ମ୍ୟୁନିଖରେ ମହାସମାରୋହରେ ପାଳିତ ହେଲା ଶ୍ରୀଜଗନ୍ନାଥ ରଥଯାତ୍ରା, ପ୍ରାୟ ୧,୦୦୦ ଭକ୍ତଙ୍କ ସମାଗମ

ଜର୍ମାନୀର ମ୍ୟୁନିଖ ସହରରେ ଶ୍ରୀଜଗନ୍ନାଥ ସେବା ଜର୍ମାନୀ (SJSG), ଶିବାଳୟମ୍ e.V. ଏବଂ ଓଡ଼ିଆ ସମାଜ ମ୍ୟୁନିଖର ମିଳିତ ଆୟୋଜନରେ ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ, ପୁରୀ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଶ୍ରୀଜଗନ୍ନାଥ ରଥଯାତ୍ରା ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ ପ୍ରାୟ ୧,୦୦୦ ଭକ୍ତ ଯୋଗଦେଇ ଭକ୍ତି ଓ ଉତ୍ସାହର ସହ ମହାପ୍ରଭୁଙ୍କ ରଥ ଟାଣିଥିଲେ ।

ଜର୍ମାନୀର ମ୍ୟୁନିଖ ସହରରେ ଶ୍ରୀଜଗନ୍ନାଥ ସେବା ଜର୍ମାନୀ (SJSG), ଶିବାଳୟମ୍ e.V. ଏବଂ ଓଡ଼ିଆ ସମାଜ ମ୍ୟୁନିଖର ମିଳିତ ଆୟୋଜନରେ ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ, ପୁରୀ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଶ୍ରୀଜଗନ୍ନାଥ ରଥଯାତ୍ରା ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ ପ୍ରାୟ ୧,୦୦୦ ଭକ୍ତ ଯୋଗଦେଇ ଭକ୍ତି ଓ ଉତ୍ସାହର ସହ ମହାପ୍ରଭୁଙ୍କ ରଥ ଟାଣିଥିଲେ । ଉତ୍ସବର ଶୁଭାରମ୍ଭ ମଙ୍ଗଳ ଆରତି, ପୂଜା, ହୋମ, ଭଜନ ଓ କୀର୍ତ୍ତନ ସହିତ ହୋଇଥିଲା । ପରେ ପାରମ୍ପରିକ ପହଣ୍ଡି ବିଜେରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଭକ୍ତମାନଙ୍କ ମଧ୍ୟରେ ଭକ୍ତିଭାବର ସହ ମନ୍ଦିରରୁ ସୁସଜ୍ଜିତ ରଥକୁ ବିଜେ କରାଯାଇଥିଲା । ଏହାପରେ ଭାରତ, ଜର୍ମାନୀ ଓ ବିଭିନ୍ନ ଦେଶରୁ ଆସିଥିବା ପ୍ରାୟ ୧,୦୦୦ ଭକ୍ତ ଏକାଠି ହୋଇ ମହାପ୍ରଭୁଙ୍କ ରଥ ଟାଣିଥିଲେ। “ଜୟ ଜଗନ୍ନାଥ” ଓ “ହରି ବୋଲ” ଧ୍ୱନିରେ ସମଗ୍ର ମ୍ୟୁନିଖ ସହର ମୁଖରିତ ହୋଇଉଠିଥିଲା। ଏହି ରଥଯାତ୍ରାରେ ସମସ୍ତ ଧର୍ମ, ଜାତି, ସମ୍ପ୍ରଦାୟ ଓ ଦେଶର ଲୋକ ଅଂଶଗ୍ରହଣ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରେମ, ସାମ୍ୟ, କରୁଣା ଓ ବିଶ୍ୱବନ୍ଧୁତ୍ୱର ବାର୍ତ୍ତାକୁ ସାର୍ଥକ କରିଥିଲେ ।

