ଅଫିସ୍ ଦୁର୍ଘଟଣାରେ ବ୍ରେନ୍ରେ ରହିଯାଇଥିବା ଫ୍ୟାନ୍ର ଅଂଶକୁ ଅପରେସନ୍ କରି ବାହାର କଲା ମଣିପାଲ ହସ୍ପିଟାଲ। ୪ ବର୍ଷ ଧରି ମୁଣ୍ଡବିନ୍ଧା ଓ ସଂକ୍ରମଣରେ ପୀଡ଼ିତ ୩୨ ବର୍ଷୀୟ ଯୁବକ ସୁସ୍ଥ ହୋଇ ସାଧାରଣ ଜୀବନକୁ ଫେରିଲେ।
ଅଫିସରେ ଘଟିଥିବା ଏକ ଦୁର୍ଘଟଣା ପରେ ବ୍ରେନ୍ରେ ରହିଯାଇଥିବା ଫ୍ୟାନ୍ର କିଛି ଅଂଶକୁ ସଫଳତାର ସହ ବାହାର କରି ୩୨ ବର୍ଷୀୟ ଜଣେ ଯୁବକଙ୍କୁ ନୂଆ ଜୀବନ ଦେଇଛି ମଣିପାଲ ହସ୍ପିଟାଲ, ଭୁବନେଶ୍ୱର। ଦୀର୍ଘ ୪ ବର୍ଷ ଧରି ଅସହ୍ୟ ମୁଣ୍ଡବିନ୍ଧା ଓ ସଂକ୍ରମଣରେ ପୀଡ଼ିତ ଥିବା ଏହି ଯୁବକ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାଧାରଣ ଜୀବନକୁ ଫେରିଛନ୍ତି।ବରାଣୀ ଅଞ୍ଚଳର ବାସିନ୍ଦା ଏହି ଯୁବକ ୨୦୨୨ ମସିହାରେ କାର୍ୟ୍ୟସ୍ଥଳରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଛାତରୁ ଏକ ସିଲିଂ ଫ୍ୟାନ୍ ଖସି ତାଙ୍କ ମୁଣ୍ଡ ଉପରେ ପଡ଼ିଥିଲା। ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ଫ୍ୟାନ୍ର ଏକ ବ୍ଲେଡ୍ ତାଙ୍କ ଡାହାଣ କାନ୍ଧରେ ମଧ୍ୟ ବାଜିଥିଲା। ସେ ଘଟଣାସ୍ଥଳରେ ଅଚେତ ହୋଇଯାଇଥିଲେ।
ପ୍ରଥମେ ନିକଟସ୍ଥ ହସ୍ପିଟାଲ ଏବଂ ପରେ ଅନ୍ୟ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ ମଧ୍ୟ ମୁଣ୍ଡର ପଛପଟେ ଅସହ୍ୟ ଯନ୍ତ୍ରଣା ଜାରି ରହିଥିଲା। ଏହାର ଚିକିତ୍ସା ପାଇଁ ସେ ବେଙ୍ଗାଲୁରୁ, କୋଲକାତା ଓ ଭେଲୋରର ବିଭିନ୍ନ ପ୍ରସିଦ୍ଧ ହସ୍ପିଟାଲରେ ଚିକିତ୍ସା କରାଇଥିଲେ, କିନ୍ତୁ ରୋଗର ପ୍ରକୃତ କାରଣ ଜଣାପଡ଼ିନଥିଲା।ପରେ ମୁଣ୍ଡର ପଛପଟରୁ ବାରମ୍ବାର ପୁଜ ବାହାରିବା ଆରମ୍ଭ ହେବାରୁ ତାଙ୍କ ଅଫିସ୍ ପକ୍ଷରୁ ଚିକିତ୍ସା ପାଇଁ ତାଙ୍କୁ ମଣିପାଲ ହସ୍ପିଟାଲ, ଭୁବନେଶ୍ୱରକୁ ପଠାଯାଇଥିଲା।