ବେଆଇନ ଅଫିମ ଉତ୍ପାଦନରେ ବିଶ୍ୱରେ ଏକ ନମ୍ବର ମିଆଁମାର , ସଙ୍କଟରେ ଭାରତର ସୁରକ୍ଷା

ଆଫଗାନିସ୍ତାନକୁ ପଛରେ ପକାଇ ବିଶ୍ୱର ସବୁଠାରୁ ବଡ଼ ବେଆଇନ ଅଫିମ ଉତ୍ପାଦନକାରୀ ଦେଶ ହୋଇଛି ମିଆଁମାର । ୨୦୨୧ରେ ହୋଇଥିବା ସାମରିକ ବିଦ୍ରୋହ ପରଠାରୁ ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ଓ ଗୃହଯୁଦ୍ଧ ପରି ପରିସ୍ଥିତି ଯୋଗୁଁ ଅଫିମ ଉତ୍ପାଦନ ଗତ ୧୦ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।

ଭାରତର ପଡ଼ୋଶୀ ଦେଶ ମିଆଁମାରର ବର୍ତ୍ତମାନ ସବୁଠୁ ଅଧିକ ବେଆଇନ ଅଫିମ ଉତ୍ପାଦନ କରୁଛି । ଏ କ୍ଷେତ୍ରରେ ଆଫଗାନିସ୍ତାନକୁ ପଛରେ ପକାଇ ବିଶ୍ୱର ସବୁଠାରୁ ବଡ଼ ବେଆଇନ ଅଫିମ ଉତ୍ପାଦନକାରୀ ଦେଶ ହୋଇଛି । ୨୦୨୧ରେ ହୋଇଥିବା ସାମରିକ ବିଦ୍ରୋହ ପରଠାରୁ ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ଓ ଗୃହଯୁଦ୍ଧ ପରି ପରିସ୍ଥିତି ଯୋଗୁଁ ଅଫିମ ଉତ୍ପାଦନ ଗତ ୧୦ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । NCB ପକ୍ଷରୁ ପ୍ରକାଶିତ ବାର୍ଷିକ ରିପୋର୍ଟ ଅନୁଯାୟୀ, ମିଆଁମାରର ଶାନ୍ ରାଜ୍ୟ ବେଆଇନ ଅଫିମ ଚାଷର ମୁଖ୍ୟ କେନ୍ଦ୍ର ପାଲଟିଛି । ଏହି ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ମ୍ୟାନ୍‌ମାରରୁ ଅଫିମ ଚୋରା ଚାଲାଣର ନୂଆ ପଥ ସିଧାସଳଖ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଦେଇ ଗତି କରୁଛି, ଯାହା ଭାରତର ସୁରକ୍ଷା ପ୍ରତି ଗମ୍ଭୀର ବିପଦ ସୃଷ୍ଟି କରିଛି । ଏହି ପଥରେ ହେଉଥିବା ଚୋରା ଚାଲାଣ କେବଳ ନିଶା କାରବାର ନୁହେଁ, ବରଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ସହିତ ମଧ୍ୟ ଜଡ଼ିତ ରହିଛି ।

