ଭାଙ୍ଗିଯାଇଥିବା ପ୍ଲାଷ୍ଟିକ୍ ଟୋକେଇକୁ ଆଉ ଫିଙ୍ଗିବା ଦରକାର ନାହିଁ । ଟିକିଏ ସୃଜନଶୀଳତା ଦେଖାଇଲେ ପୁରୁଣା ଓ ଭଙ୍ଗା ଟୋକେଇକୁ ଘରର ଅନେକ କାମରେ ପୁଣି ବ୍ୟବହାର କରିହେବ । ପ୍ଲାଷ୍ଟିକ୍ ବର୍ଜ୍ୟ କମାଇବା ସହ ଏହା ଘରକୁ ଅଧିକ ସୁନ୍ଦର ଓ ଗୋଛାଇ ରଖିବାରେ ମଧ୍ୟ ସହାୟକ ହୋଇପାରେ ।
ଭାଙ୍ଗିଯାଇଥିବା ପ୍ଲାଷ୍ଟିକ୍ ଟୋକେଇକୁ ଆଉ ଫିଙ୍ଗିବା ଦରକାର ନାହିଁ । ଟିକିଏ ସୃଜନଶୀଳତା ଦେଖାଇଲେ ପୁରୁଣା ଓ ଭଙ୍ଗା ଟୋକେଇକୁ ଘରର ଅନେକ କାମରେ ପୁଣି ବ୍ୟବହାର କରିହେବ । ପ୍ଲାଷ୍ଟିକ୍ ବର୍ଜ୍ୟ କମାଇବା ସହ ଏହା ଘରକୁ ଅଧିକ ସୁନ୍ଦର ଓ ଗୋଛାଇ ରଖିବାରେ ମଧ୍ୟ ସହାୟକ ହୋଇପାରେ । ପ୍ରଥମେ, ଭଙ୍ଗା ଟୋକେଇକୁ ପ୍ଲାଣ୍ଟର ଭାବେ ବ୍ୟବହାର କରିପାରିବେ । ଯଦି ଟୋକେଇର ତଳ ଅଂଶ ଠିକ୍ ଅଛି କିମ୍ବା ଛୋଟ ଛୋଟ ଛିଦ୍ର ରହିଛି, ତେବେ ସେଥିରେ ମାଟି, କୋକୋପିଟ୍ ଓ ସାର ଦେଇ ଛୋଟ ଗଛ ଲଗାଇପାରିବେ । କେବଳ ଟୋକେଇରେ ପାଣି ଜମି ନରହିବା ଦିଗରେ ଧ୍ୟାନ ଦେବା ଜରୁରୀ । ଦ୍ୱିତୀୟରେ, ବାଥରୁମ୍ ଅର୍ଗାନାଇଜର୍ ଭାବେ ମଧ୍ୟ ଏହାକୁ ବ୍ୟବହାର କରିହେବ । ସାବୁନ, ସାମ୍ପୁ, କମ୍ବ, ସ୍କ୍ରବର ଭଳି ଛୋଟ ଛୋଟ ସାମଗ୍ରୀକୁ ଗୋଟିଏ ସ୍ଥାନରେ ରଖିବାରେ ଏହି ଟୋକେଇ କାମରେ ଆସିବ ।
ତୃତୀୟରେ, ପିଲାଙ୍କ ଖେଳନା ରଖିବା ପାଇଁ ମଧ୍ୟ ପୁରୁଣା ଟୋକେଇକୁ ବ୍ୟବହାର କରିପାରିବେ । ଏହାଦ୍ୱାରା ଘରେ ଏଣେତେଣେ ପଡ଼ିଥିବା ଖେଳନାଗୁଡ଼ିକୁ ସହଜରେ ଗୋଟିଏ ସ୍ଥାନରେ ରଖିହେବ । ସେହିପରି ଆଲମାରିରେ ଛୋଟ କପଡ଼ା, ମୋଜା, ରୁମାଲ ଓ ସ୍କାର୍ଫ ରଖିବା, ରୋଷେଇ ଘରେ ପିଆଜ-ରସୁଣ, ମସଲା ପ୍ୟାକେଟ୍ ଓ ଛୋଟ ସାମଗ୍ରୀ ଗୋଛାଇବା, ଏବଂ ଫ୍ଲୋର୍ କ୍ଲିନର୍, ବ୍ରଶ୍, ସ୍କ୍ରବର୍ ଭଳି ସଫେଇ ସାମଗ୍ରୀ ରଖିବାରେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ । ତେବେ ଭଙ୍ଗା ଟୋକେଇ ବ୍ୟବହାର ପୂର୍ବରୁ ସତର୍କ ରୁହନ୍ତୁ । ଟୋକେଇରେ ଧାରୁଆ କିମ୍ବା ନୁକିଲା ଅଂଶ ଥିଲେ ପ୍ରଥମେ ତାହାକୁ ଠିକ୍ କରନ୍ତୁ । ଅତ୍ୟଧିକ ଦୁର୍ବଳ, ଫାଟିଯାଇଥିବା କିମ୍ବା ଭାଙ୍ଗି ବିଖରିଯାଉଥିବା ପ୍ଲାଷ୍ଟିକ୍କୁ ପୁଣି ବ୍ୟବହାର ନକରି ରିସାଇକ୍ଲିଂ ପାଇଁ ଦେବା ଭଲ । ଅର୍ଥାତ୍, ଯାହାକୁ ଆମେ ବର୍ଜ୍ୟ ଭାବି ଫିଙ୍ଗି ଦେଉଛୁ, ଟିକିଏ ବୁଦ୍ଧି ଓ ସୃଜନଶୀଳତା ଦ୍ୱାରା ସେହି ଜିନିଷ ଘରର ଦରକାରୀ ସାମଗ୍ରୀରେ ପରିଣତ ହୋଇପାରେ ।