ମଣିପାଲ ହସ୍ପିଟାଲର ନ୍ୟୁରୋସର୍ଜରୀ ବିଭାଗର ବରିଷ୍ଠ ଡାକ୍ତର ସୁନୀଲ ପାତ୍ରଙ୍କ ନେତୃତ୍ୱରେ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଏମ୍ଆର୍ଆଇ ଇମେଜିଂ କରିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ, ଦୁର୍ଘଟଣା ସମୟରେ ଫ୍ୟାନ୍ର କିଛି ଅଂଶ ତାଙ୍କ ବ୍ରେନ୍ ଭିତରେ ରହିଯାଇଥିଲା।
ଏହି କାରଣରୁ ତାଙ୍କର ନିୟମିତ ମୁଣ୍ଡବିନ୍ଧା, ସଂକ୍ରମଣ ଓ ପୁଜ ବାହାରିବା ଭଳି ସମସ୍ୟା ଦୀର୍ଘ ଦିନ ଧରି ରହିଥିଲା। ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ଯେ, ଫ୍ୟାନ୍ର ଏହି ଅଂଶଗୁଡ଼ିକ ବ୍ରେନ୍ର ଦୃଷ୍ଟିଶକ୍ତି ନିୟନ୍ତ୍ରଣ କରୁଥିବା ଅଂଶ ଓ ଟ୍ରାନ୍ସଭର୍ସ ସାଇନସ୍ ନିକଟରେ ରହିଥିଲା। ଏଭଳି ସ୍ଥାନରେ ଅପରେସନ୍ କରିବା ସମୟରେ ଦୃଷ୍ଟିଶକ୍ତି ହରାଇବା କିମ୍ବା ଅଧିକ ରକ୍ତସ୍ରାବର ଆଶଙ୍କା ରହିଥାଏ।ତେବେ ଅଭିଜ୍ଞ ଡାକ୍ତରୀ ଟିମ୍ ଆଧୁନିକ ମାଇକ୍ରୋସର୍ଜରୀ ପ୍ରଣାଳୀ ବ୍ୟବହାର କରି ସଫଳତାର ସହ ଅପରେସନ୍ କରିଥିଲେ। ଅପରେସନ୍ ପରେ ରୋଗୀଙ୍କ ୪ ବର୍ଷର ମୁଣ୍ଡବିନ୍ଧା ସମ୍ପୂର୍ଣ୍ଣ ଭଲ ହୋଇଯାଇଛି। ବର୍ତ୍ତମାନ ସେ କୌଣସି ସ୍ନାୟୁଜନିତ ସମସ୍ୟା ବିନା ସାଧାରଣ ଜୀବନ ଓ କାର୍ୟ୍ୟକୁ ଫେରିଛନ୍ତି।
ଡାକ୍ତର ସୁନୀଲ ପାତ୍ର କହିଛନ୍ତି, “ମୁଣ୍ଡରେ ଗୁରୁତର ଆଘାତ ପରେ ଯଦି ଦୀର୍ଘ ସମୟ ଧରି ମୁଣ୍ଡବିନ୍ଧା, ସଂକ୍ରମଣ କିମ୍ବା ଘା’ରୁ ପୁଜ ବାହାରିବା ଭଳି ସମସ୍ୟା ଦେଖାଯାଏ, ତେବେ ଏହାକୁ ଅବହେଳା ନକରି ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ଠିକ୍ ସମୟରେ ସଠିକ୍ ପରୀକ୍ଷା କଲେ ଜଟିଳ ସମସ୍ୟାର ମଧ୍ୟ ସଫଳ ଚିକିତ୍ସା ସମ୍ଭବ।”ଏହି ସଫଳ ଅପରେସନ୍ ସହ ମଣିପାଲ ହସ୍ପିଟାଲ, ଭୁବନେଶ୍ୱର ଜଟିଳ ନ୍ୟୁରୋସର୍ଜରୀ ଓ ସ୍ନାୟୁ ରୋଗ ଚିକିତ୍ସା କ୍ଷେତ୍ରରେ ନିଜ ଦକ୍ଷତାର ପରିଚୟ ଦେଇଛି।

