ ଅଧିକ ଦେଖାଯାଇପାରେ। ଏହାଦ୍ୱାରା ବିଦ୍ୟୁତ୍ ବ୍ୟବସ୍ଥାରେ ଭୋଲ୍ଟେଜ୍ର ଉତ୍ଥାନ-ପତନ ହୋଇପାରେ । ସାଟେଲାଇଟ୍ ପରିଚାଳକମାନଙ୍କୁ କିଛି ପରିବର୍ତ୍ତନ କରିବାକୁ ପଡ଼ିପାରେ । କେତେକ ଅଞ୍ଚଳରେ ରେଡିଓ ସିଗ୍ନାଲ୍ ଦୁର୍ବଳ ହେବା ସହ GPS ନେଭିଗେସନ୍ର ସଠିକତା ମଧ୍ୟ ପ୍ରଭାବିତ ହୋଇପାରେ ।
ଭାରତ ଉପରେ ପଡ଼ିବ କି ପ୍ରଭାବ?
ସୌର ଝଡ଼ ସମୟରେ ପୃଥିବୀର ଉପର ବାୟୁମଣ୍ଡଳରେ ଥିବା ଗ୍ୟାସ୍ ସହ ଆବେଶିତ କଣିକାର ପ୍ରତିକ୍ରିୟା ଯୋଗୁଁ ଆକାଶରେ ରଙ୍ଗିନ ଆଲୋକ ଦେଖାଯାଏ । ଏହାକୁ ଅରୋରା କୁହାଯାଏ । ସୌର ଝଡ଼ର ପ୍ରଭାବ ଅଧିକ ହେଲେ ଏହି ଆଲୋକ ସାଧାରଣ ଅଞ୍ଚଳଠାରୁ ଅଧିକ ଦୂରରେ ମଧ୍ୟ ଦେଖାଯାଇପାରେ ।
ତେବେ ବର୍ତ୍ତମାନର ପୂର୍ବାନୁମାନ ଅନୁସାରେ, ଭାରତରେ ଦୈନନ୍ଦିନ ଜୀବନ ଉପରେ ବଡ଼ ଧରଣର କିମ୍ବା ସିଧାସଳଖ ବିପଦ ଥିବାର ସଙ୍କେତ ନାହିଁ । G2 ସ୍ତରର ଏହି ସୌର ଝଡ଼ ଯୋଗୁଁ ସମଗ୍ର ଦେଶରେ ବିଦ୍ୟୁତ୍ ବିଭ୍ରାଟ କିମ୍ବା ଯୋଗାଯୋଗ ବ୍ୟବସ୍ଥା ଅଚଳ ହୋଇଯିବ ବୋଲି କୌଣସି ସଙ୍କେତ ନାହିଁ । ସେହିପରି ଭାରତର ସବୁ ସ୍ଥାନରେ ଅରୋରା ଦେଖାଯିବାର ମଧ୍ୟ ଆଶା ନାହିଁ ।
ତେବେ ଏହା କେବଳ ଏକ ପୂର୍ବାନୁମାନ । ସୌର ପଦାର୍ଥ ପୃଥିବୀ ନିକଟରେ ପହଞ୍ଚିବା ପରେ ଏହାର ପ୍ରକୃତ ପ୍ରଭାବ ସ୍ପଷ୍ଟ ହେବ। ତେଣୁ ମହାକାଶ ପାଣିପାଗ ସମ୍ପର୍କିତ ନୂଆ ସୂଚନା ଉପରେ ନଜର ରଖିବା ଜରୁରୀ ।

