କିଛି ଦିନ ଧରି ରାଜ୍ୟରେ ବନ୍ୟା ଓ ବର୍ଷାର ସ୍ଥିତି ଜାରି ରହିଥିବା ବେଳେ ପୁଣି ଲଗାଣ ବର୍ଷା ଖୋର୍ଦ୍ଧା ଅଞ୍ଚଳର ଜନଜୀବନକୁ ବେହାଲ କରିଦେଇଛି । ଅବିରତ ବର୍ଷା ଯୋଗୁଁ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି ।
କିଛି ଦିନ ଧରି ରାଜ୍ୟରେ ବନ୍ୟା ଓ ବର୍ଷାର ସ୍ଥିତି ଜାରି ରହିଥିବା ବେଳେ ପୁଣି ଲଗାଣ ବର୍ଷା ଖୋର୍ଦ୍ଧା ଅଞ୍ଚଳର ଜନଜୀବନକୁ ବେହାଲ କରିଦେଇଛି । ଅବିରତ ବର୍ଷା ଯୋଗୁଁ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି । ଘରୁ ବାହାରିବା ଠାରୁ ଆରମ୍ଭ କରି ରୋଜଗାର କରିବା ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହୋଇଛି । ଦିନ ମଜୁରି କରି ପରିବାର ଚଳାଉଥିବା ଲୋକଙ୍କ ପାଇଁ ବର୍ଷା ବଡ଼ ସମସ୍ୟା ହୋଇଛି। ବର୍ଷା ଯୋଗୁଁ କାମ ମିଳୁନାହିଁ, ଫଳରେ ରୋଜଗାର ବନ୍ଦ ହୋଇଯାଇଛି। ଦିନଟିଏ କାମ ନକଲେ ଯେଉଁ ପରିବାରର ଚୁଲି ଜଳେନାହିଁ, ସେମାନଙ୍କ ପାଇଁ ଲଗାଣ ବର୍ଷା ଏବେ ଚିନ୍ତାର କାରଣ ପାଲଟିଛି । ସେହିପରି ବର୍ଷାର ସିଧା ପ୍ରଭାବ ପଡ଼ିଛି କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ। ଅନେକ ଦୋକାନୀ ବର୍ଷା ପାଇଁ ଦୋକାନ ଖୋଲିପାରୁନାହାନ୍ତି । ଆଉ ଯେଉଁଠି ଦୋକାନ ଖୋଲୁଛି, ସେଠାରେ ଗ୍ରାହକଙ୍କ ଦେଖା ମିଳୁନାହିଁ ।
ଫଳରେ ବ୍ୟବସାୟ ମାନ୍ଦା ପଡ଼ିବା ସହ ଆୟ ମଧ୍ୟ କମିଯାଇଛି । ଏପଟେ ଲଗାଣ ବର୍ଷା ସାଙ୍ଗକୁ ବଢ଼ୁଥିବା ଦରଦାମ ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି। ରୋଜଗାର ବନ୍ଦ, ହେଲେ ଘର ଖର୍ଚ୍ଚ ଓ ନିତ୍ୟ ଆବଶ୍ୟକ ସାମଗ୍ରୀର ଦର ବଢ଼ିଚାଲିଛି। ତେଣୁ ସାଧାରଣ ପରିବାର ଉପରେ ଦୁଇଗୁଣ ଚାପ ପଡ଼ିଛି । କେବଳ ରୋଜଗାର ନୁହେଁ, ଚାଷକାମ ମଧ୍ୟ ଏବେ ଠପ୍ ହୋଇଯାଇଛି । ଜମିରେ ପାଣି ଜମିବା ଓ ଲଗାଣ ବର୍ଷା ଯୋଗୁଁ ଚାଷୀମାନେ ଜମିକୁ ଯାଇ କାମ କରିପାରୁନାହାନ୍ତି । ଫଳରେ ଚାଷକାମରେ ବିଳମ୍ବ ହେବା ସହ ଚାଷୀଙ୍କ ଚିନ୍ତା ବଢ଼ିଛି । ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ମଧ୍ୟ ଦେଖାଦେଇଛି। ରାସ୍ତାଘାଟରେ ପାଣି ଜମିବାରୁ ଯାତାୟାତ ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଯୋଗୁଁ ଘରୁ ବାହାରିବା ମଧ୍ୟ ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି । ଏଭଳି ସ୍ଥିତିରେ ଖୋର୍ଦ୍ଧାର ସାଧାରଣ ଲୋକଙ୍କ ଗୋଟିଏ ଚିନ୍ତା—ବର୍ଷା କେବେ ଥମିବ? କାରଣ ବର୍ଷା କେବଳ ରାସ୍ତାଘାଟ ନୁହେଁ, ଲୋକଙ୍କ ଜୀବନ ଓ ଜୀବିକାକୁ ମଧ୍ୟ ଏବେ ଦୋହଲାଇ ଦେଇଛି ।