ଖୋଲା ସୀମା ଏବଂ ମୁକ୍ତ ଯାତାୟାତ ବ୍ୟବସ୍ଥା ଯୋଗୁଁ ଚୋରା ଚାଲାଣକାରୀଙ୍କ ପାଇଁ କାମ ସହଜ ହୋଇଯାଉଛି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ନିଶା ଗ୍ରହଣକାରୀଙ୍କ ସଂଖ୍ୟା ବଢ଼ିବା ସହ ବିଦ୍ରୋହୀ ଗୋଷ୍ଠୀମାନେ ଅଧିକ ପାଣ୍ଠି ପାଉଛନ୍ତି । ଯଦିଓ ଆଫଗାନିସ୍ତାନ-ପାକିସ୍ତାନ-ଇରାନ କରିଡର ଏବେ ବି ବିଶ୍ୱର ସବୁଠାରୁ ବଡ଼ ଅଫିମ ଚୋରା ଚାଲାଣ ମାର୍ଗ ହୋଇ ରହିଛି, ତଥାପି ଭାରତକୁ ସମସ୍ତ ଆନ୍ତର୍ଜାତୀୟ ମାର୍ଗରୁ ରଣନୈତିକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି । ଏହା ବ୍ୟତୀତ କୋକେନ ଚୋରା ଚାଲାଣ ହେଉଥିବା ଦେଶଗୁଡ଼ିକରେ ବୃଦ୍ଧି ପାଉଥିବା ହିଂସା ମଧ୍ୟ ସୁରକ୍ଷା ପାଇଁ ଏକ ବଡ଼ ସଙ୍କଟ ସାଜିଛି । ଡ୍ରଗ୍ସ କାରବାର ଯୋଗୁଁ ସାରା ବିଶ୍ୱରେ ସଙ୍ଗଠିତ ଅପରାଧ ଏବଂ ହିଂସା ବୃଦ୍ଧି ପାଉଥିବା ବେଳେ ଇକ୍ୱାଡର ଭଳି ଦେଶରେ ଡ୍ରଗ୍ସ ଗ୍ୟାଙ୍ଗୱାର ଯୋଗୁଁ ହତ୍ୟା ହାର ମଧ୍ୟ ପ୍ରାୟ ୬ ଗୁଣ ବୃଦ୍ଧି ପାଇଛି ।

ବିଶ୍ୱ ସ୍ତରରେ ନିଶା ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୨୦୨୩ ମସିହାରେ ପ୍ରାୟ ୩୧.୬ କୋଟି ଲୋକ ଅତିକମରେ ଥରେ କୌଣସି ନା କୌଣସି ନିଶାଦ୍ରବ୍ୟ ବ୍ୟବହାର କରିଛନ୍ତି , ଯାହା ଗତ ଦଶନ୍ଧି ତୁଳନାରେ ପ୍ରାୟ ୨୯ ପ୍ରତିଶତ ଅଧିକ । ବର୍ତ୍ତମାନ ‘ନିଟାଜେନ୍ସ’ ନାମକ ଏକ ସିନ୍ଥେଟିକ୍ ଡ୍ରଗ୍ସ ବିଶ୍ୱ ପାଇଁ ନୂଆ ବିପଦ ଭାବେ ଉଭା ହୋଇଛି, ଯାହା ହେରୋଇନ ଠାରୁ ପ୍ରାୟ ୫୦୦ ଗୁଣ ଅଧିକ ପାୱାରଫୁଲ୍ । ଏହା ସହିତ ଡାର୍କନେଟ୍ ଏବଂ ଟେଲିଗ୍ରାମ, ହ୍ୱାଟସଆପ୍ ଓ ସିଗନାଲ୍ ଭଳି ଏନକ୍ରିପ୍ଟେଡ୍ ମେସେଜିଂ ପ୍ଲାଟଫର୍ମ ଜରିଆରେ ଡ୍ରଗ୍ସ ଯୋଗାଣ ହେଉଥିବାରୁ ସୁରକ୍ଷା ଏଜେନ୍ସିମାନଙ୍କ ପାଇଁ ନୂଆ ଯାନ୍ତ୍ରିକ ଆହ୍ୱାନ ସୃଷ୍ଟି ହୋଇଛି । NCB ଅନୁଯାୟୀ, ଏହି ନିଶା କାରବାରକୁ ରୋକିବା ପାଇଁ ବିଭିନ୍ନ ଏଜେନ୍ସି ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ସହ ଭାରତର ସାମୁଦ୍ରିକ ସୀମା ଉପରେ କଡ଼ା ନଜର ରଖିବା ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା ।

Leave a Reply

Your email address will not be published. Required fields are marked *