ଚମ୍ପୁଆ ଲ୍ୟାମ୍ପରେ ଠିକ୍ ସମୟରେ ସାର ମିଳୁନଥିବାରୁ ଶହ ଶହ ଚାଷୀ ଲ୍ୟାମ୍ପ ବାହାରେ ଭିଡ଼ ଜମାଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଧାନ ଚାଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟରେ ଚାଷୀମାନେ ସାର ପାଇଁ ୩ରୁ ୪ ଦିନ ଧରି ଲ୍ୟାମ୍ପ ବାହାରେ ଧାଡ଼ିରେ ଅପେକ୍ଷା କରୁଛନ୍ତି ।
ଚାଷ ଋତୁ ଆରମ୍ଭ ହେବା ସହିତ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ ସାର ସଙ୍କଟ ଚାଷୀଙ୍କ ଚିନ୍ତା ବଢ଼ାଇଛି । ଚମ୍ପୁଆ ଲ୍ୟାମ୍ପରେ ଠିକ୍ ସମୟରେ ସାର ମିଳୁନଥିବାରୁ ଶହ ଶହ ଚାଷୀ ଲ୍ୟାମ୍ପ ବାହାରେ ଭିଡ଼ ଜମାଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଧାନ ଚାଷର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟରେ ଚାଷୀମାନେ ସାର ପାଇଁ ୩ରୁ ୪ ଦିନ ଧରି ଲ୍ୟାମ୍ପ ବାହାରେ ଧାଡ଼ିରେ ଅପେକ୍ଷା କରୁଛନ୍ତି । ଅନେକ ଚାଷୀ କାମଧନ୍ଦା ଛାଡ଼ି ସକାଳୁ ଆସି ଲାଇନରେ ଠିଆ ହୋଇଥିବା ବେଳେ, ମହିଳା ଚାଷୀମାନେ ମଧ୍ୟ ଛୋଟ ଛୋଟ ପିଲାଙ୍କୁ ସାଙ୍ଗରେ ଧରି ସାର ପାଇଁ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି । ତେବେ ଆଜି ସକାଳୁ ଚାଷୀମାନେ ଲ୍ୟାମ୍ପରେ ପହଞ୍ଚିଥିଲେ ମଧ୍ୟ କାର୍ଯ୍ୟାଳୟରେ ତାଲା ପଡ଼ିଥିଲା। ଅଧିକାରୀ ଓ କର୍ମଚାରୀମାନେ ବୈଠକକୁ ଯାଇଥିବାରୁ ଦିନ ୧୨ଟା ପର୍ଯ୍ୟନ୍ତ ଲ୍ୟାମ୍ପ ଖୋଲାଯାଇନଥିଲା । ଏହାକୁ ନେଇ ଚାଷୀମାନେ ହୋ-ହଲ୍ଲା କରି ପ୍ରତିବାଦ କରିଥିଲେ ।
ଏନେଇ ଚମ୍ପୁଆ ଲ୍ୟାମ୍ପର ଏମ୍ଡି ରଞ୍ଜନ ନାଏକ କହିଛନ୍ତି ଯେ, ବୈଠକ ପାଇଁ କାର୍ଯ୍ୟାଳୟ ଖୋଲାଯାଇନଥିଲା । ସେ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ଆବଶ୍ୟକତା ତୁଳନାରେ କମ୍ ପରିମାଣର ସାର ଆସିଥିବାରୁ ସମସ୍ତ ଚାଷୀଙ୍କୁ ଚାହିଦା ଅନୁସାରେ ସାର ଯୋଗାଇବା ସମ୍ଭବ ହେଉନାହିଁ । ଏହାକୁ ନେଇ ଚାଷୀମାନେ ଶୀଘ୍ର ପର୍ଯ୍ୟାପ୍ତ ସାର ଯୋଗାଣ କରିବାକୁ ଦାବି କରିଛନ୍ତି ।