ଏହି ଅବସରରେ ଭାରତର ମ୍ୟୁନିଖସ୍ଥିତ କନସୁଲେଟ୍ ଜେନେରାଲ୍ର କନସୁଲ ଶ୍ରୀ ଶତ୍ରୁଘ୍ନ ସିନ୍ହା ଉପସ୍ଥିତ ରହି ସନାତନ e.V.ର ସଭାପତି ଶ୍ରୀ ଅତନୁ ତ୍ରିପାଠୀଙ୍କ ଦ୍ୱାରା ସମ୍ପନ୍ନ ପାରମ୍ପରିକ ଛେରା ପହଁରା ପରେ ମହାପ୍ରଭୁଙ୍କ ରଥ ଟାଣି ଦିବ୍ୟ ଆଶୀର୍ବାଦ ଲାଭ କରିଥିଲେ।

ମହାପ୍ରଭୁଙ୍କ ସମ୍ମୁଖରେ ମାୟରା ସାମଲ ଓ ରାଇକା ମହାନ୍ତିଙ୍କ ଦ୍ୱାରା ଭକ୍ତିମୟ ଓଡ଼ିଶୀ ନୃତ୍ୟ ଏବଂ ଆଦିତ୍ରୀ ମୁକୁନ୍ଦଙ୍କ ଦ୍ୱାରା ମନୋମୁଗ୍ଧକର ଭରତନାଟ୍ୟମ୍ ପରିବେଷଣ କରାଯାଇଥିଲା, ଯାହା ସମଗ୍ର ପରିବେଶକୁ ଆହୁରି ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହିମାରେ ଭରିଦେଇଥିଲା । ରଥଯାତ୍ରା ପରେ ସମସ୍ତ ଭକ୍ତଙ୍କୁ ପାରମ୍ପରିକ ପ୍ରସାଦ ପରିବେଷଣ କରାଯାଇଥିଲା । ଅନେକ ସ୍ୱେଚ୍ଛାସେବୀ, ପ୍ରାୟୋଜକ ଓ ଶୁଭେଚ୍ଛୁଙ୍କ ନିଷ୍ଠାପୂର୍ଣ୍ଣ ସହଯୋଗ ଯୋଗୁଁ ଏହି ମହୋତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା।

ଆୟୋଜକ ତଥା ଟ୍ରଷ୍ଟି ପ୍ରିୟଦର୍ଶନ ସାମଲ, ଦୀପକ ପାଣିଗ୍ରାହୀ ଓ ତନ୍ମୟ ପଣ୍ଡା ସମସ୍ତ ଭକ୍ତ, ସ୍ୱେଚ୍ଛାସେବୀ, ପ୍ରାୟୋଜକ, ସ୍ଥାନୀୟ ପ୍ରଶାସନ, ଶିବାଳୟମ୍ e.V. ଏବଂ ଓଡ଼ିଆ ସମାଜ ମ୍ୟୁନିଖଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଥିଲେ। ସେମାନେ ବିଶେଷ ଭାବେ  ଶିବାଳୟମ୍ e.V.ର ସଭାପତି ଶ୍ରୀ ସର୍ମା ଆର୍ୟସୋମୟାଜୁଲାଙ୍କ ନିରନ୍ତର ସହଯୋଗ ଓ ମାର୍ଗଦର୍ଶନ ପାଇଁ, ଏବଂ ଶ୍ରୀ ସୁବେନ୍ଦୁ ରଥଙ୍କ ସହଯୋଗ ଓ ସମନ୍ୱୟ ପାଇଁ ଧନ୍ୟବାଦ ଜଣାଇଥିଲେ ।
ଶ୍ରୀଜଗନ୍ନାଥ ସେବା ଜର୍ମାନୀ (SJSG) ଜର୍ମାନୀରେ ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାର ପ୍ରଚାର ଓ ପ୍ରସାର ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛି ଏବଂ ଆଗାମୀ ଦିନରେ ମଧ୍ୟ ଏଭଳି ଭକ୍ତିମୟ କାର୍ଯ୍ୟକ୍ରମ ଆୟୋଜନ କରି ଜର୍ମାନୀରେ ବସବାସ କରୁଥିବା ଭାରତୀୟ ଓ ଆନ୍ତର୍ଜାତୀୟ ସମୁଦାୟକୁ ଏକତ୍ର କରିବାର ପ୍ରୟାସ ଜାରି ରଖିବ ବୋଲି ଜଣାଇଛି ।

Leave a Reply

Your email address will not be published. Required fields are marked *